ଆଉ ୧୦ ଦିନ: ବୋଲର ଭାରତର ବଡ଼ ଶକ୍ତି

ନୂଆଦିଲ୍ଲୀ: ଭାରତୀୟ ଦଳରେ ବହୁ ଦକ୍ଷ ବୋଲର ଅଛନ୍ତି। ସେମାନଙ୍କ ୱିକେଟ୍ ନେବା ଦକ୍ଷତା ଭାରତର ବଡ଼ ଶକ୍ତି। ବିଶେଷ କରି ରନ୍ ବର୍ଷା ହେବାର ଆଶା ଥିବା ଇଂଲଣ୍ଡ୍‌ ବିଶ୍ବକପ୍‌ର ମଝି ଓଭରଗୁଡ଼ିକରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଆୟୋଜକ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତ ବିଶ୍ବକପର ପ୍ରମୁଖ ଦାବିଦାର। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଶନିବାର ଏହା କହିଛନ୍ତି। ଭାରତ ‘ଏ’ ଦଳର ଗତ ଇଂଲଣ୍ଡ ଗସ୍ତର ଅଭିଜ୍ଞତାରୁ ମୁଁ କହି ପାରିବି ଯେ ବିଶ୍ବକପରେ ବଡ଼ ବଡ଼ ସ୍କୋର ଦେଖିବାକୁ ମିଳିବ। ସେଥିପାଇଁ ମଝି ଓଭରଗୁଡ଼ିକରେ ୱିକେଟ୍ ନେବାର ମହତ୍ବ ବଢ଼ିଯିବ। ଭାରତ ଅବଶ୍ୟ ଏହି କ୍ଷେତ୍ରରେ ଭାଗ୍ୟଶାଳୀ। କାରଣ ଆମ ଦଳରେ ଏକାଧିକ ୱିକେଟ୍ ହାସଲକାରୀ ବୋଲର ଅଛନ୍ତି। ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲଙ୍କ ଭଳି ବୋଲର ଯେ କୌଣସି ସ୍ଥିତିରେ ୱିକେଟ୍ କରାୟତ କରିବାର କ୍ଷମତା ରଖନ୍ତି। ବିଶ୍ବକପର ଦୁଇ ବର୍ଷ ପୂର୍ବରୁ ଭାରତୀୟ ଦଳ ଭଲ କ୍ରିକେଟ୍ ଖେଳି ଆସୁଛି। ଆମେ ବିଶ୍ବର ଦୁଇ ନମ୍ବର ଦଳ। ଏହା ଆମ ସ୍ଥିର ପ୍ରଦର୍ଶନକୁ ଦର୍ଶାଉଛି ବୋଲି ଦ୍ରାବିଡ଼ କହିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିବାକୁ ଯାଇ ଦ୍ରାବିଡ଼ କହିଛନ୍ତି ଯେ ବିରାଟ ଦିନକୁ ଦିନ ଆହୁରି ଉନ୍ନତି କରୁଛନ୍ତି। ସେ ନିଜ ପାଇଁ ଏମିତି ସ୍ତର ନିର୍ଣ୍ଣୟ କରିଛନ୍ତି, ଯାହା ଆମ କଳ୍ପନା ବାହାରେ ଥିଲା। ସଚିନ ଦିନିକିଆରେ ୪୯-୫୦ ଶତକ ହାସଲ କରିଛନ୍ତି। ବିରାଟ ଏବେ ଏହାଠାରୁ ମାତ୍ର ୧୦ ଶତକ ପଛରେ ଅଛନ୍ତି। ୨୦୧୪ ଇଂଲଣ୍ଡ ଗସ୍ତରେ ବିରାଟ ବିଫଳ ହୋଇଥିଲେ। ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ ସେ ମଧ୍ୟ ସେତେଟା ସଫଳ ହୋଇ ନଥିଲେ। ପରବର୍ତୀ ସମୟରେ କିନ୍ତୁ ସେ ଏହି ଦୁଇ ଦେଶରେ ବହୁତ ଭଲ କ୍ରିକେଟ୍ ଖେଳିଥିଲେ। ଦୁଇଥର ବିଶ୍ବକପ୍ ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କର ମଧ୍ୟ ଦ୍ରାବିଡ଼ ପ୍ରଶଂସା କରିଥିଲେ। ଧୋନିଙ୍କୁ ବଡ଼ ମ୍ୟାଚ୍‌ର ଖେଳାଳି ଭାବେ ବର୍ଣ୍ଣନା କରି ଦ୍ରାବିଡ଼ କହିଛନ୍ତି ୧୯ ବର୍ଷରୁ କମ୍ ଖେଳାଳିମାନଙ୍କୁ ସବୁବେଳେ ଧୋନିଙ୍କ ଉଦାହରଣ ଦିଏ। ସେ ଯେ କୌଣସି ସମୟ ଏବଂ ସ୍ଥିତିରେ ଖେଳିବାର ବାଟ ବାହାର କରି ନିଅନ୍ତି। ଏହା ହିଁ ଧୋନିଙ୍କର ଅସଲ ଶକ୍ତି।

କେଦାର ଫିଟ୍‌
ମୁମ୍ବାଇ: ବିଶ୍ବକପ୍‌ ଦଳର ସଦସ୍ୟ କେଦାର ଯାଦବଙ୍କ ଆହତ ସମସ୍ୟା ନେଇ ରହିଥିବା ଚିନ୍ତା ଦୂର ହୋଇଛି। ଏହି ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ପୂରା ସୁସ୍ଥ ହୋଇଥିବା ଭାରତୀୟ ଦଳ କର୍ତୃପକ୍ଷ ଶନିବାର ଘୋଷଣା କରିଛନ୍ତି। ଫଳରେ କେଦାର ମଧ୍ୟ ଅବଶିଷ୍ଟ ଦଳୀୟ ସାଥୀଙ୍କ ସହ ୨୨ ତାରିଖ ସକାଳେ ଲଣ୍ଡନ ଅଭିମୁଖେ ବିମାନ ଧରିବେ ବୋଲି ତାଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଫିଜିଓ ପ୍ୟାଟ୍ରିକ୍‌ ଫରହାତ୍‌ କହିଛନ୍ତି। ଫରହାତ୍‌ ଗତ ସପ୍ତାହେ ଧରି ‌କେଦାରଙ୍କ ଚିକିତ୍ସା ଦାୟିତ୍ବରେ ଥିଲେ। ଶେଷରେ ଶୁକ୍ରବାର ସକାଳେ କିଛିଟା ପ୍ରଶିକ୍ଷଣ ଅଧିବେସନ କରାଇବା ପରେ ସେଥିରେ କେଦାର କୃତକାର୍ଯ୍ୟ ହୋଇଥିଲେ। ଫରହାତ୍‌ ମଧ୍ୟ ଶୁକ୍ରବାର କେଦାରଙ୍କ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ)କୁ ପ୍ରଦାନ କରିଛନ୍ତି। କେଦାର ଯାଦବ ଭାରତ ପାଇଁ ୫୯ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୪୩.୫୦ ହାରରେ ୧୧୭୪ ରନ୍‌ କରିଛନ୍ତି। ସେଥିରେ ୨ ଶତକ ଓ ୫ ଅର୍ଧଶତକ ସାମିଲ ଥିଲା ବେଳେ ଷ୍ଟ୍ରାଇକ୍‌ ହାର ୧୦୨.୫୦ ରହିଛି।

ସମ୍ବନ୍ଧିତ ଖବର