ମହିଳା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତା: ସ୍ବର୍ଣ୍ଣ ପାଇଁ ଲଢ଼ିବେ ମଞ୍ଜୁ

ମେରି, ଜମୁନା ଓ ଲଭ୍‌ଲିନାଙ୍କୁ କାଂସ୍ୟ

ଉଲାନ୍‌ ଉଦେ (ରୁଷିଆ): ସର୍ବାଧିକ ୮ ବିଶ୍ବ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା ଯୋଦ୍ଧା ମେରି କମ୍‌ ଶେଷରେ କାଂସ୍ୟରେ ସନ୍ତୁଷ୍ଟ ରହିଲେ। ଏଠାରେ ଚାଲିଥିବା ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପହଞ୍ଚି ମେରି କମ୍‌ ମୁଷ୍ଟିଯୁଦ୍ଧ ଇତିହାସରେ ପ୍ରଥମ ଯୋଦ୍ଧା ଭାବେ ୮ ପଦକ ଜିତିବାର ଗୌରବ ପାଇଥିଲେ। ଏହା ପୂର୍ବରୁ ସେ ବିଶ୍ବ ପ୍ରତିଯୋଗିତାରେ ୬ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ତେବେ ଐତିହାସିକ ଅଷ୍ଟମ ପଦକକୁ ସ୍ବର୍ଣ୍ଣରେ ରୂପାନ୍ତରିତ କରିବାର ଆଶା ବାନ୍ଧିଥିବା ମେରି କମ୍‌ ଶେଷରେ ବିଫଳ ହେଲେ। ଶନିବାର ୫୧ କେଜି ଓଜନ ବର୍ଗର ସେମିଫାଇନାଲ୍‌ରେ ମେରି କମ୍‌ ହାରିଯିବାରୁ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହେଲେ। ତୃତୀୟ ମାନ୍ୟତାପ୍ରାପ୍ତ ମେରି କମ୍‌ଙ୍କୁ ସେମିଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପାପ୍ତ ତୁର୍କି ଯୋଦ୍ଧା ବୁସେନାଜ୍‌ କାଗିରୋଗ୍‌ଲୁ ୪-୧ରେ ପରାସ୍ତ କରିଦେଇଥିଲେ। କାଂସ୍ୟ ମଧ୍ୟ ୫୧ କେଜି ବର୍ଗରେ ମେରି କମ୍‌ଙ୍କ ପାଇଁ ପ୍ରଥମ ବିଶ୍ବ ପଦକ।

ମେରିଙ୍କ ଅସନ୍ତୋଷ: ଆବେଦନ ଖାରଜ
ତେବେ ଏହି ନିଷ୍ପତ୍ତିରେ ମେରି କମ୍‌ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଭାରତୀୟ ପ୍ରତିନିଧିମଣ୍ଡଳ ମେରି କମ୍‌ଙ୍କ ଲଢ଼େଇ ନେଇ ବିଚାରକଙ୍କ ନିଷ୍ପତ୍ତିର ସମୀକ୍ଷା ଚାହିଁଥିଲେ। ମାତ୍ର ସେହି ଆବେଦନ ଆନ୍ତର୍ଜାତିକ ମୁଷ୍ଟିଯୁଦ୍ଧ ସଂଘ (ଏଆଇବିଏ)ର ବୈଷୟିକ କମିଟି ଦ୍ବାରା ନାକଚ ହୋଇଯାଇଥିଲା। ଯଦି ଫଳାଫଳ ଫରକ ୩-୨ କିମ୍ବା ୩-୧ ହୋଇଥାନ୍ତା ତାହାଲେ ଆବେଦନ ବିଚାର ପାଇଁ ଗ୍ରହଣ କରାଯାଇଥାନ୍ତା ବୋଲି କମିଟି ଜଣାଇ ଦେଇଥିଲା। ତେବେ କମିଟିର ଏହି ନିଷ୍ପତ୍ତିରେ ମେରି କମ୍‌ ନିରାଶ ହୋଇଥିଲେ। ତାଙ୍କ କହିବା କଥା ଥିଲା, ମୁଁ ଖୁବ୍‌ ଭଲ ଲଢିଥିଲି ବୋଲି ଭାବୁଛି। ଆଦୌ ହାରିବାର ହକ୍‌ଦାର ନଥିଲି। ତେବେ କମିଟି ଆବେଦନ ନାକଚ କରିଦେବାରୁ ଏହା ମୋତେ ଆଗକୁ ଅଧିକ ଆତ୍ମବଳ ଦେବ ବୋଲି ମେରି କମ୍‌ କହିଛନ୍ତି। ମେରି କମ୍‌ଙ୍କ ଭଳି ସେମିଫାଇନାଲ୍‌ରେ ପହଞ୍ଚିଥିବା ଅନ୍ୟ ତିନି ଭାରତୀୟଙ୍କ ମଧ୍ୟରୁ ଜମୁନା ବୋରୋ ଏବଂ ଲଭ୍‌ଲିନା ବୋର୍ଗୋହେଁ ମଧ୍ୟ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା ବେଳେ ଏକା ମଞ୍ଜୁ ରାଣୀ ବିଜୟ ଧାରା ଜାରି ରଖି ଫାଇନାଲ୍‌ ପ୍ରବେଶ କରିଛନ୍ତି। ଶନିବାର ୫୪ କେଜି ଓଜନ ବର୍ଗ ସେମିଫାଇନାଲ୍‌ରେ ଜମୁନା ୦-୫ରେ ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ପୂର୍ବତନ ଏସୀୟ କ୍ରୀଡ଼ା କାଂସ୍ୟ ବିଜୟିନୀ ଚାଇନିଜ୍‌ ତାଇପେର ହୁଆଙ୍ଗ୍‌ ସିଆଓ ୱେନ୍‌ଙ୍କ ନିକଟରୁ ହାରି ଯାଇଥିଲେ। ସେହିପରି ୬୯ କେଜି ଓଜନ ବର୍ଗ ସେମିଫାଇନାଲ୍‌ରେ ଲଭ୍‌ଲିନା ଭଲ ଲଢେଇ କରିବା ସତ୍ତ୍ବେ ୨-୩ରେ ଚୀନ୍‌ ପ୍ରତିଦ୍ବନ୍ଦ୍ବୀ ୟାଙ୍ଗ୍‌ ଲିଉଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଜମୁନାଙ୍କ ପାଇଁ ଏହା ପଦାର୍ପଣ ବିଶ୍ବ ପଦକ ଥିଲା ବେଳେ ଳଭ୍‌ଲିନା କ୍ରମାଗତ ତୃତୀୟ ଥର ପାଇଁ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଲେ।

