୨୦୧୧ ବିଶ୍ବକପ୍‌ ଫାଇନାଲ୍‌କୁ ଶ୍ରୀଲଙ୍କା ବିକି ଦେଇଥିଲା

ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ

କଲମ୍ବୋ : ପୁଣି ମ୍ୟାଚ୍‌ ଫିକ୍ସିଂ ଅଭ‌ିଯୋଗ ମୁଣ୍ଡ ଟେକିଛି। ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦା ଅଲୁଥଗାମାଜ କହିଛନ୍ତି ୨୦୧୧ ମସିହାର ଭାରତ ବିପକ୍ଷ ବିଶ୍ବକପ୍‌ ଫାଇନାଲ୍‌କୁ ଶ୍ରୀଲଙ୍କା ବିକ୍ରି କରିଦେଇଥିଲା। ୨୦୧୦ରୁ ୨୦୧୫ ମସିହା ପର୍ଯ୍ୟନ୍ତ ମୁଁ କ୍ରୀଡ଼ାମନ୍ତ୍ରୀ ଥିବା ବେଳେ ହିଁ ଏହା ଘଟିଥିଲା। ଆମେ କିନ୍ତୁ ଏହାକୁ ପଦାକୁ ଆଣିନଥିଲୁ। ଏବେ ମୁଁ ସେ ବିଷୟରେ ଆଲୋଚନା କରିପାରିବି। ଆମେ ସେହି ଫାଇନାଲ୍ ମ୍ୟାଚ୍‌ ଜିତିବା କଥା। ମୁଁ କୌଣସି ଖେଳାଳିଙ୍କୁ ଏଥି ସହ ଯୋଡ଼ିନାହିଁ, କିନ୍ତୁ କିଛି ଲୋକ ଏଥିରେ ସମ୍ପୃକ୍ତ ଥିଲେ ବୋଲି ମହିମାନନ୍ଦ ଗୁରୁବାର ସିରସା ଟିଭିକୁ ଏକ ସାକ୍ଷାତକାର ‌ଦେଇ କହିଛନ୍ତି। ୧୯୯୬ ବିଶ୍ବକପ୍‌ ବିଜେତା ସିଂହଳୀ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ପରେ ଦ୍ବିତୀୟ ପ୍ରମୁଖ ବ୍ୟକ୍ତି ଭାବେ ସେ ଅଭିଯୋଗ ଆଣିଛନ୍ତି। ୨୦୧୧ ଫାଇନାଲ୍ ମ୍ୟାଚ୍‌ ବେଳେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ଭାଷ୍ୟକାର ଦାୟିତ୍ବରେ ଥିଲେ ରଣତୁଙ୍ଗା। ଅତୀତରେ ରଣତୁଙ୍ଗା ଏହାର ତଦନ୍ତ ଦାବି କରିଥିଲେ। ‘ଆମେ ଯେତେବେଳେ ହାରିଗଲୁ, ମୁଁ ବ୍ୟଥିତ ହୋଇପଡ଼ିଥିଲି ଏବଂ ସନ୍ଦେହ ଆସିଥିଲା’ ବୋଲି ୨୦୧୭ ଜୁଲାଇରେ ତଦନ୍ତ ଦାବି ବେଳେ କହିଥ‌ିଲେ ରଣତୁଙ୍ଗା।

ମାହେଲା ଜୟବର୍ଧନେଙ୍କ ଶତକ ବଳରେ ଶ୍ରୀଲଙ୍କା ୬ ୱିକେଟ୍ ବିନିମୟରେ ୨୭୪ ରନ୍ କରିଥିଲା। ସଚିନ ତେନ୍ଦୁଲକର ସଅଳ ଆଉଟ୍ ହୋଇଯିବା ପରେ ଶ୍ରୀଲଙ୍କା ଭଲ ସ୍ଥିତିରେ ରହିଥିଲା। କିନ୍ତୁ ଗୌତମ ଗମ୍ଭୀର (୯୭) ଏବଂ ମହେନ୍ଦ୍ର ସିଂହ ଧୋନି (୯୧*) ଭାରତକୁ ବିଜୟୀ କରାଇଥିଲେ। ଶ୍ରୀଲଙ୍କା କ୍ରିକେଟ୍ ବହୁବାର ଦୁର୍ନୀତିରେ ଲିପ୍ତ ରହୁଥିବାର ବାରମ୍ବାର ଅଭିଯୋଗ ବି ଆସୁଛି। ୨୦୧୮ ମସିହାରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ୍ ମ୍ୟାଚ୍‌ ମଧ୍ୟ ଫିକ୍ସଂ ଅଭିଯୋଗରେ ରହିଥିଲା। ଆଉ ଜଣେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ହରିନ୍ ଫର୍ନାଣ୍ଡୋ ମଧ୍ୟ କହିଛନ୍ତି ଶ୍ରୀଲଙ୍କା କ୍ରିକେଟ୍ ଏବେ ‘ଶୀର୍ଷରୁ ନିମ୍ନକୁ ଆସିଗଲାଣି’। ଆଇସିସି ମଧ୍ୟ ଶ୍ରୀଲଙ୍କାକୁ ଏକ ଦୁର୍ନୀତିଗସ୍ତ କ୍ରିକେଟ୍ ଦେଶ ଭାବେ ପରିଗଣିତ କରୁଛି ବୋଲି ସେ ପ୍ରକାଶ କରିଛନ୍ତି। ୨୦୧୮ ମସିହାରେ ମଧ୍ୟ ଏକ ସୀମିତ ଓଭର କ୍ରିକେଟ୍ ଲିଗ୍‌ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ପୂର୍ବତନ ଦ୍ରୁତ ବୋଲର ଦିଲହରା ଲୋକୁହେଟିଜଙ୍କୁ ନିଲମ୍ବିତ କରାଯାଇଥିଲା। ପୂର୍ବରୁ ପୂର୍ବତନ ଅଧିନାୟକ ତଥା‌ ପୂର୍ବତନ ମୁଖ୍ୟ ଚୟନକର୍ତା ସନଥ ଜୟସୁରିଆ ଏବଂ ଦ୍ରୁତ ବୋଲର୍‌ ନୁୱାନ ଜୋୟସାଙ୍କୁ ମଧ୍ୟ ମ୍ୟାଚ୍ ଫିକ୍ସିଂ ଓ ଅସହଯୋଗ କାରଣରୁ ନିଲମ୍ବିତ କରାଯାଇଥିଲା।

ହସରେ ଉଡ଼ାଇଲେ ମାହେଲା, ସାଙ୍ଗା
ପୂର୍ବତନ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ମହିମାନନ୍ଦଙ୍କ ପରୋକ୍ଷ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗକୁ ହସରେ ଉଡ଼ାଇ ଦେଇଛନ୍ତି ୨୦୧୧ ବିଶ୍ବକପ୍‌ ଦଳର ଦୁଇ ପ୍ରମୁଖ ଖେଳାଳି କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଧନେ। ସାଙ୍ଗାକାର ଅଧିନାୟକ ଥିବାବେଳେ ମାହେଲା ଫାଇନାଲରେ ଶତକ ହାସଲ କରିଥିଲେ। ଉଭୟ କହିଛନ୍ତି ଏଭଳି ଅଭିଯୋଗ ହାସ୍ୟାସ୍ପଦ। ନିଜ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ସାଙ୍ଗାକାରା ଲେଖିଛନ୍ତି ‘ଅଭିଯୋଗକାରୀ ନିଜ ପ୍ରମାଣକୁ ଆଇସିସିକୁ ଦିଅନ୍ତୁ, ଦୁର୍ନୀତି ବିରୋଧୀ ୟୁନିଟ୍‌ ଏହାର ପୁଙ୍ଖା‌ନୁପୁଙ୍ଖ ତଦନ୍ତ କରିପାରିବ’। ପୂର୍ବତନ ଅଧିନାୟକ ମାହେଲା କିନ୍ତୁ ଲେଖିଛନ୍ତି ‘ନିର୍ବାଚନ ପାଖେଇ ଆସିବାରୁ ଏବେ ସର୍କସ୍ ଆରମ୍ଭ ହୋଇଯିବା ଭଳି ଲାଗୁଛି, ନାମ ଓ ପ୍ରମାଣ ରଖ’।

ଫିକ୍ସିଂ ପାକିସ୍ତାନରେ ଅପରାଧ ବିବେଚିତ
ପାକିସ୍ତାନରେ ମ୍ୟାଚ୍‌ ଫିକ୍ସିଂକୁ ଅପରାଧ ବିବେଚନା କରିବା ଲାଗି ବିଧିବଧ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। କ୍ରିକେଟ୍‌ ଦୁର୍ନୀତି ଓ ମ୍ୟାଚ୍ ଫିକ୍ସିଂକୁ ଦଣ୍ଡନୀୟ ଅପରାଧ କରିବା ଲାଗି ପାକିସ୍ତାନ୍ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ କରାଯାଇଥିବା ଏକ ଚିଠା ପ୍ରସ୍ତାବକୁ ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ମଧ୍ୟ ଅନୁମୋଦନ କରିଛନ୍ତି। ବିଶ୍ବକପ୍‌ ବିଜେତା ଇମ୍ରାନ୍‌ ଖାନ୍‌ ଏବେ ପିସିବିର ମୁଖ୍ୟ ପୃଷ୍ଠପୋଷକ ରହିଛନ୍ତି। ପିସିବିକୁ ଏ ‌କ୍ଷେତ୍ରରେ ଇମ୍ରାନ ସବୁଜ ‌ସଙ୍କେତ ଦେଇଛନ୍ତି।‌ ସେହିଭଳି ପାକିସ୍ତାନ କ୍ରିକେଟ୍‌ ଦଳର ଇଂଲଣ୍ଡ ଗସ୍ତକୁ ମଧ୍ୟ ପାକିସ୍ତାନ ସରକାର ଅନୁମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର