ଟୋକିଓ: ବିଜେତା ନୀରଜ ଚୋପ୍ରା ଚଳିତ ବିଶ୍ବ ପ୍ରତିଯୋଗିତାର ପୁରୁଷ ଜାଭ୍ଲିନ୍ ଥ୍ରୋ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୁଧବାର ନିଜର ପ୍ରଥମ ଥ୍ରୋରେ ସେ ଯୋଗ୍ୟତା ମାନଦଣ୍ଡ ୮୪.୫୦ ମିଟରକୁ ପାର୍ କରିଥିଲେ। ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ଏହି ୨୭ ବର୍ଷୀୟ ଭାରତୀୟ ତାରକା ଗ୍ରୁପ୍-ଏ ଯୋଗ୍ୟତା ରାଉଣ୍ଡରେ ନିଜର ପ୍ରଥମ ଥ୍ରୋ ୮୪.୮୫ ମିଟର ଫିଙ୍ଗିଥିଲେ। ଯାହା ତାଙ୍କୁ ସିଧାସଳଖ ଫାଇନାଲ୍ରେ ପହଞ୍ଚାଇ ଦେଇଥିଲା। ୮୪.୫୦ ମିଟର ଥ୍ରୋ କିମ୍ବା ଶ୍ରେଷ୍ଠ ୧୨ ଜଣ ଫାଇନାଲ୍ରେ ପହଞ୍ଚିବାର ନିୟମ ରହିଛି। ତାଙ୍କ ସହ ଆଉ ଜଣେ ଭାରତୀୟ ସଚିନ ଯାଦବ ୮୩.୬୭ ମିଟର ଜାଭ୍ଲିନ୍ ଫିଙ୍ଗି ଦଶମ ସ୍ଥାନ ସହ ଶ୍ରେଷ୍ଠ ୧୨ ମଧ୍ୟରେ ରହି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଅନ୍ୟ ଦୁଇ ଭାରତୀୟ ରୋହିତ ଯାଦବ (୭୭.୮୧ ମିଟର) ଓ ୟଶ୍ ବୀର (୭୭.୫୧ ମିଟର) ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଗୁରୁବାର ଫାଇନାଲ୍କୁ ନୀରଜ ଓ ସଚିନଙ୍କ ବାଦ୍ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ (୮୯.୫୩), ଜର୍ମାନୀର ଜୁଲିଆନ୍ ୱେବର (୮୭.୨୧), କେନିୟାର ଜୁଲିୟସ୍ ୟେଗୋ (୮୫.୯୬), ପୋଲାଣ୍ଡର ଦାୱିଦ ୱେଗନର (୮୫.୬୭), ପାକିସ୍ତାନର ଅର୍ଶଦ ନଦୀମ (୮୫.୨୮), ଆମେରିକାର କର୍ଟିସ ଥମ୍ପସନ୍ (୮୪.୭୨), ଚେକ୍ ରିପବ୍ଲିକ୍ର ଜାକୁବ ଭାଡ୍ଲେଚ୍ (୮୪.୧୧), ତ୍ରିନିଦାଦ ଓ ଟୋବାଗୋର କେଶୋର୍ଣ୍ଣ ୱାଲକଟ୍ (୮୩.୯୩), ଅଷ୍ଟ୍ରେଲିଆର କାମେରନ ମ୍ୟାକ୍ଏଣ୍ଟ୍ରି (୮୩.୦୩) ଏବଂ ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପଥିରାଗେ (୮୨.୮୦) ଯୋଗ୍ୟତା ଅର୍ଜନ କରିଛନ୍ତି।
ପ୍ରଥମ ଭାରତୀୟ ସ୍ପ୍ରିଣ୍ଟର ଭାବେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିବା ଅନିମେଷ କୁଜୁର ନିରାଶ ହୋଇଛନ୍ତି। ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଏହି ଛତିଶଗଡ଼ ଧାବକ ନିଜ ଜାତୀୟ ରେକର୍ଡ ସମୟ (୨୦.୩୨) ସଫଳତା ଦେଇ ନପାରି ସେମିଫାଇନାଲ୍ ପୂର୍ବରୁ ବିଦାୟ ନେଇଛନ୍ତି। ବୁଧବାର ଅନିମେଷ ୨୦.୭୭ ସେକେଣ୍ଡ ସମୟ ସହ ନିଜ ୨୦୦ ମିଟର ହିଟ୍ରେ ୯ଜଣଙ୍କ ମଧ୍ୟରେ ସବା ଶେଷ ସ୍ଥାନରେ ରହିଥିଲେ। ପୁରୁଷ ଟ୍ରିପଲ୍ ଜମ୍ପ୍ ଫାଇନାଲ୍ରେ ଦୁଇ ଭାରତୀୟ ପ୍ରବୀଣ ଚିତ୍ରାଭେଲ ଓ ଅବଦୁଲ୍ଲା ଆବୁବାକର ପହଞ୍ଚିବାରେ ବିଫଳ ହୋଇଛନ୍ତି। ଗ୍ରୁପ୍-‘ଏ’ରେ ଆବୁବାକର (୧୬.୩୩ ମିଟର) ଦଶମ ସ୍ଥାନରେ ରହିଥିଲେ। ସେହିପରି ଗ୍ରୁପ୍-‘ବି’ରେ ପ୍ରବୀଣ (୧୬.୭୪ ମିଟର) ଅଷ୍ଟମ ସ୍ଥାନ ଅଧିକାର କରିଥିଲେ। ଉଭୟ ଫାଇନାଲ୍ ଲାଗି ରହିଥିବା ଯୋଗ୍ୟତା ମାନଦଣ୍ଡ ୧୭.୧୦ ମିଟର କିମ୍ବା ମୋଟ ଉପରେ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ନରହି ବାଦ୍ ପଡ଼ିଛନ୍ତି।