ବିଶ୍ବ ଦୃଷ୍ଟିବାଧିତ ଚେସ୍‌: ସୌନ୍ଦର୍ଯ୍ୟଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର : ଆନ୍ତର୍ଜାତିକ ବ୍ରେଲି ଚେସ ସଂଘ (ଆଇବିସିଏ) ଦ୍ୱାରା ମାସିଡୋନିଆର ଓରିଡ୍‌ଠାରେ ଜୁନ ୨୮ ତାରିଖରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବିଶ୍ୱ ଦୃଷ୍ଟବାଧିତ ଦଳଗତ ଚେସ ପ୍ରତିଯୋଗିତାରେ ଓଡ଼ିଶାର ସୌନ୍ଦର୍ଯ୍ୟ କୁମାର ପ୍ରଧାନ ୯ ରାଉଣ୍ଡରୁ ଅପରାଜିତ ରହି ଦ୍ୱିତୀୟ ବୋର୍ଡରେ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ତୃତୀୟ ବୋର୍ଡରେ କିସନ ଗାଙ୍ଗୁଲି ଏବଂ ପଞ୍ଚମ ବୋର୍ଡରେ ସ୍ୱପ୍ନିଲ ଶାହ ରୌପ୍ୟ ପଦକ ଲାଭ କରିଛନ୍ତି। ପୋଲାଣ୍ଡ, ସର୍ବିଆ ଏବଂ ୟୁକ୍ରେନ ଯଥାକ୍ରମେ ପ୍ରତିଯୋଗିତାର ପ୍ରଥମ ତିନିଟି ସ୍ଥାନ ଲାଭ କରିଛନ୍ତି। ଭାରତୀୟ ଦଳ ଷଷ୍ଠ ସ୍ଥାନରେ ରହିଥିଲା। ଯାହା ବିଶ୍ୱସ୍ତରରେ ଅଦ୍ୟାବଧି ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ନିକଟରେ ଜାତୀୟ ବିଜେତା ଆଖ୍ୟା ଅର୍ଜନ କରିଥିବା ସୌନ୍ଦର୍ଯ୍ୟ ଦ୍ୱିତୀୟ ବୋର୍ଡରେ ୫ଟି ବିଜୟ ଓ ୪ଟି ଅମୀମାଂସିତ ସହିତ ଅସାଧାରଣ ସଫଳତା ହାସଲ କରିଥିଲେ।

ବହୁତ ଉଚ୍ଚ ମାନ୍ୟତାପ୍ରାପ୍ତ ପ୍ରତିପକ୍ଷ ସହ ବାଜି ଜିଣିବା ଏବଂ ଅମୀମାଂସିତ ରଖିଥିବା ସୌନ୍ଦର୍ଯ୍ୟ (ରେଟିଂ-୧୭୮୨) ପ୍ରତିଯୋଗିତା ଶେଷ ବେଳକୁ ୨୨୫୩ ପରଫରମେନ୍ସ ରେଟିଂ ସୁନିଶ୍ଚିତ କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ। ଏଥି ସହିତ ସେ ୯୮.୪ ରେଟିଂ ପଏଣ୍ଟ୍‌ ବୃଦ୍ଧି କରିଛନ୍ତି। ଗ୍ରିସରେ ଗତବର୍ଷ ଆୟୋଜିତ ଦୃଷ୍ଟିବାଧିତ ଚେସ ଅଲିମ୍ପିଆଡର କୃତିତ୍ୱ ଆଧାରରେ ଶ୍ରେଷ୍ଠ ୧୬ଟି ଦେଶ ଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିଲେ। ପ୍ରଥମେ ଆଠଟି ଲେଖାଏଁ ଦେଶକୁ ନେଇ ଗ୍ରୁପ ପର୍ଯ୍ୟାୟ ରାଉଣ୍ଡ ରବିନ୍‌ ମ୍ୟାଚ୍‌ ଖେଳା ଯାଇଥିଲା। ଭାରତ ନିଜସ୍ୱ ଗ୍ରୁପରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ସେମିଫାଇନାଲ୍‌ ଖେଳିଥିଲା।

ସେମିଫାଇନାଲରେ ରୋମାନିଆକୁ ପରାସ୍ତ କରିଥିବା ବେଳେ ଫାଇନାଲରେ ହଙ୍ଗେରି ବିରୁଦ୍ଧ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ବରଗଡ଼ ଜିଲ୍ଲାର ପଦ୍ମପୁର ନିକଟସ୍ଥ ସତୀଭଟା ଗ୍ରାମରେ ଜନ୍ମିତ ସୌନ୍ଦର୍ଯ୍ୟ ସଂପ୍ରତି ନୂଆପଡ଼ା ଜିଲ୍ଲାର ବୋଡ଼େନଠାରେ ପିତା ଅଧ୍ୟାପକ ରବିରଂଜନ ପ୍ରଧାନଙ୍କ ସହିତ ରହୁଛନ୍ତି। ତାଙ୍କ ବଡ଼ ଭାଇ ପ୍ରାଚୁର୍ଯ୍ୟ ମଧ୍ୟ ଜଣେ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ଚେସ୍‌ ଖେଳାଳି।

ସମ୍ବନ୍ଧିତ ଖବର