ମୁମ୍ବାଇ: ସେପ୍ଟେମ୍ବର ୩୦ ତାରିଖରୁ ଭାରତରେ ଖେଳାଯିବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ବକପ୍ର ଟ୍ରଫି ଟୁର୍ ଉତ୍ସବ ସୋମବାର ଉନ୍ମୋଚିତ ହୋଇଛି। ଏହି ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସହ ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ, ବିଶ୍ବକପ୍ ବିଜେତା ଯୁବରାଜ ସିଂହଙ୍କ ସହ ବର୍ତ୍ତମାନର ଅଧିନାୟିକା ହର୍ମନପ୍ରୀତ୍ କୌର୍, ସାଥୀ ଖେଳାଳି ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗ୍ବେଜ୍ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଫି ବିଜୟ ପାଇଁ ଯୁବରାଜ ଓ ମିତାଲି ଭାରତୀୟ ଖେଳାଳିଙ୍କୁ ବିଭିନ୍ନ ସୂତ୍ର ବତାଇଥିଲେ। ଅଧିନାୟିକା ହର୍ମନପ୍ରୀତ୍ କୌର୍ କିନ୍ତୁ ଟ୍ରଫି ମରୁଡ଼ି ଧାରାକୁ ଭାଙ୍ଗିବାକୁ ଭାରତୀୟ ଦଳ ସଙ୍କଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି। ଭାରତୀୟମାନେ ଏଥି ପାଇଁ ଅପେକ୍ଷା କରିଛନ୍ତି।
ବିଶ୍ବକପ୍ ସବୁବେଳେ ସ୍ବତନ୍ତ୍ର, ଦେଶପାଇଁ ମୁଁ ବି ସବୁବେଳେ କିଛି ସ୍ବତନ୍ତ୍ର କରିବାକୁ ଚାହେ। ଯୁବି ଭାଇ (ଯୁବରାଜ ସିଂହ)ଙ୍କୁ ଦେଖିଲେ ଅନେକ ପ୍ରେରଣା ମିଳେ ବୋଲି କହିଥିଲେ ହର୍ମନପ୍ରୀତ୍। ୨୦୧୭ ମସିହାରେ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ଇଂଲଣ୍ଡଠୁ ଭାରତ ହାରି ଉପବିଜେତା ହେବା ଏବେ ବି ଦଳର ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ସେହି ସଂସ୍କରଣରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବିଜୟୀ ୧୭୧ ରନ୍ ପାଳି ବି ହର୍ମନପ୍ରୀତ୍ଙ୍କୁ ଖୁବ୍ ଚର୍ଚ୍ଚିତ କରିଥିଲା। ‘‘ସେହି ପାଳି କେବଳ ମୋ ପାଇଁ ସ୍ବତନ୍ତ୍ର ନଥିଲା, ସମଗ୍ର ମହିଳା କ୍ରିକେଟ୍ ପାଇଁ ବି ଟର୍ଣ୍ଣିଂ ପଏଣ୍ଟ ଥିଲା। ଭାରତକୁ ଫେରିବା ପରେ ଆମେ ଫାଇନାଲ୍ରେ ପରାଜିତ ହୋଇଥିଲେ ବି ଆମକୁ ଲୋକମାନେ ବିପୁଳ ସ୍ବାଗତ କରିଥିଲେ। ଏହା ମୋତେ ଏବେ ବି ଉଲ୍ଲସିତ କରିଥାଏ’’ ବୋଲି ହର୍ମନପ୍ରୀତ୍ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/12/new-project-7-2025-08-12-13-39-56.jpg)