ଓଡ଼ିଶାରେ ବିଶ୍ବ ବିଜେତା ‘ଗ୍ରେଟ୍‌ ଖଲି’

ଦିନକୁ ୫ ଲିଟର କ୍ଷୀର, ୩ କିଲୋ ଚିକେନ୍‌ ଖାଆନ୍ତି

ଭୁବନେଶ୍ବର: ଡବ୍‌ଲ୍ୟୁଡବ୍‌ଲ୍ୟୁଇ କିମ୍ବଦନ୍ତୀ ତଥା ଭାରତର ଜଣାଶୁଣା ରେସଲର ‘ଦ ଗ୍ରେଟ୍‌ ଖଲି’ ରବିବାର ଭୁବନେଶ୍ବର ଗସ୍ତରେ ଆସି ଯୁବ ପିଢ଼ିଙ୍କୁ କୁସ୍ତି ପ୍ରତି ଅନୁପ୍ରେରିତ କରିବା ସହିତ ନିଜ ମନ କଥା ଖୋଲି କହିଛନ୍ତି। ଏକ କମ୍ପାନିର ବିଜ୍ଞାପନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଥିବା ଖାଲିଙ୍କୁ ଅତି ନିକଟରୁ ଦେଖିଛନ୍ତି ତାଙ୍କ ପ୍ରଶଂସକମାନେ। ନିଜ ପ୍ରିୟ ତାରକାଙ୍କ ସହ ସେଲ୍‌ଫି ନେଇ ମଜାଦାର ବାର୍ତ୍ତାଳାପ ମଧ୍ୟ କରିଛନ୍ତି ।
ଏହି ଦିନିକିଆ ଓଡିଶା ଗସ୍ତ ସମୟରେ ଖଲି ନିଜର ଫିଟନେସ ମନ୍ତ୍ର ବାଣ୍ଟିଥିଲେ। ତାଙ୍କ ଫିଟନେସ ବାବଦରେ ସମସ୍ତେ ଜାଣିବାକୁ ଚାହୁଁଥିବା ବେଳେ ସେ ନିଜେ ଏହା ଉପରୁ ପରଦା ଉଠାଇଛନ୍ତି। ଖଲିଙ୍କ ଦୈନଦିନ ଖାଦ୍ୟ ତାଲିକାରେ ପୁଷ୍ଟିକର ଆହାର ଭରପୁର ମାତ୍ରାରେ ଥାଏ, ଜଙ୍କ୍ ଫୁଡ ଠାରୁ ସେ ଅପାତତଃ ଦୂରେଇ ରୁହନ୍ତି । ଏହା ଛଡା ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ସେ ଏବେ ବି ଏତେ ଫିଟ୍ ଅଛନ୍ତି ବୋଲି କହିଛନ୍ତି ଖଲି । ଖଲିଙ୍କ ଶରୀରର ଓଜନ ୧୫୭ କିଲୋଗ୍ରାମ। ସେ ପ୍ରତିଦିନ ୫ ଲିଟର କ୍ଷୀର, ୩ କିଲୋ ଚିକେନ ଖାଉଛନ୍ତି। ତେବେ ଅନ୍ୟମାନଙ୍କୁ ତାଙ୍କ ଭଳି ଖାଇ ରେସଲିଂ କରିବାକୁ ମନା କରିଛନ୍ତି ଖଲି । କାରଣ ଏହାଦ୍ୱାରା ପେଟ ଖରାପ ହେବ ବୋଲି ସେ କହିଛନ୍ତି । ଏହା ବାଦ୍ ନିଜକୁ ଫିଟ୍ ରଖିବା ପାଇଁ ଉଭୟ ସକାଳ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ଖଟିବାକୁ ପଡ଼ିଥାଏ ବୋଲି ଏବେ ବି ରେସଲିଂ ରିଙ୍ଗ୍‌ରେ ସକ୍ରୀୟ ଥିବା ୪୬ ବର୍ଷୀୟ ଖଲି କହିଛନ୍ତି।
ଡବ୍‌ଲ୍ୟୁଡବ୍‌ଲ୍ୟୁଇ ଦୁନିଆରେ ଖଲି ନାମରେ ପରିଚିତ ଥିଲେ ବି ତାଙ୍କ ଅସଲ ନାଁ ହେଉଛି ଦିଲୀପ ସିଂହ ରାଣା। ଉଚ୍ଚତା ୭ ଫୁଟ ୧ ଇଞ୍ଚ (୨.୧୬ ମିଟର)। ହିମାଚଳପ୍ରଦେଶର ଧୀରାଇନାର ମୂଳ ଅଧିବାସୀ ହୋଇଥିଲେ ମଧ୍ୟ ଖଲି ଆମେରିକାର ନାଗରିକତ୍ବ ଗ୍ରହଣ କରିଛନ୍ତି। ପେସାଦାର କୁସ୍ତି ଜୀବନର ଶ୍ରେଷ୍ଠ ସମୟରେ ସେ ୨୦୧୪ରେ ବିଶ୍ବର ଅଷ୍ଟମ ଏବଂ ୨୦୧୭ରେ ଚତୁର୍ଥ ସ୍ଥାନ ପାଇଥିଲେ। ୨୦୦୭ ମସିହାରେ ଡବ୍‌ଲ୍ୟୁଡବ୍‌ଲ୍ୟୁଇ ବିଶ୍ବ ହେଭିୱେଟ୍‌ ବିଜେତା ହେବା ତାଙ୍କୁ ଶିଖରରେ ପହଞ୍ଚାଇଥିଲା। ପେସାଦାର କୁସ୍ତି ଜୀବନ ଆରମ୍ଭ କରିବା ପୂର୍ବରୁ ସେ ପଞ୍ଜାବ ପୁଲିସ୍‌ରେ ଅଫିସର ଥିଲେ। ୪ ହଲିଉଡ୍‌, ୨ ବଲିଉଡ୍‌ ଏବଂ ଏକାଧିକ ଟେଲିଭିଜନ୍‌ ସୋ’ରେ ମଧ୍ୟ ଖଲି ଅଂଶଗ୍ରହଣ କରି ନିଜ ପ୍ରଶଂସକଙ୍କୁ ମନୋରଂଜନର ଖୋରାକ ଯୋଗାଇଛନ୍ତି। ୨୦୦୦ ମସିହାରୁ ତାଙ୍କ ପେସାଦାର କୁସ୍ତି ଜୀବନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର