ବିଶ୍ବ ବ୍ୟାଡ୍‌ମିଣ୍ଟନ: କଷ୍ଟକର ଡ୍ର‌’ରେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଫେରିଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ ଏବେ ଚଳିତ ଅଗଷ୍ଟ ୨୨ରୁ ୨୮ ପର୍ଯ୍ୟନ୍ତ ଟୋକିଓରେ ଆୟୋଜିତ ହେବାକୁ ଥିବା ବିଡବ୍ଲୁଏଫ୍‌ ବିଶ୍ବ ପ୍ରତିଯୋଗିତାରେ ଅଧିକ ପଦକ ଅଶାରେ ରହିଛନ୍ତି। ‌ହେଲେ ବୁଧବାର ପ୍ରକାଶିତ ଏହାର ଡ୍ର’ରେ ଭାରତୀୟ ଖେଳାଳି କଷ୍ଟକର ଗ୍ରୁପ୍‌ରେ ରହିଛନ୍ତି। ୨୦୧୯ ବି‌ଜୟିନୀ ବିଶ୍ବର ୭ ନମ୍ବର ଖେଳାଳି ପିଭି ସିନ୍ଧୁ ପ୍ରଥମ ରାଉଣ୍ଡ ବାଇ ପାଇଛନ୍ତି। ହେଲେ ଦ୍ବିତୀୟ ଓ ତୃତୀୟ ରାଉଣ୍ଡରେ ସେ ଚୀନ୍‌ର ହାଁ ୟୁ ଓ ୱାଙ୍ଗ ଝଇ ୟିଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହାପରେ ତାଙ୍କର ଭେଟ ଦକ୍ଷିଣ କୋରିଆର ଆନ୍‌ ସି ୟଙ୍ଗଙ୍କ ସହ ହୋଇପାରେ। ଯଦି ଏହି ବାଧା ସିନ୍ଧୁ ଅତିକ୍ରମ କରନ୍ତି ତେବେ ସେ ଷଷ୍ଠ ବିଶ୍ବ ପ୍ରତିଯୋଗିତା ପଦକ କରାୟତ୍ତ କରିନେବାର ସମ୍ଭାବନା ରହିବ। ପୂର୍ବତନ ଏକ ନମ୍ବର ସାଇନା ନେହୱାଲ୍‌ ପ୍ରଥମ ରାଉଣ୍ଡରେ ହଂକଂର ଚିଉଙ୍ଗ ଏନଗାନ ୟିଙ୍କୁ ଭେଟିବେ। ଏହା ପରେ ତାଙ୍କ ଭେଟ ଷଷ୍ଠ ମାନ୍ୟତାପ୍ରାପ୍ତ ଜାପାନର ନାଓମି ଓକୁହାରାଙ୍କ ସହ ହୋଇପାରେ। ଅନ୍ୟ ଭାରତୀୟ ଝିଅ ମାଳବିକା ବନ୍‌ସୁଦ ଡେନ୍‌ମାର୍କର ଲିନ୍‌ ଖ୍ରି‌ଷ୍ଟୋଫରସେନ୍‌ଙ୍କ ବିପକ୍ଷରୁ ଅଭିଯାନ ଆରମ୍ଭ କରିବେ।

ପୁରୁଷ ଏକକ ବର୍ଗରେ ୪ ଜଣ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍‌, କିଦାମ୍ବି ଶ୍ରୀକାନ୍ତ, ଏଚ୍‌ଏସ୍‌ ପ୍ରଣୟ ଓ ବି ସାଇ ପ୍ରଣୀତଙ୍କୁ ଦେଖିବାକୁ ମିଳିବ। ୨୦୨୧ କାଂସ୍ୟ ବିଜେତା ଲକ୍ଷ୍ୟ ପ୍ରଥମ ରାଉଣ୍ଡରେ ଡେନ୍‌ମାର୍କର ହାଁସ୍‌-କ୍ରିଷ୍ଟିଆନ୍‌ ସୋଲବର୍ଗ ଭିଟିଂଘୁସଙ୍କୁ ଏବଂ ପ୍ରଣୟ ଦ୍ବିତୀୟ ମାନ୍ୟତାପ୍ରାପ୍ତ ‌ଜାପାନ୍‌ର କେଣ୍ଟୋ ମୋମୋ‌ତାଙ୍କୁ ଭେଟିବେ। ପ୍ରଥମରୁ କିଛି ରାଉଣ୍ଡ ପ୍ରଣୟ ଜିତିନେଲେ ପ୍ରିକ୍ବାର୍ଟର ଫାଇନାଲ୍‌ରେ ତାଙ୍କର ଭେଟ ଲକ୍ଷ୍ୟ ସେନ୍‌ଙ୍କ ସହ ହୋଇପାରେ। ଅଭିଜ୍ଞ ପୁରୁଷ ଯୁଗଳ‌ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରଥମ ରାଉଣ୍ଡରେ ବାଇ ପାଇଥିଲା ବେଳେ ଦ୍ବିତୀୟ ରାଉଣ୍ଡରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ସହଜ ରହିଛନ୍ତି। ‌ହେଲେ ପ୍ରିକ୍ବାର୍ଟରରେ ସେ ପ୍ରମୁଖ ଦାବିଦାର ମାଲେସିଆ ଯୋଡ଼ି ଗୋ ଭି ସେମ ଓ ଟାନ ୱି କିଓଙ୍ଗଙ୍କୁ ଭେଟିବାର ସମ୍ଭାବନା ରହିଛି। ଏମାନଙ୍କ ସହ ୪ ଭାରତୀୟ ମହିଳା ଯୋଡ଼ି ଏବଂ ୨ ମିଶ୍ରିତ ଯୁଗଳ ଯୋଡ଼ି ଏହି ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର