ବିଶ୍ବ ଦୌଡ଼କୁଦରେ ନୂ୍ଆ ଇତିହାସ: ବୋଲ୍ଟଙ୍କୁ ପଛରେ ପକାଇଲେ ପ୍ରାଇସ୍

ଦୋହା: ଜାମାଇକାର ଚର୍ଚିତ ଧାବିକା ସେଲିଆନ୍ ଫ୍ରେଜର ପ୍ରାଇସ୍ ଦୋହା ବିଶ୍ବ ଦୌଡ଼କୁଦରେ ନୂ୍ଆ ଇତିହାସ ରଚିଛନ୍ତି। ଚତୁର୍ଥ ଥର ପାଇଁ ମହିଳା ୧୦୦ ମିଟର ସ୍ବର୍ଣ୍ଣ ଜିତିବା ସହ ମାତ୍ର ଦେଢ଼ ବର୍ଷ ତଳେ ମା’ ହୋଇଥିବା ପ୍ରାଇସ୍ ଉସେନ ବୋଲ୍ଟଙ୍କ ଭଳି ମହାନ ଧାବକଙ୍କୁ ପଛରେ ପକାଇ ଦେଇଛନ୍ତି। ୧୦୦ ମିଟରରେ ଚାରିଟି ବିଶ୍ବ ଦୌଡ଼କୁଦ ସ୍ବର୍ଣ୍ଣ ଜିତିବାରେ ସେ ମଧ୍ୟ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି। ପ୍ରାଇସ୍ ବି ପୁଣି ଥରେ ବିଶ୍ବର ଦ୍ରୁତତମ ମହିଳା ଧାବିକା ‌ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ବ ଦୌଡ଼କୁଦର ୧୦୦ ମିଟରରେ ବୋଲ୍ଟଙ୍କ ସହ ଆମେରିକାର କାର୍ଲ ଲୁଇସ୍ ଓ ମୋରିସ୍ ଗ୍ରିନ୍ ତିନିଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ଋତୁର ଶ୍ରେଷ୍ଠ ସମୟ ୧୦.୭୧ ସେକେଣ୍ଡ ସହ ରବିବାର ବିଳମ୍ବିତ ରାତିରେ ପ୍ରାଇସ୍ ନିଜ ଚତୁର୍ଥ ୧୦୦ ମିଟର ସ୍ବର୍ଣ୍ଣ କରାୟତ କରି ଏହି ଦୁଇ ମହାନ ତାରକାଙ୍କୁ ଟପି ଯାଇଥିଲେ। ସେ କେବଳ ସ୍ବର୍ଣ୍ଣ ଜିତି ନଥିଲେ, ଜଣେ ମା’ ଭାବେ ସମଗ୍ର ମହିଳା ଜଗତକୁ ଗର୍ବିତ କରିଥିଲେ। ଐତିହାସିକ ବିଜୟ ପରେ ପ୍ରାଇସ୍ ନିଜ ୧୯ ମାସର ପୁଅକୁ ନେଇ ପୋଡିୟମ ଆସି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ବ୍ରିଟେନର ଡିନା ଏସର ସ୍ମିଥ୍ (୧୦.୮୩ ସେକେଣ୍ଡ) ରୌପ୍ୟ ଏବଂ ଆଇଭରି କୋଷ୍ଟର ‌ମେରି ଜୋସ୍ (୧୦.୯୦ ସେକେଣ୍ଡ) କାଂସ୍ୟ ପଦକ ଜିତିଥିଲେ। ୩୨ ବର୍ଷୀୟା ପ୍ରାଇସ୍ ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେପଟେ ଆମେରିକାର ୪ଗୁଣା୪୦୦ ମିଟର ରିଲେ ଦଳର ସଦସ୍ୟା ଏଲିସନ୍ ଫେଲିକ୍ସ ବିଶ୍ବ ଦୌଡ଼କୁଦରେ ୧୨ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଧାବିକା ହୋଇଛନ୍ତି। ସବୁଠାରୁ ଅଧିକ ସ୍ବର୍ଣ୍ଣ ଜିତିବାରେ ସେ ମଧ୍ୟ ବୋଲ୍ଟ (୧୧)ଙ୍କୁ ପଛରେ ପକାଇଥିଲେ। ୩୩ ବର୍ଷୀୟା ଫେଲିକ୍ସ ପୂର୍ବରୁ ୨୦୦ ମିଟରରେ ୩, ୪୦୦ ମିଟରରେ ୧, ୪ଗୁଣା୧୦୦ ରିଲେରେ ୩ ଏବଂ ୪ଗୁଣା ୪୦୦ରେ ଚାରିଟି ସ୍ବର୍ଣ୍ଣ ଜିତିଥିଲେ। ସେପଟେ ଆମେରିକୀୟ ଟ୍ରିପଲ ଜମ୍ପର କ୍ରିଷ୍ଟିଆନ ଟେଲର ଏହି ବର୍ଗରେ ଚତୁର୍ଥ ବିଶ୍ବ ଦୌଡ଼କୁଦ ସ୍ବର୍ଣ୍ଣ ଜିତି ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର