ଦୁନେଦିନ୍: ନ୍ୟୁଜିଲାଣ୍ଡ୍ରେ ଚାଲିଥିବା ଆଇସିସି ମହିଳା ଦିନିକିଆ ବିଶ୍ବକପ୍ରେ ବୁଧବାର ୱେଷ୍ଟ୍ଇଣ୍ଡିଜ୍ ଦଳ ବଡ଼ ବିପର୍ଯ୍ୟୟ ଘଟାଇଛି। ଏହି ଦଳ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ରେ ବିଜେତା ଇଂଲଣ୍ଡ ଦଳକୁ ୭ ରନ୍ରେ ପରାସ୍ତ କରିଦେଇଛି। ବିଶ୍ବକପ୍ରେ ଇଂଲଣ୍ଡ ବିପକ୍ଷରେ ଏହା ମଧ୍ୟ ୱେଷ୍ଟଇଣ୍ଡିଜ୍ର ପ୍ରଥମ ବିଜୟ ଥିଲା। ଏଥି ସହିତ ଲଗାତାର ଦୁଇଟି ବିଜୟ ସହ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। ନିଜର ପ୍ରଥମ ମ୍ୟାଚ୍ରେ ଇଣ୍ଡିଜ୍ ଦଳ ଆୟୋଜକ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରିଥିଲା। ସେହିପରି ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ନିକଟରୁ ହାରିଥିବା ଇଂଲଣ୍ଡର ଏହା କ୍ରମାଗତ ଦ୍ବିତୀୟ ପରାଜୟ ଥିଲା। ବୁଧବାର ମ୍ୟାଚ୍ରେ ଟସ୍ ଜିତି ଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ ନେଇଥିଲା। ଡେଣ୍ଡ୍ରା ଡଟିନ୍ (୩୧) ଓ ହାଲେ ମାଥ୍ୟୁସ୍ (୪୫) ପ୍ରଥମ ୱିକେଟ୍ରେ ୮୧ ରନ୍ ଯୋଡ଼ି ଭଲ ମୂଳଦୁଆ ପକାଇଥିଲେ। ତେବେ ୨୧ତମ ଓଭରରେ ହିଁ ଦୁଇ ଓପ୍ନର ଆଉଟ୍ ହୋଇଯିବା ପରେ କିସିଆ ନାଇଟ୍ (୬) ଓ ଅଧିନାୟିକା ଷ୍ଟିଫାନି ଟେଲର (୦)ଙ୍କୁ ଆଉଟ୍ କରି ସୋଫି ଏକ୍ଲେଷ୍ଟୋନ୍ ଇଣ୍ଡିଜ୍କୁ ସଂଘର୍ଷ କରାଇଥିଲେ। ଏକ୍ଲେଷ୍ଟୋନ୍ ମଧ୍ୟ ମାଥ୍ୟୁସ୍ଙ୍କୁ ଶିକାର କରିଥିଲେ। କିନ୍ତୁ ୱିକେଟ୍ରକ୍ଷିକା ସିମାନି କାମ୍ପବେଲ୍ (୬୬) ଓ ଚେଡେନ୍ ନେସନ୍ (ଅପରାଜିତ ୪୯) ପଞ୍ଚମ ୱିକେଟ୍ରେ ୧୨୩ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଫଳରେ ୱେଷ୍ଟ୍ଇଣ୍ଡିଜ୍ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ବିନିମୟରେ ୨୨୫ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ଏକ୍ଲେଷ୍ଟାନ୍ (୧୦-୪-୨୦-୩) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ।
ଜବାବରେ ଇଣ୍ଡିଜ୍ ବୋଲରମାନେ ଇଂଲଣ୍ଡର ମଧ୍ୟକ୍ରମକୁ ପୂରା ବିଗାଡ଼ି ଦେଇଥିଲେ। କେବଳ ଓପ୍ନର ଟମି ବିଉମଣ୍ଟ୍ (୪୫) ଆରମ୍ଭରୁ ଲଢ଼ିଥିଲା ବେଳେ ଅଧିନାୟିକା ହିଦର ନାଇଟଟ୍ (୫), ନାତାଲି ସିଭର (୨) ଆମି ଇଲେନ୍ ଜୋନ୍ସ (୧) ଏବଂ ହିଲ୍ (୧୨)ଙ୍କୁ କ୍ରିଜ୍ରେ ତିଷ୍ଠିବାକୁ ଦେଇନଥିଲେ। ତଥାପି ଡାନିଏଲେ ୱାଟ୍ (୩୩) ଓ ସୋଫିଆ ଡଙ୍କ୍ଲେ (୩୮) ପଞ୍ଚମ ୱିକେଟ୍ରେ ୬୦ ରନ୍ ଯୋଡ଼ି ଆଶା ଦେଇଥିଲା ବେଳେ ସୋଫି ଏକ୍ଲେଷ୍ଟୋନ୍ (୩୩) ଓ କାଟେ କ୍ରସ୍ (୨୭) ନବମ ୱିକେଟ୍ରେ ୬୧ ରନ୍ ଯୋଡ଼ି ବିଜୟ ସମ୍ଭାବନା ବଢ଼ାଇଥିଲେ। ହେଲେ ଇଣ୍ଡିଜ୍ ବୋଲରମାନେ ସୁଯୋଗ ନଦେଇ ଇଂଲଣ୍ଡ ପାଳିକୁ ୪୭.