ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୋଦ୍ଧା ନୀତୁ ଘଙ୍ଗାସ, ନିଖତ ଜରିନ, ଲଭଲିନା ବୋର୍ଗୋହେଁ ଓ ସ୍ବିଟି ବୋରା ଏଠାରେ ଚାଲିଥିବା ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ୪୮ କେଜି ବର୍ଗ ସେମିଫାଇନାଲ୍ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ନୀତୁ ୫-୨ରେ କାଜାଖସ୍ତାନର ଆନୁଆ ବାଲକିବେକୋଭାଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ନିତୁ ହ୍ୟାଟ୍ରିକ୍ ଆର୍ଏସ୍ସି (ରେଫରି ଷ୍ଟପ୍ କଣ୍ଟେଷ୍ଟ) ବିଜୟୀ ହୋଇ ସେମିଫାଇନାଲ୍ରେ ପହଞ୍ଚିଥିଲେ।
୫୦ କେଜି ବର୍ଗରେ ବିଶ୍ବ ବିଜୟିନୀ ନିଖତ ୫-୦ରେ ୨୦୨୦ ଅଲିମ୍ପିକ୍ କାଂସ୍ୟ ବିଜୟିନୀ କଲମ୍ବିଆର ଇନ୍ଗ୍ରିଟ ଭାଲେନ୍ସିଆକୁ ମାତ୍ ଦେଇଥିଲେ। ୭୫ କେଜିରେ ଅଲିମ୍ପିକ୍ କାଂସ୍ୟ ବିଜୟିନୀ ଲଭଲିନା ୪-୧ରେ ୨ ଅଲିମ୍ପିକ୍୍ ବିଜୟିନୀ ଚୀନର ଲି କ୍ବିଆନ୍ଙ୍କୁ ହରାଇ ପ୍ରଥମ ଥର ଲାଗି ବିଶ୍ବ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଥିଲେ। ଲଭଲିନା ପୂର୍ବରୁ ଏହି ପ୍ରତିଯୋଗିତାରରେ ୨ଟି କାଂସ୍ୟ ଜିତିଥିଲେ। ୮୧ କେଜିରେ ୨୦୧୪ ରୌପ୍ୟ ବିଜୟିନୀ ସ୍ବିଟି ୪-୩ରେ ଅଷ୍ଟ୍ରେଲିଆର ଏମ୍ମା-ସୁଏ ଗ୍ରିନ୍ଟ୍ରିଙ୍କୁ ପରାସ୍ତ କରିଥିଲେ।