ନୂଆଦିଲ୍ଲୀ: ଏଠାରେ ଚାଲିଥିବା ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ବୁଧବାର ଭାରତର ୪ ପଦକ ପକ୍କା ହୋଇଛି। ଭାରତୀୟ ମୁଷ୍ଟିଯୋଦ୍ଧା ନିତୁ ଘଂଗହାସ (୪୮ କେଜି), ସ୍ବିଟି ବୋରା (୮୧ କେଜି), ନିଖତ ଜରିନ (୫୦ କେଜି) ଓ ଲଭଲିନା ବୋର୍ଗୋହେଁ (୭୫ କେଜି) ସେମିଫାଇନାଲ୍ରେ ପହଞ୍ଚି ଏହି ପଦକ ନିଶ୍ଚିତ କରିଛନ୍ତି। ବୁଧବାର କ୍ବାର୍ଟରଫାଇନାଲରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ନିତୁ ଆର୍ଏସ୍ସି (ରେଫରି ଷ୍ଟପ୍ କଣ୍ଟେଷ୍ଟ)ରେ ଜାପାନର ମାଦୋକା ୱାଦାଙ୍କୁ ହରାଇଥିଲେ। ଏଥି ସହ ନିତୁ ଚଳିତ ପ୍ରତିଯୋଗିତାଲେ ହ୍ୟାଟ୍ରିକ୍ ଆର୍ଏସ୍ସି ବିଜୟ ହାସଲ କରିଛନ୍ତି।
୨୦୧୪ ରୌପ୍ୟ ବିଜୟିନୀ ସ୍ବିଟି ୫-୦ରେ ବେଲାରୁଷର ଭିକ୍ଟୋରିୟା କେବିକାଭାଙ୍କୁ ହରାଇ ଦ୍ବିତୀୟ ବିଶ୍ବ ପଦକ ନିଶ୍ଚିତ କରିଥିଲେ। ବିଶ୍ବ ବିଜେତା ନିଖତ ମଧ୍ୟ ୫-୨ରେ ଥାଇଲାଣ୍ଡର ଚୁଥାମାତ ରକ୍ଷତଙ୍କୁ ପରାସ୍ତ କରିଥିଲେ। ଅଲିମ୍ପିକ୍ କାଂସ୍ୟ ବିଜୟିନୀ ଲଭଲିନା ୫-୦ରେ ମୋଜାମବିକ୍ର ଗ୍ରାମାନି ରାଡି ଆଡୋସିନ୍ଦାଙ୍କୁ ମାତ୍ ଦେଇଥିଲେ। ତେବେ ସାକ୍ଷୀ ଚୌଧୁରୀ (୫୨ କେଜି) ଓ ଗତ ସଂସ୍କରଣ ମନୀଷା ମାଉଁ (୫୭ କେଜି) ନିଜ ନିଜ କ୍ବାର୍ଟରଫାଇନାଲ୍ ବାଉଟ୍ ହାରି ପଦକରୁ ବଞ୍ଚିତ ହୋଇଛନ୍ତି। ସାକ୍ଷୀ ୦-୫ରେ ଚୀନ୍ର ୟୁ ଉଙ୍କଠୁ ଏବଂ ମନୀଷା ୧-୪ରେ ଫ୍ରାନ୍ସର ଅମିନା ଜିଦାନିଙ୍କଠୁ ପରାସ୍ତ ହୋଇଥିଲେ।