୪ ଓଭରରେ ୨୧୮ ରନ୍ରେ ସଫା କରିଦେଇଥିଲେ। ସାମିଲା କୋନେଲ୍ (୧୦-୧-୩୮-୩), ହାଲେ ମାଥ୍ୟୁସ୍ (୧୦-୦-୪୦-୨) ଏବଂ ଅନିସା ମହମ୍ମଦ (୪.୪-୧-୨୪-୨) ଚମତ୍କାର ବୋଲିଂ କରି ୱେଷ୍ଟ୍ଇଣ୍ଡିଜ୍କୁ ବିଜୟୀ କରାଇଥିଲେ। ସିମାନି କାମ୍ପବେଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଆଜି ଭାରତ-ନ୍ୟୁଜିଲାଣ୍ଡ୍ ମୁହାଁମୁହିଁ
ଚଳିତ ବିଶ୍ବକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆସନ୍ତାକାଲି ତା’ର ଦ୍ବିତୀୟ ମ୍ୟାଚ୍ରେ ଆୟୋଜକ ନ୍ୟୁଜିଲାଣ୍ଡ୍କୁ ଭେଟିବ। ହାମିଲଟନ୍ର ସେଡନ୍ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ବଡ଼ ବ୍ୟବଧାନରେ ପରାସ୍ତ କରିବା ପରେ ଭାରତୀୟ ଦଳର ମନୋବଳ ଉଚ୍ଚା ରହିଛି। ତେଣୁ ଗୁରୁବାର ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରି ଆଗକୁ ବଢ଼ିବାର ଲକ୍ଷ୍ୟ ରଖିଛି ମିତାଲି ରାଜଙ୍କ ନେତୃତ୍ବାଧୀନ ଭାରତ। ପାକିସ୍ତାନ ବିପକ୍ଷ ୧୦୭ ରନ୍ର ବିଜୟରେ ଓପ୍ନର ସ୍ମୃତି ମନ୍ଧାନା, ସ୍ନେହା ରାଣା ଓ ପୂଜା ଭସ୍ତ୍ରକାର ଅର୍ଦ୍ଧଶତକ ଜମାଇଥିଲା ବେଳେ ଦୀପ୍ତି ଶର୍ମା ୪୦ ରନ୍ କରିଥିଲେ। ବୋଲିଂରେ ରାଜେଶ୍ବରୀ ଗାଏକ୍ବାଡଙ୍କ ସାଙ୍ଗକୁ ଝୁଲଣ ଗୋସ୍ବାମୀ ଓ ସ୍ନେହା କମାଲ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳଗତ ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟ ରଖିଛି ଭାରତ। ନ୍ୟୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍ ମଧ୍ୟ ଝୁଲଣଙ୍କ ପାଇଁ ଦୁଇଟି ମାଇଲଖୁଣ୍ଟ ପ୍ରତିଷ୍ଠାର ସୁଯୋଗ ରଖିଛି। ଝୁଲଣ ଆଉ ୨ ୱିକେଟ୍ ନେଲେ ବିଶ୍ବକପ୍ରେ ସର୍ବାଧିକ ୱିକେଟ୍ଦଖଲକାରୀ ବୋଲରର କୀର୍ତ୍ତିମାନ ରଚିବେ। ଏବେ ସେ ୩୮ ୱିକେଟ୍ ହାସଲ କରିସାରିଥିଲା ବେଳେ ଅଷ୍ଟ୍ରେଲିଆର ଲିନ୍ ଫୁଲ୍ଷ୍ଟନ୍ସ (୩୯)ଙ୍କ ନାମରେ ବିଶ୍ବ ବୀର୍ତ୍ତିମାନ ରହିଛି। ସେହିପରି ୧୯୬ ଦିନିକିଆରେ ଝୁଲଣ ୨୪୭ ୱିକେଟ୍ ଦଖଲ କରିସାରିଥିବାରୁ ଆଉ ୩ ୱିକେଟ୍ ନେଲେ ୨୫୦ର ମାଇଲଖୁଣ୍ଟ ଛୁଇଁବେ।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ପ୍ରଥମ ମ୍ୟାଚ୍ରେ ୱେଷ୍ଟ୍ଇଣ୍ଡିଜ୍ଠୁ ହାରି ଯାଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍ରେ ବାଂଲାଦେଶକୁ ପରାସ୍ତ କରି ଲୟକୁ ଫେରିଛି। ଏହି ଦଳ ଘରୋଇ ପରିବେଶରେ ଖେଳୁଥିବାରୁ ଭାରତକୁ ପରାସ୍ତ କରି ଆଗକୁ ବଢ଼ିବାର ଲକ୍ଷ୍ୟରେ ରଖିବ। ଏହି ମ୍ୟାଚ୍ ଭାରତୀୟ ସମୟ ପୂର୍ବାହ୍ନ ୬.୩୦ରୁ ଆରମ୍ଭ ହେବ।