ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷ ଆହତ ଯୋଗୁଁ ଜିମ୍ନାଷ୍ଟିକ୍ସଠୁ ଦୂରେଇ ରହିଥିବା ଭାରତୀୟ ଜିମ୍ନାଷ୍ଟ୍ ଦୀପା କର୍ମକାର ଏସୀୟ କ୍ରୀଡ଼ା ପୂର୍ବରୁ ସଫଳ ପ୍ରତ୍ୟାବର୍ତନ କରିଛନ୍ତି। ତୁର୍କିର ମର୍ସିନ୍ରେ ଚାଲିଥିବା ଏଫ୍ଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ବିଶ୍ୱ ଚ୍ୟାଲେଞ୍ଜ କପ୍ରେ ଭଲ୍ଟ ଇଭେଣ୍ଟ୍ରେ ଦୀପା ସ୍ୱର୍ଣ୍ଣ ପଦକ ଜିତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ପ୍ରମାଣିତ କରିଛନ୍ତି। ତ୍ରିପୁରା ଜନ୍ମିତ ୨୪ ବର୍ଷୀୟ ଦୀପା ୨୦୧୬ ରିଓ ଅଲିମ୍ପିକ୍ସରେ ଭୋଲ୍ଟ ଇଭେଣ୍ଟ୍ରେ ଚତୁର୍ଥ ସ୍ଥାନରେ ରହି ଅଳ୍ପରେ ପଦକରୁ ବଞ୍ଚିତ ହୋଇଥିଲେ। ହେଲେ ରବିବାର ବିଶ୍ୱକପ୍ରେ ସେ ଭୋଲ୍ଟରେ ୧୪.୧୫୦ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ରହି ବିଶ୍ୱକପ୍ରେ ନିଜର ପ୍ରଥମ ପଦକ ଜିତିବାରେ ସଫଳ ହୋଇଥିଲେ। ଇଣ୍ଡୋନେସିଆର ରିଫଦା ଇର୍ଫାନତୁଲାଫି ଓ ତୁର୍କିର ଗୋକସୁ ସାନଲି ଏହି ବର୍ଗର ରୌପ୍ୟ ଏବଂ କାଂସ୍ୟ ପଦକ ଜିତିଥିଲେ। ଏଥିସହ ଦୀପା ମଧ୍ୟ ବାଲାନ୍ସ ବିମ୍ ଇଭେଣ୍ଟ୍ ଯୋଗ୍ୟତା ପର୍ଯ୍ୟାୟରେ ୧୧.୮୫୦ ପଏଣ୍ଟ୍ ପାଇ ତୃତୀୟ ସ୍ଥାନରେ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଫଳରେ ଏଥିରେ ଆଉ ଏକ ପଦକ ଜିତିବା ସମ୍ଭାବନା ରହିଛି। ଦୀପାଙ୍କ ଏହି ପ୍ରତ୍ୟବର୍ତନ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର ଏବଂ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଟ୍ଵିଟ୍ ମାଧ୍ୟରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ତାରକା ରାକେଶ ପାତ୍ର ପୁରୁଷ ରିଙ୍ଗ୍ସରେ ୧୩.୬୫୦ ପଏଣ୍ଟ ଅର୍ଜନ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ବର୍ଗରେ ସ୍ଥାନୀୟ ତାରାକା ଇବ୍ରାହିମ କୋଲାକ (୧୫.୧), ରୋମାନିଆର ଆନ୍ଦ୍ରେଇ ଭାସିଲେ (୧୪.୬୦), ନେଦରଲାଣ୍ଡର ୟୁରି ଭାନ୍ ଜେଲଡର (୧୪.୩) ପଏଣ୍ଟ ପାଇ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ।
ବିଶ୍ୱ ଚ୍ୟାଲେଞ୍ଜ୍ କପ୍ରେ ଦୀପାଙ୍କୁ ସ୍ୱର୍ଣ୍ଣ
/sambad/media/post_attachments/wp-content/uploads/2018/07/12-Deepa-karmakar.jpg)