କୁଆଲାଲୁମ୍ପୁର୍: ଭାରତର ଅଗ୍ରଣୀ କ୍ୟୁ ସ୍ପୋର୍ଟସ ତାରକା ପଙ୍କଜ ଆଡ଼ଭାନି ଶନିବାର ନିଜ ଖେଳ ଜୀବନର ୨୫ତମ ବିଶ୍ବ ମୁକୁଟ ହାସଲ କରିଛନ୍ତି। କୁଆଲାଲୁମ୍ପୁରଠାରେ ଖେଳାଯାଇଥିବା ୧୫୦-ଅପ୍ ଫର୍ମାଟ ଫାଇନାଲ୍ରେ ପଙ୍କଜ ନିଜ ଦେଶର ସୌରଭ କୋଠାରୀଙ୍କୁ ୪-୦ରେ ପରାସ୍ତ କରି ପୁଣି ଥରେ ଏହି ଗୌରବ ଆଣିଛନ୍ତି। ଭଲ ସଂଖ୍ୟାରେ ଉପସ୍ଥିତ ଥବା ଦର୍ଶକଙ୍କୁ ଖୁସୀ କରି ଦେଇଥିବା ପଙ୍କଜ ପ୍ରଥମ ଫ୍ରେମ୍ରୁ ହିଁ ନିଜ ଯାଦୁ ଦେଖାଇଥିଲେ। ପ୍ରଥମ ଫ୍ରେମ୍ରେ ପଙ୍କଜ ୧୪୯ ବ୍ରେକ୍ ପଏଣ୍ଟ ଅର୍ଜନ କରିଥିଲେ।
ବେଷ୍ଟ୍ ଅଫ୍ ସେଭେନ୍ ଫ୍ରେମ୍ ବିଶିଷ୍ଟ ଏହି ମୁକାବିଲାରେ କୋଠାରୀଙ୍କୁ କୌଣସି ସୁଯୋଗ ଦେଇନଥିଲେ ଆଡ଼ଭାନି। ଏଥି ସହିତ ଜାତୀୟ-ଏସୀୟ-ବିଶ୍ବ ତ୍ରିକୋଣୀୟ ପ୍ରତିଯୋଗିତାରେ ଆଡ଼ଭାନି ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ରେକର୍ଡ ପଞ୍ଚମ ମୁକୁଟ ପାଇଥିଲେ। କ୍ରମାଗତ ପଞ୍ଚମ ବର୍ଷ ପାଇଁ ଆଡ଼ଭାନି ମଧ୍ୟ ନିଜ ବିଶ୍ବ ମୁକୁଟ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ୧୨ ମାସ ତଳେ ବେଙ୍ଗାଲୁରୁ ଯୁବକ ଆଡ଼ଭାନି କାତାରରେ ଆଇବିଏସ୍ଏଫ ୬-ରେଡ୍ ବଲ୍ ସ୍ନୁକର ବିଶ୍ବକପ୍ ଜିତିଥିଲେ। ଅନ୍ୟପକ୍ଷରେ କୋଠାରୀଙ୍କ ପାଇଁ ବିଶ୍ବ ମୁକୁଟ ଏତେ ପାଖ ଏତେ ଦୂର ହୋଇଯିବାରୁ ତାଙ୍କ ସ୍ବପ୍ନ ଅଧୁରା ରହିଛି। ‘ଚଳିତ ବର୍ଷର ପ୍ରତିଟି ବିଲିଆର୍ଡସ ଇଭେଣ୍ଟରେ ମୁଁ ବିଜେତା ହୋଇ ଦେଶ ପାଇଁ ସଫଳତା ଆଣିଥିବାରୁ ନିଜକୁ ଗୌରବାନ୍ବିତ ମନେ କରୁଛି’ ବୋଲି ଆଡ଼ଭାନି ପ୍ରକାଶ କରିଛନ୍ତି।