ବିଶ୍ବ ଦୌଡ଼କୁଦ: ବିଶ୍ବ କୀର୍ତ୍ତିମାନ ସହ ଡାଲିଲାଙ୍କୁ ସ୍ବର୍ଣ୍ଣ, ସ୍ବାମୀ-ସ୍ତ୍ରୀ ଜିତିଲେ ରୌପ୍ୟ

ଦୋହା: ଚଳିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ବିଫଳତା ଜାରି ରହିଛି। ‌୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌‌ର ଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଧାବକ ଅବିନାଶ ସାବ୍‌ଲେ ପଦକ ଜିତିବାରେ ବିଫଳ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଜାତୀୟ କୀର୍ତ୍ତିମାନ (୮:୨୫.୨୩) ସହ ଫାଇନାଲ୍‌ ପ୍ରବେଶ କରିଥିଲେ। ଫାଇନାଲ୍‌ରେ ‌େସ ୮:୨୧.୩୭ ସେକେଣ୍ଡ୍‌ ସମୟ ନେଇ ପୂର୍ବ ଜାତୀୟ କୀର୍ତ୍ତିମାନ ଭାଙ୍ଗିଥିଲେ। ହେଲେ ତ୍ରୟୋଦଶ ସ୍ଥାନରେ ରହି ଖାଲି ହାତରେ ଫେରିଥିଲେ। କେନିଆର କନ୍‌ସେସ୍‌ଲସ୍‌ କିପ୍ରୁତୋ (୮:୦୧.୩୫) ସ୍ବର୍ଣ୍ଣ, ଇଥୋପିଆର ଲାମିଚା ଗିର୍ମା (୮:୦୧.୩୬) ରୌପ୍ୟ ଓ ମରକୋର ସୌଫିଆନ୍‌ ଏଲ୍‌ ବକାଲି (୮:୦୩.୭୬) କାଂସ୍ୟ ଜିତିଥିଲେ। ଗୁରୁବାର ଭାରତୀୟ ସଟ୍‌ପୁଟ୍‌ ଫିଙ୍ଗାଳି ତେଜିନ୍ଦର ତୁର ଓ ଧାବକ ଜିନ୍‌ସନ୍‌ ଜନସନ୍‌ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ‌ତେଜିନ୍ଦର ନିଜର ଶ୍ରେଷ୍ଠ ପ୍ରଦର୍ଶନ ୨୦.୪୩ ମିଟର ସଟ୍‌ପୁଟ ଫିଙ୍ଗି ଗ୍ରୁପ୍‌ରେ ଅ‌ଷ୍ଟମ ଓ ମୋଟ ଉପରେ ୩୪ ପ୍ରତିଯୋଗୀଙ୍କ ମଧ୍ୟରେ ଅଷ୍ଟାଦଶ ସ୍ଥାନରେ ରହି ସେମିଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ପୁରୁଷ ୧୫୦୦ ମିଟର ଦୌଡ଼ରେ ଜିନ୍‌ସନ୍‌ ୩:୩୯.୮୬ ସେକେଣ୍ଡ ସମୟ ସହ ନିଜ ହିଟ୍‌ରେ ଦଶମ ଏବଂ ମୋଟ ଉପରେ ୪୩ ପ୍ରତିଯୋଗୀଙ୍କ ମଧ୍ୟରେ ୩୪ତମ ସ୍ଥାନରେ ରହିଥିଲେ।

