ଓରେଗନ: ଆମେରିକାରେ ୧୦ ଦିନ ଧରି ଆୟୋଜିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଯାଇଛି। ଆମେରିକା ୩୩ (୧୩ ସ୍ବର୍ଣ୍ଣ, ୯ ରୌପ୍ୟ, ୧୧ କାଂସ୍ୟ) ପଦକ ସହ ତାଲିକାର ଶୀର୍ଷରେ ରହିଥିଲା। ଇଥିଓପିଆ ୪ ସ୍ବର୍ଣ୍ଣ ସହ ମୋଟ ୧୦ ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଜାମାଇକା ୨ ସ୍ବର୍ଣ୍ଣ ସହ ୧୦ ପଦକ ଜିତି ତୃତୀୟରେ ଅଭିଯାନ ଶେଷ କରିଛି। ଭାରତ ଗୋଟିଏ ରୌପ୍ୟ ସହ ୩୩ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଯାହା ବିଶ୍ବ ଦୌଡ଼କୁଦ ଇତିହାସରେ ଭାରତର ଶ୍ରେଷ୍ଠ ସଫଳତା। ଏହି ସଂସ୍କରଣରେ ଭାରତୀୟ ଖେଳାଳି ଗୋଟିଏ ରୌପ୍ୟ ସହ ୫ ଜଣ ଫାଇନାଲ୍ରେ ପହଞ୍ଚିଥିଲେ। ଜାଭ୍ଲିନ୍ରେ ନୀରଜ ଚୋପ୍ରା ଦେଶ ପାଇଁ ଏକମାତ୍ର ପଦକ ଜିତିଥିଲେ। ଫାଇନାଲ୍ରେ ପହଞ୍ଚିଥିଲେ ମୁରଲୀ ଶ୍ରୀଶଙ୍କର (ଲମ୍ବ ଡିଆଁ, ସପ୍ତମ), ଅନୁ ରାଣୀ (ମହିଳା ଜାଭଲିନ୍, ସପ୍ତମ), ରୋହିତ ଯାଦବ (ଜାଭଲିନ୍, ଦ୍ବାଦଶ) ଓ ଏଲ୍ଦୋଶ ପଲ (ଟ୍ରିପଲ୍ ଜମ୍ପ୍, ଦ୍ବାଦଶ)।
୪ ଗୁଣା ୪୦୦ ମିଟର ରିଲେରେ ଆମେରିକାର ଉଭୟ ପୁରୁଷ ଓ ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ରବିବାର ଫାଇନାଲ୍ରେ ବ୍ରାଇସ ଡିଡ୍ମନ, ମାଇକେଲ ନର୍ମାନ, ଲିଜା ଗଡୱିନ ଓ ଚାମ୍ପିଅନ୍ ଆଲିସନ୍ଙ୍କୁ ନେଇ ଗଠିତ ଆରେମିକୀୟ ପୁରୁଷ ଦଳ ୨ ମିନିଟ୍ ୫୬.୧୭ ସେକେଣ୍ଡ ସମୟ ନେଇ ଏହି ପଦକ ଜିତିଥିଲେ। ଗତ ୯ ବିଶ୍ବ ପ୍ରତିଯୋଗିତାରେ ଆମେରିକାର ଏହା ଅଷ୍ଟମ ସ୍ବର୍ଣ୍ଣ। ଜାମାଇକାକୁ ରୌପ୍ୟ ଓ ବେଲ୍ଜିୟମ କାଂସ୍ୟ ଜିତିଥିଲେ। ତଲିଥା ଡିଗ୍ସ, ଆବି ଷ୍ଟେଇନର, ବ୍ରିଟନ ୱିଲସନ ଓ ସିଡ୍ନି ମ୍ୟାକ୍ଲଲିନ୍ଙ୍କୁ ନେଇ ଗଠିତ ଆମେରିକା ମହିଳା ଦଳ ୩:୧୭.୭୯ ସେକେଣ୍ଡ ସହ ସ୍ବର୍ଣ୍ଣ ଜିତିଥିଲେ। ଜାମାଇକା ଦ୍ବିତୀୟ ଓ ବ୍ରିଟେନ୍ ତୃତୀୟରେ ରହିଥିଲା। ସ୍ବିଡେନ୍ର ଅର୍ମାଣ୍ଡ ଡୁପ୍ଲାଣ୍ଟିସ ରବିବାର ନିଜ ନାମରେ ଥିବା ପୋଲ୍ ଭୋଲ୍ଟ ବିଶ୍ବ କୀର୍ତ୍ତିମାନ ଭାଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୬.୨୧ ମିଟର ଡେଇଁ ଏହି କୀର୍ତ୍ତିମାନ କରିଥିଲେ। ଚଳିତ ବର୍ଷ ବେଲ୍ଗ୍ରେଡ୍ରେ ଆୟୋଜିତ ବିଶ୍ବ ଇନ୍ଡୋର ପ୍ରତିଯୋଗିତାରେ ସେ ୬.୨୦ ମିଟର ଡେଇଁ ବିଶ୍ବ କୀର୍ତ୍ତିମାନ କରିଥିଲେ। ଏହାକୁ ଏଠାରେ ଭାଙ୍ଗିଥିଲେ। ତେବେ ଅଲିମ୍ପିକ୍ ବିଜେତାଙ୍କ ଏହା ପ୍ରଥମ ବିଶ୍ବ ପ୍ରତିଯୋଗିତା ସ୍ବର୍ଣ୍ଣ। ଆମେରିକାର କ୍ରିସ୍ ନିଲସେନ (୫.୯୪) ରୌପ୍ୟ ଏବଂ ଫିଲିପାଇନ୍ସର ଏର୍ନଷ୍ଟ ଜନ୍ ଓବିନା କାଂସ୍ୟ ପାଇଥିଲେ।