ଅନ୍ୟପକ୍ଷରେ ତିନି ଜଣ ଭାରତୀୟ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ମଧ୍ୟ ପଦାର୍ପଣ ବିଶ୍ବ ପ୍ରତିଯୋଗିତାରେ ମଞ୍ଜୁ ରାଣୀ ଆଗକୁ ବଢିଛନ୍ତି। ଷଷ୍ଠ ମାନ୍ୟତାପ୍ରାପ୍ତ ମଞ୍ଜୁ ୪୮ କେଜି ଓଜନ ବର୍ଗ ସେମିଫାଇନାଲ୍‌ରେ ଶନିବାର ଥାଇଲାଣ୍ଡର ଚୁଟ୍‌ହମତ ରକ୍ଷତଙ୍କୁ ୪-୧ରେ ପରାସ୍ତ କରି ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଫଳରେ ଏକମାତ୍ର ଭାରତୀୟ ଭାବେ ମଞ୍ଜୁ ରାଣୀ ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ। ରବିବାର ଫାଇନାଲ୍‌ରେ ତାଙ୍କୁ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୁଷିଆର ଏକ୍‌ଟାରିନା ପାଲ୍‌ସେଭାଙ୍କ ସହ ଲଢ଼ିବାକୁ ପଡ଼ିବ। ଫାଇନାଲ୍‌ର ଫଳାଫଳ ଯାହା ହେଉନା କାହିଁକି ମଞ୍ଜୁଙ୍କ ପାଇଁ ଏହା ପ୍ରଥମ ବିଶ୍ବ ପଦକ ହେବ।

ମୋ ପଦକ ଓ ପୁରସ୍କାର ଶ୍ରେୟ ମା’ଙ୍କର
ପଦାର୍ପଣ ବିଶ୍ବ ପ୍ରତିଯୋଗିତାରେ ପଦକ ଜିତିବାର ଶ୍ରେୟ ଜମୁନା ବୋରୋ ତାଙ୍କ ମା’ଙ୍କୁ ଦେଇଛନ୍ତି। ପଦକ ଓ ପୁରସ୍କାର ଜିତିବାର ସଫଳତା ସବୁକିଛି ମୋ ମା’ଙ୍କ ପାଇଁ ପାଇଛି ବୋଲି ୨୩ ବର୍ଷ ବୟସ୍କା ଜମୁନା କହିଛନ୍ତି। ମୁଷ୍ଟିଯୁଦ୍ଧ ଜୀବନସାରା ମୁଁ କେବଳ ଲଢୁଆ ମନୋଭାବ ନେଇ ଆଗେଇ ଚାଲିଛି। ଜୀବନରେ ଅନେକ ପରୀକ୍ଷାର ସାମନା କରିଛି। ସଫଳତା ମଧ୍ୟ ପାଇଛି। ୨୦୧୦ରୁ ୨୦୧୨ ମଧ୍ୟରେ ୫୨ କେଜି ବର୍ଗରେ ଉପକନିଷ୍ଠ ମହିଳା ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲି। ଏହାପରେ ୨୦୧୩ରୁ ୨୦୧୫ ମଧ୍ୟରେ ସର୍ବିଆ, ବୁଲ୍‌ଗେରିଆ ଓ ଚାଇନିଜ୍‌ ତାଇପେରେ ଆନ୍ତର୍ଜାତିକ ପଦକ ଜିତିଥିଲି। ୨୦୧୬ରୁ ୨୦୧୮ ମଧ୍ୟରେ ମୁଁ ଜାତୀୟ ପଦକ ଜିତିଥିଲେ ମଧ୍ୟ କିଛିଟା ନିରାଶ ହୋଇଥିଲି। ହେଲେ ଏବେ ପ୍ରଥମ ଥର ବିଶ୍ବ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିବା ଅନ୍ୟନ୍ତ ଆନନ୍ଦିତ କରିଛି ବୋଲି ଜମୁନା କହିଛନ୍ତି। ଖେଳିବା ପାଇଁ ନିଜ ଜିଲ୍ଲା ସୋନିତପୁରର ବେଲ୍‌ସିରି ଗାଁରୁ ଉଦଲଗିରି ଜିଲ୍ଲାକୁ ପ୍ରତ୍ୟେହ ୧ ଘଣ୍ଟାର ଯାତ୍ରା କରିବାର ଫଳ ପାଇଛି। ରାସ୍ତା କଡ଼ରେ ମା’କୁ ପରିବା ବିକିବାରେ ସାହାଯ୍ୟ କରିବା ସହ ଖେଳକୁ ପେସା ଭାବେ ଗ୍ରହଣ କରିବାରେ ମ’ଙ୍କର ଭୂମିକା ଅତୁଳନୀୟ ବୋଲି କହିଛନ୍ତି ଜମୁନା।

ସମ୍ବନ୍ଧିତ ଖବର