ମହିଳା ବିଶ୍ବକପ୍‌: ଭାରତ-ପାକିସ୍ତାନ ଆଜି ମୁକାବିଲା

ମାଉଣ୍ଟ୍‌ ମୁଗାନୁଇ: ନ୍ୟୁଜିଲାଣ୍ଡରେ ଆୟୋଜିତ ମହିଳା ବିଶ୍ବକପ୍‌ରେ ଭାରତ ତା’ର ଅଭିଯାନ ରବିବାରଠୁ ଆରମ୍ଭ କରିବ। ଭାରତର ପ୍ରଥ‌ମ ଭେଟ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ହେବ। ଏହି ମ୍ୟାଚ୍‌ ମାଉଣ୍ଟ ମୁଙ୍ଗନୁଇସ୍ଥିତ ବେ ଓଭାଲରେ ଭାରତୀୟ ସମୟ ସକାଳ ୬.୩୦ରେ ଖେଳାଯିବ। ମିତାଲି ରାଜଙ୍କ ନେତୃତ୍ବରେ ଖେଳୁଥିବା ଭାରତର ବ୍ୟାଟିଂ ଲାଇନ୍‌ ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ହରମନ୍‌ପ୍ରୀତ କୌରଙ୍କୁ ନେଇ ଦୃଢ଼ ରହିଛି। ସେହିଭଳି ବୋଲିଂରେ ଭେଟେରାନ ଝୁଲଣ ଗୋସ୍ବାମୀଙ୍କ ସହ ଦୀପ୍ତି ଶର୍ମା ପାକିସ୍ତାନ ବ୍ୟାଟର୍‌ଙ୍କୁ ଅଟକାଇବାକୁ ସକ୍ଷମ ହେବ। ଗତଥରର ଉପବିଜେତା ଭାରତ ଦୁଇଥର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ପାକିସ୍ତାନ କେବେ ବି ଫାଇନାଲ୍‌ ଖେଳିନି।

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିଜୟୀ
ହାମିଲଟନ୍‌/ଡୁନେଡିନ: ଶନିବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆ ୧୨ ରନ୍‌ରେ ଇଂଲଣ୍ଡକୁ ଏବଂ ଦକ୍ଷିଣ ଆଫ୍ରିକା ୩୨ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା। ରିଚେଲ ହେନ୍ସ (୧୩୦ ରନ୍‌)ଙ୍କ ଶତକ ଏବଂ ଅଧିନାୟିକା ମେଗ୍‌ ଲାନିଂ (୮୬ ରନ୍‌)ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩୧୦/୩ କରିଥିଲା। ଜବାବରେ ଇଂଲଣ୍ଡ ନାଟ ଶ୍ଚିଭର (୧୦୯* ରନ୍‌)ଙ୍କ ଅପରାଜିତ ଶତକ ଏବଂ ତାମି ବିଉନଟ (୭୪ ରନ୍‌)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୮ ୱିକେଟ୍‌ ହରାଇ ୨୯୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଡୁନେଡିନ୍‌ରେ ଦକ୍ଷିଣ ଆଫ୍ରିକା ୪୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୦୭ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୪୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୫ ରନ୍‌ କରି ପାରିଥିଲା।

ସମ୍ବନ୍ଧିତ ଖବର