ନୂଆଦିଲ୍ଲୀ : ସନ୍ତରଣ ବଟରଫ୍ଲାଏ ବିଶ୍ବ ବିଜେତା ବୋଗଲାର୍କା କପାସ୍ କରୋନାରେ ଆକ୍ରାନ୍ତ। କପାସ୍ଙ୍କୁ ମିଶାଇ ହଙ୍ଗେରିର ୯ ସନ୍ତରଣକାରୀଙ୍କ ନମୁନା କୋଭିଡ-୧୯ ପରୀକ୍ଷାରେ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ୨୦୧୭ ବିଶ୍ବ ପ୍ରତିଯୋଗିତାରେ ୪ ଗୁଣା ୧୦୦ ମିଟର ଫ୍ରି ଷ୍ଟାଇଲ୍ରେ କାଂସ୍ୟ ଜିତିଥିବା ଡୋମ୍ନିକ୍ କୋଜମା ମଧ୍ୟ ଏହି ଭୂତାଣୁର ଶିକାର ହୋଇଛନ୍ତି। ଦେଶର ସନ୍ତରଣ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ପର୍ଯ୍ୟାୟକ୍ରମେ ପରୀକ୍ଷା କରାଯାଉଥିବା ହଙ୍ଗେରି ସନ୍ତରଣ ସଂଘ ପକ୍ଷରୁ କୁହାଯାଇଛି। ନିୟମିତ ଭାବେ ପରୀକ୍ଷା ରିପୋର୍ଟ ଆସୁଥିଲା ବେଳେ ମଙ୍ଗଳବାର ରାତି ସୁଦ୍ଧା ୯ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଏହି ସନ୍ତରଣକାରୀ ଦଳ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ହଙ୍ଗେରିକୁ ଫେରିବା ପରଠୁ ସମସ୍ତଙ୍କୁ ସଙ୍ଗରୋଧ ଭାବେ ରଖାଯାଇଥିଲା ବେଳେ କୌଣସି ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ସେମାନଙ୍କୁ ବାରଣ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।
କରୋନାରେ ଆକ୍ରାନ୍ତ ହୋଇଥିଲେ ବି ଏହା ତାଙ୍କର ଦୈନନ୍ଦିନ କାର୍ଯ୍ୟରେ ଫରକ ଆଣିବନି େବାଲି କପାସ୍ କହିଛନ୍ତି। ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଛାଡ଼ି ସେଥିରେ ସେ କହିଛନ୍ତି ଯେ ଘରେ ରହୁଥିବା ସମୟରେ ସେ ବଗିଚାରେ କିଛି ସମୟ ବିତାଉଛନ୍ତି। ଯଦି ବି ସୁସ୍ଥ ଅନୁଭବ ହେଉଛି, ତଥାପି ଦେହରେ ଭୂତାଣୁ ରହିଥିବାରୁ ଅଧିକ ଯତ୍ନବାନ ହୋଇ ଚଳିବାକୁ ପଡ଼ିବ ବୋଲି ସେ ଭିଡିଓରେ କହିଛନ୍ତି। କୋଜ୍ମାଙ୍କର ପ୍ରଥମ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିଲେ ବି ଦ୍ବିତୀୟ ପରୀକ୍ଷାରେ ରିପୋର୍ଟ ପଜିଟିଭ୍ ବାହାରିଥିଲା। ତେବେ ଏହାକୁ ନେଇ ସେ ଭୟଭୀତ ନଥିଲେ ବି ତାଙ୍କ ପତ୍ନୀଙ୍କ ପାଇଁ ସେ ବେଶି ଚିନ୍ତିତ ଥିବା ଏକ ଟେଲିଭିଜନ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ହଙ୍ଗେରିରେ ବର୍ତ୍ତମାନସୁଦ୍ଧା ପାଖାପାଖି ୫୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।