ଟୋକିଓ: ଚଳିତ ବିଡବ୍ଲୁଏଫ୍ ବିଶ୍ବ ଚାମ୍ପିଅନ୍ସିପ୍ର ସେମିଫାଇନାଲ୍ରେ ପହଞ୍ଚି ଭାରତ ପାଇଁ ପ୍ରଥମ ପୁରୁଷ ଯୁଗଳ ପଦକ ପକ୍କା କରିବାରେ ଇତିହାସ ରଚିଥିବା ବିଶ୍ବ ମାନ୍ୟତାର ସପ୍ତମ ଯୋଡ଼ି ସାତ୍ତ୍ବିକ୍ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ଆଉ ଆଗକୁ ବଢ଼ିପାରିନଥିଲେ। ଶନିବାର ସେମିଫାଇନାଲ୍ରେ ୭୭ ମିନିଟ୍ ଲଢ଼ିବା ପରେ ଷଷ୍ଠ ମାନ୍ୟତାପ୍ରାପ୍ତ ମାଲେସିଆ ଯୋଡ଼ି ଆରୋନ ଚିଆ ଓ ସୋହ ଉଇ ୟିକ୍ଙ୍କ ନିକଟରୁ ୨୨-୨୦, ୧୮-୨୧ ଓ ୧୬-୨୧ରେ ହାରି ସାତ୍ତ୍ବିକ-ଚିରାଗ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ମାଲେସିଆ ଯୋଡ଼ି ନିକଟରୁ ଏହା ମଧ୍ୟ ସାତ୍ତ୍ବିକ୍-ଚିରାଗଙ୍କ କ୍ରମାଗତ ଷଷ୍ଠ ପରାଜୟ। ସମାନ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମିଶ୍ରିତ ଦଳଗତ ଫାଇନାଲ୍ରେ ମଧ୍ୟ ଭାରତୀୟ ଯୋଡ଼ି ହାରିଯାଇଥିଲେ। ତଥାପି ବିଶ୍ବ ଚାମ୍ପିଅନ୍ସିପ୍ ପୁରୁଷ ଯୁଗଳରେ ଭାରତ ପାଇଁ ପ୍ରଥମ କାଂସ୍ୟ ପଦକ ଜିତି ଇତିହାସ ପୃଷ୍ଠାରେ ସେମାନଙ୍କ ନାମକୁ ଯୋଡ଼ିଥିଲେ। କେବଳ ସେତିକି ନୁହେଁ ୨୦୧୧ ପରେ ବିଶ୍ବ ଚାମ୍ପିଅନ୍ସିପ୍ରେ ମଧ୍ୟ ଭାରତର ଏହା ପ୍ରଥମ ପଦକ ହୋଇଛି। ଗତମାସରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଥିବା ଏହି ଯୋଡ଼ିଙ୍କ ପରାଜୟ ସହ ବିଶ୍ବ ଚାମ୍ପିଅନ୍ସିପ୍ରୁ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଯାଇଛି। ଭାରତ ପାଇଁ ବିଶ୍ବ ଚାମ୍ପିଅନ୍ସିପ୍ରେ ପ୍ରଥମ ଯୁଗଳ ପଦକ ମହିଳା ଯୋଡ଼ି ଜ୍ବାଳା ଗୁଟ୍ଟା ଓ ଅଶ୍ବିନୀ ପୋନାପ୍ପା ଜିତିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp