ନାନ୍ଜିଙ୍ଗ୍(ଚୀନ୍): ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପ୍ର ମହିଳା ଏକକରେ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପି.ଭି. ସିନ୍ଧୁଙ୍କୁ ହରାଇ ସ୍ପେନ୍ର ଅଲିମ୍ପିକ୍ ବିଜୟିନୀ କାରୋଲିନା ମାରିନ୍ ଚାମ୍ପିଅନ୍ ହୋଇଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରବିବାର ପି.ଭି. ସିନ୍ଧୁ ୨୧-୧୯,୨୧-୧୦ରେ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥି ସହିତ ସିନ୍ଧୁ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପ୍ରେ ତୃତୀୟ ରୌପ୍ୟ ପଦକ ହାସଲ କରିଛନ୍ତି।
ବିଶ୍ୱ ମାନ୍ୟତାର ତୃତୀୟରେ ଥିବା ସିନ୍ଧୁ ଶନିବାର ମହିଳା ଏକକ ସେମିଫାଇନାଲ୍ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଜାପାନୀ ତାରକା ଅକାନେ ୟାମାଗୁଚିଙ୍କୁ ୨୧-୧୬ ଓ ୨୪-୨୨ରେ ପରାସ୍ତ କରିଛନ୍ତି। ପରସ୍ପର ୧୦ ଥର ମୁହାଁମୁହିଁ ହୋଇଥିଲା ବେଳେ ୟାମାଗୁଚିଙ୍କ ବିପକ୍ଷରେ ସିନ୍ଧୁ ଷଷ୍ଠ ବିଜୟ ହାସଲ କରିଛନ୍ତି। ଚଳିତ ବର୍ଷ ମଧ୍ୟ ଦୁଇଥରଯାକ ମୁହାଁମୁହିଁରେ ସିନ୍ଧୁ ବିଜୟୀ ହୋଇଥିଲେ।
ସିନ୍ଧୁ କ୍ରମାଗତ ଭାବେ ୨ୟ ଥର ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପ୍ରେ ପ୍ରବେଶ କରିଥିଲେ। ସେ ଗତ ଥର ଫାଇନାଲ୍ରେ ଜାପାନର ନାମୋଜୀ ଓକୁହାରାଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଥିଲେ। ଗତଥର ପରାଜୟକୁ ସିନ୍ଧୁ ଭୁଲି ନଥିଲେ। ସେ ଏଥର କ୍ୱାର୍ଟର ଫାଇନାଲରେ ଓକୁହାରାଙ୍କୁ ପରାସ୍ତ କରିଥିଲେ।