ବିଶ୍ବ କୀର୍ତ୍ତିମାନ ସହ ଡାଲିଲାଙ୍କୁ ସ୍ବର୍ଣ୍ଣ
ଆମେରିକାର ଦାଲିଲା ମହମ୍ମଦ ମହିଳା ୪୦୦ ମିଟର ବାଧାଦୌଡ଼ରେ ନୂଆ କୀର୍ତ୍ତିମାନ ସହ ବିଶ୍ବ ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ଶୁକ୍ରବାର ଫାଇନାଲ୍‌ ୫୨.୧୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ରହିବା ସହ ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ‌ଅମେରିକାର ସିଡ୍‌ନି ମ୍ୟାକ୍‌ଲାଫ୍‌ଲିନ୍‌ (୫୨.୨୩) ରୌପ୍ୟ ଓ ଜ‌ାମାଇକାର ରସେଲ କ୍ଲେଟନ୍‌ (୫୩.୭୪) କାଂସ୍ୟ ଜିତିଥିଲେ। ଗୁରୁବାର ୪୦୦ ମିଟର ଦୌଡ଼ରେ ବାହାରିନର ସାଲୱ‌‌ା ଇଦ୍‌ ନାସିର (୪୮.୧୪ ସେକେଣ୍ଡ୍‌) ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ପଦକ ଜିତିବାରେ ନାସିର ପ୍ରଥମ ଏସୀୟ ଏବଂ ବିଶ୍ବର ତୃତୀୟ ଦ୍ରୁତତମ ଧାବିକା ହୋଇଛନ୍ତି। ବାହାମିଆନ୍‌ର‌ ସୌନାଇ ମିଲର-ଉଇବୋ ରୌପ୍ୟ ଓ ଜାମାଇକାର ସେରିକା ଜ୍ୟାକ୍‌ସନ୍‌ କାଂସ୍ୟ ପଦକ ଜିତିଥିଲେ। ଡେକାଥଲନ୍‌ରେ ଜର୍ମାନିର ନିକଲାସ କୌଲ ‌ସ୍ବର୍ଣ୍ଣ, ଇସ୍ତୋନିଆର ମାଇସେଲ ଉଇବୋ ରୌପ୍ୟ ଏବଂ କାନାଡ଼ାର ଡାମିଏନ୍‌ ୱାର୍ନର କାଂସ୍ୟ ଜିତିଥିଲେ। ହେପ୍ଟାଥଲନ୍‌ରେ ବ୍ରିଟେନ୍‌ର କାଟାରିନା ଜନ୍‌ସନ୍‌-ଥମ୍ପସନ୍‌ ଦ୍ବିତୀୟ ସ୍ବର୍ଣ୍ଣ, ବେଲ୍‌ଜିୟମ୍‌ର ନାଫିସାତୋଉ ଥିଆମ୍‌ ‌‌ରୌପ୍ୟ ଓ ଅ‌ଷ୍ଟ୍ରିଆର ଭେରିନା ପ୍ରିନର କାଂସ୍ୟ ପଦକ ଜିତିଥିଲେ। ସଟ୍‌ପୁଟ୍‌ରେ ଚୀନ୍‌ର ଗଙ୍ଗ ଲିଜିଆଓ ସ୍ବର୍ଣ୍ଣ, ଜାମାଇକାର ଡାନିଏଲ୍‌ ଥୋମାସ-ଡଡ୍‌ ରୌପ୍ୟ ଓ ଜର୍ମାନିର କ୍ରିସ୍ତିନା ଶ୍ଚୱାନିଜ କାଂସ୍ୟ ଜିତିଥିଲେ।

ସ୍ବାମୀ-ସ୍ତ୍ରୀ ଜିତିଲେ ରୌପ୍ୟ
ଇସ୍ତୋନିଆର ଡେକାଥଲନ୍‌ ତାରକା ମାଇସେଲ ଉଇବୋ ଓ ତାଙ୍କ ପତ୍ନୀ ବାହାମିଆନ୍‌ ଧାବିକା ସୌନାଇ ମିଲର-ଉଇବୋ ଚଳିତ ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ବିରଳ ସଂଯୋଗ କରିଛନ୍ତି। ଉଭୟେ ଏକା ସମୟରେ ପଦକ ଜିତିଥିଲେ। ମିଲର-ଉଇବୋ ୨୦୧୬ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଗୁରୁବାର ଦୋହାରେ ୪୦୦ ମିଟର ଦୌଡ଼ରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ସେହି ଗୁରୁବାର ଡେକାଥଲନର ୧୫୦୦ ମିଟର ଦୌଡ଼ରେ ମାଇସେଲ ଉଇବୋ ତୃତୀୟ ସ୍ଥାନରେ ରହିଥିଲେ। ହେଲେ ମୋଟ ଉପରେ ଦ୍ବିତୀୟରେ ରହି ରୌପ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର