ବିଶ୍ବ ତୀରନ୍ଦାଜି ଯୁବ ପ୍ରତିଯୋଗିତା: ଭାରତକୁ ୩ ସ୍ବର୍ଣ୍ଣ

ରୋକ୍ଲା (ପୋଲାଣ୍ଡ): ଏଠାରେ ଚାଲିଥିବା ବିଶ୍ବ ତୀରନ୍ଦାଜି ଯୁବ ପ୍ରତିଯୋଗିତାରେ ଭାରତ ଶନିବାର ମହିଳା କମ୍ପାଉଣ୍ଡ୍‌ କ୍ୟାଡେଟ୍‌, କମ୍ପାଉଣ୍ଡ କ୍ୟାଡେଟ୍‌ ମିଶ୍ରିତ ଏବଂ ପୁରୁଷ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛି। ଏହା ବ୍ୟତୀତ ଶନିବାର ମଧ୍ୟ ଭାରତକୁ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। କମ୍ପାଉଣ୍ଡ କ୍ୟାଡେଟ୍‌ ମିଶ୍ରିତ ଦଳ ଇଭେଣ୍ଟ ଫାଇନାଲ୍‌ରେ ପ୍ରିୟା ଗୁର୍‌ଜାର ଓ କୌଶଲ ଦଲାଲ ଯୋଡ଼ି ଆମେରିକାକୁ ୧୫୫-୧୫୨ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଥିଲା। ତେବେ ପରେ ପ୍ରିୟା ଶନିବାର ନିଜର ତୃତୀୟ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ରହିଥିଲେ। ମହିଳା କ୍ୟାଡେଟ୍‌ ବ୍ୟକ୍ତିଗତ ଇଭେଣ୍ଟ ଫାଇନାଲ୍‌ରେ ସେ ମେକ୍ସିକୋ ପ୍ରତିଦ୍ବନ୍ଦ୍ବୀଙ୍କ ନିକଟରୁ ୧୩୬-୧୩୯ ପଏଣ୍ଟରେ ହାରିଯାଇ ‌ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ମହିଳା କମ୍ପାଉଣ୍ଡ କ୍ୟାଡେଟ୍‌ରେ ବ୍ରିଟେନ୍‌ ପ୍ରତିଦ୍ବନ୍ଦ୍ବୀଙ୍କୁ ୧୪୦-୧୩୫ରେ ପରାସ୍ତ କରି ପ୍ରଣୀତ କୌର କାଂସ୍ୟ ପଦକ ହାସଲ କରିଥିଲେ।

ସେହିପରି ସାହିଲ ‌େଚୗଧୁରୀ, ମିହିର ନିତିନ ଅପର ଓ କୌଶଲ ଦଲାଲଙ୍କୁ ନେଇ ଗଠିତ ଭାରତୀୟ କମ୍ପାଉଣ୍ଡ କ୍ୟାଡେଟ୍‌ ପୁରୁଷ ଦଳ ଫାଇନାଲ୍‌ରେ ଆମେରିକାକୁ ୨୩୩-୨୩୧ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିନେଇଥିଲା। ଏହା ପୂର୍ବରୁ ଶନିବାର ମହିଳା କମ୍ପାଉଣ୍ଡ୍‌ କ୍ୟାଡେଟ୍‌ର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ଭାରତ ୨୨୮-୨୧୬ ପଏଣ୍ଟ ବ୍ୟବଧାନରେ ତୁର୍କିକୁ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ହାତେଇଛି। ପ୍ରଣୀତ ‌କୌର, ପ୍ରିୟା ଗୁର୍‌ଜାର ଓ ରିଦ୍ଧି ବର୍ଷିନୀଙ୍କୁ ନେଇ ଗଠିତ ଭାରତୀୟ ଦଳ ଆଧିପତ୍ୟଭରା ପ୍ରଦର୍ଶନ ଜରିଆରେ ପ୍ରତିପକ୍ଷ ତୁର୍କିକୁ ପଛରେ ପକାଇ ଦେଇଥିଲେ। ଏହା ପୂର୍ବରୁ ଗତ ୧୦ ତାରିଖରେ ଭାରତର କମ୍ପାଉଣ୍ଡ ବାଳିକା ଓ ମିଶ୍ରିତ ଦଳ (୧୮ ବର୍ଷରୁ କମ୍‌) ଚଳିତ ପ୍ରତିଯୋଗିତାର ଯୋଗ୍ୟତାପର୍ଯ୍ୟାୟରେ ଦୁଇଟି ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ପ୍ରିୟା-ପ୍ରଣୀତ-ରିଧୁ ସେନ୍ଥିଲକୁମାର ମିଳିତ ଭାବେ ୨୦୬୭/୨୧୬୦ ପଏଣ୍ଟ ହାସଲ କରି ମହିଳା ଦଳର ପୂର୍ବ ବିଶ୍ବ କୀତ୍ତିମାନକୁ ୨୨ ପଏଣ୍ଟ ବ୍ୟବଧାନରେ ପଛରେ ପକାଇଦେଇଥିଲେ। ପୂର୍ବ ବିଶ୍ବ କୀର୍ତ୍ତିମାନ (୨୦୪୫/୨୧୬୦) ଆମେରିକା‌ ଦ୍ବାରା ପ୍ରତିଷ୍ଠା ହୋଇଥିଲା।

ସମ୍ବନ୍ଧିତ ଖବର