ୟୁଜିନ: ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିବା ପରେ ନୀରଜଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି। ବ୍ୟକ୍ତିଗତ ଭାବେ ମଧ୍ୟ ସେ ବେଶ୍ ଖୁସି ଅଛନ୍ତି। ପାଖାପାଖି ଦୁଇ ଦଶନ୍ଧି ପରେ ବିଶ୍ବ ଦୌଡ଼କୁଦ ପୋଡ଼ିୟମରେ ଛିଡ଼ା ହେବାର ଗୌରବମୟ କ୍ଷଣକୁ ମନଭରି ଉପଯୋଗ କରିବା ପରେ ସେ କହିଛନ୍ତି ଯେ ଏଠାକାର ପାଗ ଓ ପରିବେଶ ବେଶ୍ ଆହ୍ବାନଭରା ଥିଲା। ସମ୍ମୁଖଭାଗରୁ ଖୁବଜୋର୍ରେ ପବନ ବହୁଥିଲା। ଉଭୟ ପ୍ରତିଦ୍ବନ୍ଦ୍ବୀ ଏବଂ ପ୍ରତିଦ୍ବନ୍ଦ୍ବିତାର ସ୍ତର ବେଶ୍ ଉଚ୍ଚକୋଟୀର ଥିଲା। ତଥାପି ମୋ ପ୍ରଦର୍ଶନ ନେଇ ବେଶ୍ ଖୁସି ଅଛି। ୨୦୨୩ ମସିହାରେ ଆୟୋଜିତ ହେବାକୁ ଯାଉଥିବା ପରବର୍ତ୍ତୀ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ପଦକର ରଙ୍ଗ ବଦଳାଇବାକୁ (ରୁପାରୁ ସୁନା) ନିଶ୍ଚିତ ଚେଷ୍ଟା କରିବି। ରବିବାର ମୋର ପ୍ରଥମ ତିନିଟି ଥ୍ରୋ’ ଆଶାନୁରୂପ ହୋଇନଥିଲା। ତେବେ ମୁଁ ଜାଣିଥିଲି ଯେ ପରବର୍ତ୍ତୀ କିଛି ଥ୍ରୋ’ରେ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିବି। ୧୯ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ବିଶ୍ବ ଦୌଡ଼କୁଦରେ ପଦକ ଜିତିଥିବାରୁ ନିଜ ଉପରେ ଗର୍ବ ଆସୁଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଦେଶକୁ ଗର୍ବିତ କରିବାକୁ ମୁଁ ଆପ୍ରାଣ ଉଦ୍ୟମ କରିବି।
/sambad/media/post_attachments/wp-content/uploads/2022/07/ggdjdgjgdjdgjdg.jpg)
ଟ୍ରିପଲ୍ ଜମ୍ପରେ ଏଲଡୋସ୍ ନବମ, ରିଲେ ଦଳ ଦ୍ବାଦଶ
ୟୁଜିନ (ଆମେରିକା): ଭାରତୀୟ କ୍ରୀଡ଼ା ପାଇଁ ଐତିହାସିକ ଦିବସରେ ନୀରଜ ଚୋପ୍ରାଙ୍କ ଛଡ଼ା ଅନ୍ୟ ଭାରତୀୟମାନେ କିନ୍ତୁ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ନିରାଶ କରିଥିଲେ। ଜାତୀୟ କୀର୍ତ୍ତିମାନଧାରୀ ଏଲଡୋସ୍ ପଲ୍ ପୁରୁଷ ଟ୍ରିପଲ ଜମ୍ପରେ ନବମ ସ୍ଥାନରେ ରହିଥିଲେ। ୨୫ ବର୍ଷୀୟ ଏଲଡୋସ୍ ନିଜ ତିନିଟି ପ୍ରୟାସରେ ଯଥାକ୍ରମେ ୧୬.୩୭ ମିଟର, ୧୬.୭୯ ମିଟର ଓ ୧୩.