ମୀରପୁର : ଚଳିତ ବାଂଲାଦେଶ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଇଂଲଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାତଛଡ଼ା କରିଛି। ପ୍ରଥମ ଟ୍ବେଣ୍ଟି-୨୦କୁ ୬ ୱିକେଟ୍ରେ ଜିତିଥିବା ଘରୋଇ ବାଂଲାଦେଶ ରବିବାର ଦ୍ବିତୀୟ ମ୍ୟାଚ୍କୁ ୪ ୱିକେଟ୍ରେ ଜିତି ନେଇଛି। ଫଳରେ ଏହି ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଆଗୁଆ ୨-୦ରେ କବ୍ଜା କରି ବିଶ୍ବବିଜେତା ଇଂଲଣ୍ଡଠୁ ଦିନିକିଆ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ନେଇଛି। ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମଙ୍ଗଳବାର ଖେଳାଯିବ।
ବାଂଲାଦେଶ ଅଧିନାୟକ ସକିବ ଅଲ୍ ହାସନ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭ୍ରମଣକାରୀ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୦ ଓଭରରେ ୧୧୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ବେନ୍ ଡକେଟ୍ (୨୮) ଓ ଫିଲ୍ ସଲ୍ଟ (୨୫) କିଛିଟା ଲଢ଼ିଥିଲେ। ମେହେଦି ହାସନ ମିରାଜ (୪-୦-୧୨-୪)ଙ୍କ ଘାତକ ବୋଲିଂ ସଫଳତା ଯୋଗୁଁ ଇଂଲଣ୍ଡ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଥିଲା। ଜବାବରେ ନଜମୁଲ ହୋସେନ ସାଣ୍ଟୋଙ୍କ ୪୬*, ମେହେଦି ହାସନ ମିରାଜଙ୍କ ୨୦ ଓ ତୋହିଦ ହିଦୋୟଙ୍କ ୧୭ ରନ୍ ବଳରେ ଘରୋଇ ଦଳ ୭ ବଲ୍ ପୂର୍ବରୁ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ମେହେଦି ହାସନ ମିରାଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ୨୦ ଓଭରରେ ୧୧୭/୧୦ (ବେନ୍ ଡକେଟ୍-୨୮, ଫିଲ୍ ସଲ୍ଟ-୨୫, ମେହିଦି ହାସନ ମିରାଜ-୪/୧୨, ହାସନ ଅହମ୍ମଦ-୧/୧୦, ସକିବ ଅଲ୍ ହାସନ-୧/୧୩, ମୁସ୍ତାଫିଜର ରହମନ୍-୧/୧୯, ତସ୍କିନ ଅହମଦ-୧/୨୭)। ବାଂଲାଦେଶ ୧୮.୫ ଓଭରରେ ୧୨୦/୬ (ନାଜମୁଲ ହୋସେନ ସାଣ୍ଟୋ-୪୬, ମେହେଦି ହାସନ ମିରାଜ-୨୦, ତୋହିଦ ହିଦୋୟ-୧୭, ଜୋଫ୍ରା ଆର୍ଚର-୩/୧୩, ସାମ କରନ-୧/୧୫, ରେହାନ ଅହମଦ-୧/୧୧, ମୋଇନ ଅଲ୍ଲୀ-୧/୨୫)।