ଆମେ ଏମିତି ଏକ ସମାଜରେ ଜନ୍ମଗ୍ରହଣ କରିଛେ, ଯୋଉଠି ଜନ୍ମ ହବା ମାତ୍ରେ ଆରମ୍ଭ ହୋଇଯାଏ ସଂଘର୍ଷ କିପରି ବଡ଼ ହେଲେ ଆଇଆଇଟିରେ ପଢ଼ିବ, ଡାକ୍ତର ହବକି, ନା ପ୍ରଶାସନିକ ସେବାରେ ଯିବ। ହେଲେ ଯେତେବେଳେ ଖେଳର ମହାକୁମ୍ଭ ଅଲିମ୍ପିକ୍ସର ସମୟ ଆସେ କେହି ଚୁପ ବସନ୍ତି ନାହିଁ କହିବାକୁ ଏତେ ବଡ଼ ଦେଶ ହେଲେ ଗୋଟେ ପଦକ ନାହିଁ। ଏଠି ପ୍ରଶ୍ନ ଆସେ ନା ଆମ ସ୍କୁଲ ଶିକ୍ଷାରେ ହଉ ଅବା ଘର ପରିବେଶରେ ଆମେ କେବେ ଜାଣିବାକୁ ପାଇନୁ ଅଲମ୍ପିକ୍ସରେ କେତେ ପ୍ରକାର ଖେଳ ହୁଏ ଏବଂ କେତେ ପଦକ ମିଳେ। ସମ୍ଭବତଃ ଏହି ଅଜ୍ଞାନ ଏବଂ ଘରେ ପିଲାର ଭବିଷ୍ୟତ ଗଢ଼ିବା ଚିନ୍ତାରେ ବୟସ ଗଡ଼ିଯାଏ ଅଲମ୍ପିକ ପଦକ ପାଇବା ପାଇଁ ଭାବିବାର ସମୟ। ଉଦାହରଣ ସ୍ୱରୂପ ବହୁତ ଲୋକ ନିତ୍ୟଦିନ ସାଇକେଲ ଚଳାନ୍ତି, ହେଲେ କେବେ କେହି ଧ୍ୟାନ ଦେଇନାହାନ୍ତି ଏଥିରେ ୧୮ଟି ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ଅଛି। ହେଲେ ବିଡ଼ମ୍ବନା ୧୯୪୮ ମସିହାକୁ ଛାଡ଼ିଦେଲେ ଅଲିମ୍ପିକରେ ବିଭିନ୍ନ ସାଇକେଲ ପ୍ରତିଯୋଗିତାରେ ଭାରତ ଯୋଗ୍ୟତା ଅର୍ଜନ କରି ପାରୁନି। ଆଉ ସାଇକେଲ ସମସ୍ତ ଅଲମ୍ପିକ୍ସର ମୂକସାକ୍ଷୀ।
ତେବେ ପ୍ରଶ୍ନ ଆସେ ଆପଣ ଶେଷଥର କେବେ ସାଇକେଲ ଚଲେଇଥିଲେ? ସାଇକେଲ କେବେ ଆପଣଙ୍କ ପସନ୍ଦଦାର ମୁହୂର୍ତ୍ତରେ ସ୍ଥାନ ପାଇଛି କି? ଯଦି ହଁ ତେବେ ବହୁତ ଖୁସି କଥା, ହେଲେ ଯଦି ଆପଣ ଉତ୍ତର ଦେବାକୁ ଚାହୁଁ ନାହାନ୍ତି ତେବେ ଠିକ୍ ଅଛି। ହେଲେ ଆଜି ବିଶ୍ୱ ବାଇସାଇକେଲ ଦିବସରେ ଟିକେ ଅଲମ୍ପିକରେ ସାଇକେଲ ବିଷୟରେ ବିଶ୍ଳେଷଣ କରିବା। ପ୍ରଥମ ସ୍ଥିତି ହେଉଛି ଆମ ସହର, ଆମ ପରିବେଶ କେତେ ପ୍ରହୋତ୍ସାହିତ କରୁଛି ସାଇକେଲ ପାଇଁ। ସମ୍ଭବତଃ ଏଥି ପ୍ରତି କେହିଁ ଧ୍ୟାନ ଦିଅନ୍ତି ନାହିଁ। ଫଳ ସ୍ୱରୂପ ପୁଳାଏ ଦିନେ ଯୋଉ ବପା ମା ସାଇକେଲକୁ ନିଜର ପ୍ରଥମ ପ୍ରେମ ଭାବିଥିଲେ ଏବେ ନିଜ ପିଲାମାନଙ୍କୁ ସାଇକେଲଠାରୁ ଦୂରେଇ ରଖିବାର ନଜରରେ ଆସୁଛି। ଅନ୍ୟ ପଟରେ ଅମ ସହର ଅତ୍ୟାଧୁନିକ ହେବା ପାଇଁ ପ୍ରୟାସ ହଉଛି। ହେଲେ ପ୍ରୟାସରେ ସାଇକେଲ ଯେମିତି ସୁନ୍ଦର ଦିଶିବା ପାଇଁ ଓଠରେ ଲିପ୍ସଟିକ ଲଗେଇବା ସଦୃଶ ପାଲଟିଯାଇଛି।
ସମ୍ଭବତଃ ଆମ ସହର ପ୍ରଶାସନ କିଛି ସମୟ ବାହରକରି ନିଜର ଏହି ଅତ୍ୟାଧୁନିକ ସହର ଯୋଜନାର ତର୍ଜମା କରିବାର ସମୟ। ତର୍ଜମା କରିବାର ସମୟ ଏଥିପାଇଁ ଯଦି ଆମ ସହର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ପୁରୀ ଇତ୍ୟାଦି ଇତ୍ୟାଦି ସହର ଲୋକଭିମୁଖୀ ହେବ ତେବେ ଆମ ସହର କେବଳ ସୁନ୍ଦର ଦିଶିବନି ବରଂ ଏହାର ଅଧିବାସୀ ମଧ୍ୟ ସୁସ୍ଥ ଏବଂ ହସ ଖୁସି ଜୀବନରେ ବଞ୍ଚି ପାରିବେ। ଏହା ସମ୍ଭବ ଯଦି ଆମ ସହର ସାଇକେଲ ଭିତକ ସହର ହୋଇପାରିବ। ସବୁଠାରୁ ବଡ଼ କଥା ଏଠିକାର ଅଧିବାସୀ ସୁନ୍ଦର ପରିବେଶର ଅନୁଭୂତି କେବଳ କରିବେନି ସାଇକେଲ ସହିତ ନିଜ ଜୀବନ ଆପଣେଇ ପାରିବେ। ଅସୁସ୍ଥ ସହର ଅପେକ୍ଷା ସୁସ୍ଥ ସହର ରହିପାରିବେ ଏବଂ ସହର ମଧ୍ୟ ଭବିଷ୍ୟତ ଅଲମ୍ପିକ୍ସ ଖେଳାଳି ପ୍ରସ୍ତୁତ କରିପାରିବ।
ଏହା ଏକ।ସ୍ୱପ୍ନ ନୁହେଁ ବରଂ ସତ୍ୟ ହୋଇପାରିବ, ଏଥି ପାଇଁ ଆମକୁ ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ପରିବର୍ତ୍ତନ ମଧ୍ୟ ଦିଶିବା ଦରକାର ଆମ ସହରରେ। ଭାବନ୍ତୁ ୧୯୯୬ ମସିହାରେ ଗ୍ରେଟ୍ ବ୍ରିଟେନ ୩୦୦ ଜଣ ଖେଳାଳି ସହିତ ଆଟ୍ଲାଣ୍ଟା ଅଲମ୍ପିକ୍ସରେ ଭାଗ ନେଇଥିଲା। ହେଲେ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ କେବଳ ଗୋଟେ ସ୍ୱର୍ଣ୍ଣ ପଦକ ସହିତ, ଆଉ ପଦକ ତାଲିକାରେ ୩୬ତମ ସ୍ଥାନରେ ଚିପି ହୋଇଯାଇଥିଲେ ଇଥୋପିଆ ଏବଂ ବେଲାରୁଷ ମଧ୍ୟରେ। ଏହାପରେ ଗ୍ରେଟ୍ ବ୍ରିଟେନ ନିଶ୍ଚିତ କଲେ ଅଲମ୍ପିକ୍ସରେ କେବଳ ଭାଗନେବା ନୁହେଁ ବରଂ ଭବିଷ୍ୟତରେ ପଦକ ଜିତିବାର ଅଛି। ଯୋଉଥିପାଇଁ କିଛି ଖେଳ ଉପରେ ନଜର ଦେଲେ, ଏହା ଭିତରେ ଥିଲା ସାଇକେଲ। ସାଇକେଲ ଏମିତି ଏକ ଖେଳ ଥିଲା ଯୋଉଥିରେ ଅଲମ୍ପିକ୍ସ ଇତିହାସରେ ଗ୍ରେଟ ବ୍ରିଟେନର ସେମିତି କିଛି ଉତ୍ସାହ ମୁହୁର୍ତ୍ତ ନଥିଲା, ତଥାପି ପ୍ରଚେଷ୍ଟା ଆରମ୍ଭ ହେଲା କାରଣ ଏଥିରେ ବହୁତ ପଦକ ଜିତିବା ସୁଯୋଗ ଅଛି।
ଏହା ପରେ କେବେଳ, ସରକାର ନୁହେଁ ବରଂ ବିଶ୍ୱବିଦ୍ୟାଳୟ, ଗବେଷଣା କେନ୍ଦ୍ର, ସାଇକେଲ ପ୍ରସ୍ତୁତକାରୀ ସଂସ୍ଥା ମିଳିତ ଉଦ୍ୟମରେ ପ୍ରଚେଷ୍ଟା ଆରମ୍ଭ ହେଲା। ଆଉ ଦୁଇ ଦଶନ୍ଧି ପରେ ବ୍ରିଟେନର ମୁଖ୍ୟ ପଦକ ଜିତିବା ଖେଳ ପାଲଟିଗଲା ସାଇକେଲ। ଫଳସ୍ୱରୂପ ୨୦୦୮ ଏବଂ ୨୦୧୨ ମସିହା ଅଲମ୍ପିକରେ ୨୦ ପଦକ ମଧ୍ୟରୁ ୧୪ ପଦକ ଜିତିଥିଲେ ବ୍ରିଟେନ। ସେହିପରି ୨୦୧୬ ରିଓ ଅଲମ୍ପିକ୍ସରେ ବ୍ରିଟେନ ୬ଟି ସ୍ୱର୍ଣ୍ଣ, ୪ ରୌପ୍ୟ, ୩ କାଂସ୍ୟ ସହିତ ୧୩ଟି ପଦକ ଜିତିପାରିଥିଲେ ସାଇକେଲ ପ୍ରତିଯୋଗିତାରେ।
ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ୨୦୦୦ ମସିହା ସିଡ୍ନି ଅଲମ୍ପିକ୍ସରେ ଭାଗ ନେଇଥିବା କ୍ରିସ ହୋୟ ଏବଂ ବ୍ରାଡ୍ଲି ୱିଗିନ୍ସ ମିଳିତ ଭାବେ ଆଗାମୀ ଚଉଦ ବର୍ଷରେ ୧୦ଟି ପଦକ ଜିତିପାରିଥିଲେ ବ୍ରିଟେନ ପାଇଁ ଏବଂ ପରବର୍ତ୍ତୀ ସମୟରେ ୱିଗିନ୍ସ ସାଇକେଲ ବିଶ୍ୱ କପ୍ ଏବଂ ବିଶ୍ୱ ପ୍ରସିଦ୍ଧ ସାଇକେଲ ପ୍ରତିଯୋଗିତା ଟୁର ଡି ଫ୍ରାନ୍ସ ମଧ୍ୟ ଜିତି ଗ୍ରେଟ ବ୍ରିଟେନ ପାଇଁ ଗୌରବ ଆଣି ପାରିଛନ୍ତି। ଗ୍ରେଟ ବ୍ରିଟେନ ସାଇକେଲ ପ୍ରତିଯୋଗିତାରେ ପାରଦର୍ଶିତା ପାଇଁ ଏଠାକାର ସହର ମଧ୍ୟ ବହୁ ଅବଦାନ ଅଛି। ସେହିପରି ଆମ ସହର ମଧ୍ୟ ଚେଷ୍ଟା କଲେ କିଏ କହିବ ଯଦି ଭୁବନେଶ୍ୱର ବିଶ୍ଵ କପ୍ ପୁରୁଷ ହକି ଆୟୋଜନ କରିପାରୁଛି, ତେବେ ଆଜିଠାରୁ ସଂକଳ୍ପ ନେଇ ଭିତ୍ତିଭୂମି ସୃଷ୍ଟି କରି ଭବିଷ୍ୟତରେ ଭୁବନେଶ୍ୱର ଦେଶର ନୁହେଁ ବରଂ ଏସିଆ ମହାଦେଶର ସାଇକେଲିଂର ଅନ୍ତୁଡ଼ିଶାଳ ହୋଇପାରିବ। ଆଉ ଭୁବନେଶ୍ୱର ମଧ୍ୟ ସାଇକେଲିଂର ବିଶ୍ୱ କପ୍ ଆୟୋଜନ କରିପାରେ ଏବଂ ଏଠାରୁ ଖେଳାଳି ବାହାରି ଅଲମ୍ପିକ୍ସରେ ଭାଗ ନେଇ ପାରିବା ସହିତ ଟୁର ଡି ଫ୍ରାନ୍ସ ପରି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରିପାରିବ। ଯାହା କେବଳ ଓଡ଼ିଶା ନୁହେଁ ବରଂ ଭୁବନେଶ୍ୱରର ମାନ ବଢ଼ାଇ ପାରିବ।
/sambad/media/post_attachments/wp-content/uploads/2021/06/dj94d9g84j5dg456j4dg56j456dgjjjjjjjjjjjjjjjjjjjjjjjjjjjjjjjjjjjjjjjj.jpg)
ମନ ଜିତିଲା ଶାଶ୍ବତଙ୍କ ଦିଆସିଲି କାଠି ସାଇକେଲ
ଭୁବନେଶ୍ବର: ବିଶ୍ବ ସାଇକେଲ ଦିବସ ଅବସରରେ ଯୁବ ଶିଳ୍ପୀ ଶାଶ୍ବତ କୁମାର ସାହୁ ନିଆରା ସଲାମ ଜଣାଇଛନ୍ତି। ଦିଆସିଲି କାଠିରେ ୧୮୭୦ରୁ ୧୮୮୦ ମସିହା ମଧ୍ୟରେ ବ୍ୟବହୃତ ହେଉଥିବା ଗୋଟିଏ ଛୋଟ ଓ ଗୋଟିଏ ବଡ଼ ଛକ ବିଶିଷ୍ଟ ସାଇକେଲ୍ ‘ପେନି ଫାର୍ଦିଂ ବାଇସାଇକେଲ୍’ ନିର୍ମାଣ କରି ସାଧାରଣ ଜୀବନରେ ସାଇକେଲ୍ର ମହତ୍ବପୂର୍ଣ୍ଣ ଭୂମିକାକୁ ମନେ ପକାଇଛନ୍ତି ସେ। ତାଙ୍କର ଏହି ନିଆରା ପଦକ୍ଷେପ ସାଇକେଲ୍ପ୍ରେମୀଙ୍କ ମନ ଜିତି ନେଇଛି। ଏହି ପ୍ରତିକୃତି ନିର୍ମାଣ କରିବା ଲାଗି ସେ ୩୬୫୩ ଦିଆସିଲି କାଠି ବ୍ୟବହାର କରିଛନ୍ତି। ଏହି ଦିଆସିଲି କାଠି ସାଇକେଲଟିର ଲମ୍ବ ୫୦ ଇଞ୍ଚ ହୋଇଥିଲା ବେଳେ ଉଚ୍ଚତା ୨୫ ଇଞ୍ଚ ରହିଛି।
ଏହାକୁ ନିର୍ମାଣ କରିବା ଲାଗି ୧୮ ବର୍ଷୀୟ ଶାଶ୍ବତଙ୍କୁ ୭ ଦିନ ସମୟ ଲାଗିଛି। ପୁରୀର କୁମ୍ଭାରପଡ଼ା ବାସିନ୍ଦା ଶାଶ୍ବତ ଅତୀତରେ ମଧ୍ୟ ଦିଆସିଲି କାଠିରେ ବିଭିନ୍ନ କଳାକୃତି ନିର୍ମାଣ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି। ତାଙ୍କର ଏହି କଳାକୁ ସେ ଆହୁରି ଉଚ୍ଚସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ ଯେ ସ୍କୁଲ୍ରେ ପଢ଼ୁଥିଲା ବେଳେ ଶାଶ୍ବତ ଏହି ‘ପେନି ଫାର୍ଦିଂ ବାଇସାଇକେଲ୍’ ଦେଖିଥିଲେ। ଏହାର ରୂପରେଖ ସେତେବେଳେ ହିଁ ତାଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏଭଳି ଏକ ବାଇସାଇକେଲ୍ ଦିନେ କିଣିବେ ବୋଲି ସେ ଆଶା ରଖିଥିଲେ। ତେବେ ବଜାରରେ ଏବେ ଏହା ଆଉ ମିଳୁ ନଥିବାରୁ ବିଶ୍ବ ସାଇକେଲ୍ ଦିବସ ଅବସରରେ ଦିଆସିଲି କାଠିରେ ଏଲଳି ଏକ ସାଇକେଲ୍ ତିଆରି କରିବାକୁ ମନ ବଳାଇଥିଲେ। ଏହାକୁ ନିର୍ମାଣ କରି ଏବେ ସେ ବେଶ୍ ଖୁସି ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f54hs4f56h4sf56h456fshhhhhhhhhhhhhhhhhhhhhhhhhhh.jpg)