୮୬ ମିଟର ଦୂରତାକୁ ଡେଇଁଥିଲେ। ତେବେ ତାଙ୍କ ଶ୍ରେଷ୍ଠ ଦୂରତା ବି ଅଲଡୋସ୍ଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ପାରିନଥିଲା। କାରଣ କେବଳ ଶ୍ରେଷ୍ଠ ୮ ଜଣ ପ୍ରତିଯୋଗୀଙ୍କୁ ହିଁ ଆଉ ତିନି ଥର ଡେଇଁବାର ସୁଯୋଗ ମିଳିଥାଏ। ପର୍ତ୍ତୁଗାଲର ପେଡ୍ରୋ ପିଚାର୍ଡ (୧୭.୯୫ ମିଟର) ଏହି ଇଭେଣ୍ଟ୍ରେ ସ୍ବର୍ଣ୍ଣ, ବୁର୍କିନା ଫାସୋ’ର ହ୍ୟୁଗ୍ସ ଫାବ୍ରିସ୍ ରୌପ୍ୟ ଏବଂ ଚୀନର ଝୁ ୟାମିଂ କାଂସ୍ୟ ପଦକ ପାଇଥିଲେ। ସେପଟେ ୪ ଗୁଣା ୪୦୦ ମିଟର ରିଲେ ଦୌଡ଼ରେ ମଧ୍ୟ ଭାରତୀୟ ଦଳ ନିରାଶ କରିଥିଲା। ମହମ୍ମଦ ଆନସ ୟାହିୟା, ମହମ୍ମଦ ଆଜମଲ ଭାରିୟାଥୋଡି, ନାଗନାଥନ ପଣ୍ଡି ଓ ରାଜେଶ ରମେଶଙ୍କୁ ନେଇ ଗଠିତ ଭାରତୀୟ ଦଳ ୩ ମିନିଟ୍ ୭.୨୯ ସେକେଣ୍ଡ ନେଇ ନିଜ ଗ୍ରୁପ୍ର ଷଷ୍ଠ ଏବଂ ମୋଟ ଉପରେ ଦ୍ବାଦଶ ସ୍ଥାନରେ ରହିଥିଲେ। ଫଳରେ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲେ।
ଆମେରିକାକୁ ସ୍ତବ୍ଧ କଲା କାନାଡା
ପୁରୁଷ ୪ ଗୁଣା ୧୦୦ ମିଟର ରିଲେ’ରେ ଗତଥର ବିଜେତା ଆମେରିକାକୁ କାନାଡା ସ୍ତବ୍ଧ କରିଛି। ଆଣ୍ଡ୍ରେ ଡି ଗ୍ରାସ୍, ଆରୋନ ବ୍ରାଉନ୍, ଜେରମ ବ୍ଲେକ୍ ଓ ବ୍ରେଣ୍ଡନ୍ ରଡ୍ନୀଙ୍କୁ ନେଇ ଗଠିତ କାନାଡା ଦଳ ଆମେରିକୀୟ ଦଳକୁ ପଛରେ ପକାଇଥିଲା। ପ୍ରଥମ ତିନିଜଣଙ୍କ ପରେ ଆମେରିକୀୟ ଦଳ ଆଗୁଆ ରହିଥିଲା। ତେବେ ଶେଷ ଲେଗ୍ରେ କାନାଡା ଆଗୁଆ ହୋଇ ସ୍ବର୍ଣ୍ଣିମ ସଫଳତା ପାଇଥିଲା। ଗ୍ରେଟ୍ ବ୍ରିଟେନ୍ ଏହି ବର୍ଗର କାଂସ୍ୟ ପଦକ ହାସଲ କରିନେଇଥିଲା। ଅନ୍ୟପକ୍ଷରେ ୪ ଗୁଣା ୧୦୦ ମିଟର ମହିଳା ରିଲେ’ରେ ସେରିକା ଜ୍ୟାକସନ୍, ସେଲି-ଆନ୍-ଫ୍ରେଜର-ପ୍ରାଇସ୍, ଏଲନି ଥମ୍ପସନ୍ ହେରାଥ ଓ କେମ୍ବା ନେଲସନଙ୍କୁ ନେଇ ଗଠିତ ତାରକା ଖଚିତ ଜାମାଇକା ଦଳକୁ ପରାସ୍ତ କରି ଆମେରିକାର ମେଲିସା ଜେଫରସନ୍-ଆବି ଷ୍ଟେନର-ଜେନା ପ୍ରନ୍ଦିନୀ ଓ ତନିଷା ଟେରି ସ୍ବର୍ଣ୍ଣ ପଦକ କରାୟତ୍ତ କରିନେଇଥିଲେ। କେନିଆର ଅଲିମ୍ପିକ୍ସ ବିଜେତା ଏମାନୁଏଲ କୋରିର ପୁରୁଷ ୮୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ଇଥିଓପିଆର ଗୁଦାଫ ସେଗାଏ ମହିଳା ୫,୦୦୦ ମିଟରର ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/niraj-chopra.jpg)