ଇଉଜେନି (ଓରେଗନ୍): ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ଅନୁ ରାଣୀ ଏଠାରେ ଚାଲିଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଫାଇନାଲ୍ସରେ ପହଞ୍ଚି ଯାଇଛନ୍ତି। ଗୁରୁବାର ନିଜର ଶେଷ ପ୍ରୟାସରେ ୫୯.୬୦ ମିଟରକୁ ଜାଭ୍ଲିନ୍ ଫିଙ୍ଗି ଅନୁ ଫାଇନାଲ୍ସକୁ ଯୋଗ୍ୟତା ହାସଲ କରିଥିଲେ। ଏଥି ସହିତ ବିଶ୍ବ ଦୌଡ଼କୁଦରେ ତୃତୀୟ ଥର ଅଂଶଗ୍ରହଣ କରିଥିବା ଅନୁ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ୍ସ ଯୋଗ୍ୟତା ହାତେଇଛନ୍ତି। ଅନୁଙ୍କ ପ୍ରଥମ ପ୍ରୟାସ ଥ୍ରୋ ଫାଉଲ ଥିଲା ବେଳେ ଦ୍ବିତୀୟ ପ୍ରୟାସରେ ୫୫.୩୫ ମିଟର ଫିଙ୍ଗିଥିଲେ। ତେବେ ତୃତୀୟ ପ୍ରୟାସରେ ଉନ୍ନତ ପ୍ରଦର୍ଶନ କରି ୫୯.୬୦ ମିଟର ଦୂରକୁ ଫିଙ୍ଗିଥିଲେ। ଏହା ତାଙ୍କର ଋତୁ ଶ୍ରେଷ୍ଠ ପ୍ରଦର୍ଶନଠୁ କମ୍ ଥିଲେ ମଧ୍ୟ ଏଠାରେ ଫାଇନାଲ୍ସକୁ ଯୋଗ୍ୟତା ହାସଲ ପାଇଁ ଯଥେଷ୍ଟ ହୋଇଥିଲା। ଏହି ଜାତୀୟ କୀର୍ତ୍ତିମାନଧାରୀ ୬୦ ମିଟର ମାନଦଣ୍ଡ ଛୁଇଁବାରେ ବିଫଳ ହୋଇଥିଲେ ମଧ୍ୟ ଗ୍ରୁପ୍-ବି କ୍ବାଲିଫିକେସନ ରାଉଣ୍ଡରେ ପଞ୍ଚମ ସ୍ଥାନ ସହ ଉଭୟ ଗ୍ରୁପ୍ରୁ ଅଷ୍ଟମ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଫାଇନାଲ୍ସକୁ ଉଠିଥିଲେ। ଏହି ଇଭେଣ୍ଟ୍ର ଫାଇନାଲ୍ସ ଶନିବାର ଭାରତୀୟ ସମୟ ପୂର୍ବାହ୍ଣ ୬.୫୦ ମିନିଟ୍ରେ ଅନୁଷ୍ଠିତ ହେବ। ଫାଇନାଲ୍ସକୁ ଯୋଗ୍ୟତା ହାସଲ କରିଥିବା ୧୨ ପ୍ରତିଯୋଗୀଙ୍କ ମଧ୍ୟରୁ ମାତ୍ର ୩ ଜଣ ସିଧାସଳଖ ଯୋଗ୍ୟତା ମାନଦଣ୍ଡ ୬୨.୫୦ ମିଟର ଜାଭେଲିନ୍ ଫିଙ୍ଗିଥିଲେ।
ଏଠାରେ ସୂଚନାଯୋଗ୍ୟ, ଅନୁଙ୍କର ଋତୁ ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୬୩.୮୨ ମିଟର ରହିଛି। ଜାମ୍ସେଦ୍ପୁରଠାରେ ଗତ ମେ’ ମାସରେ ଆୟୋଜିତ ଇଣ୍ଡିଆନ୍ ଓପନ୍ ଜାଭ୍ଲିନ ଥ୍ରୋ’ ପ୍ରତିଯୋଗିତାରେ ସେ ଏହି ଦୂରତ୍ବକୁ ଫିଙ୍ଗି ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିବା ସାଙ୍ଗକୁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ମଧ୍ୟ ଗତ ୨୦୨୧ ଦୋହା ସଂସ୍କରଣରେ ୬୧.୧୨ ମିଟର ଦୂରକୁ ଫିଙ୍ଗି ଫାଇନାଲ୍ସରେ ଅଷ୍ଟମ ସ୍ଥାନ ପାଇଥିଲେ। କିନ୍ତୁ ଏହା ପୂର୍ବରୁ ୨୦୧୭ ଲଣ୍ଡନ ସଂସ୍କରଣରେ କ୍ବାଲିଫିକେସନ୍ ରାଉଣ୍ଡରେ ଦଶମ ସ୍ଥାନ ପାଇ ଫାଇନାଲ୍ସକୁ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ।
ଅନ୍ୟପକ୍ଷରେ ଚଳିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ୫୦୦୦ ମିଟର ରେସ୍ରେ ଭାଗ ନେଇଥିବା ଭାରତୀୟ ତାରକା ପରୁଲ ଚୌଧୁରୀ ସେମିଫାଇନାଲ୍କୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ। ସେ ଦୁଇ ନମ୍ବର ହିଟ୍ରେ ୧୭ତମ ସ୍ଥାନ ଏବଂ ମୋଟ ଉପରେ ୩୧ତମ ସ୍ଥାନ ପାଇଥିଲେ। ତାଙ୍କ ଟାଇମିଂ ଥିଲା ୧୫:୫୪.୦୩ ସେକେଣ୍ଡ। କିନ୍ତୁ ୧୫:୩୯.୭୭ ତାଙ୍କର ଋତୁ ଶ୍ରେଷ୍ଠ ଏବଂ ୧୫:୩୬.୦୩ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲାବେଳେ ଏଠାରେ ତା’ଠୁ ତଳେ ରହିଯାଇଥିଲେ।
ଅନ୍ୟପକ୍ଷରେ ପଦକ ଆଶାୟୀ ଅଲିମ୍ପିକ୍ ବିଜେତା ଭାରତୀୟ ତାରକା ନୀରଜ ଚୋପ୍ରା ଆସନ୍ତାକାଲି ସକାଳେ (ଭାରତୀୟ ସମୟ ପୂର୍ବାହ୍ଣ ୫.୩୫) ଗ୍ରୁପ୍-ଏ କ୍ବାଲିଫିକସେନ୍ ରାଉଣ୍ଡ ଜରିଆରେ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇବେ।