ନୂଆଦିଲ୍ଲୀ: ବର୍ତ୍ତମାନ ଟ୍ରେଣ୍ଡ କହୁଛି ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପ୍ରେ ଚାମ୍ପିଅନ୍ ହେବାକୁ ଦଳ ମାନଙ୍କର ମଧ୍ୟରେ ଅନ୍ୟତମ। ଏହି ତାଲିକାରେ ଇଂଲଣ୍ଡ ପରେ ଟିମ୍ ଇଣ୍ଡିଆର ନାମ ଆସୁଛି। ଟୁର୍ଣ୍ଣାମେଣ୍ଟର ପ୍ରମୁଖ ମ୍ୟାଚ୍ ଗୁରୁବାର ଠାରୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆକୁ ପାଖାପାଖି ସମସ୍ତ ଟିମ୍ ସହିତ ମୁକାବିଲା କରିବାକୁ ପଡ଼ିବ କିନ୍ତୁ ଟିମ୍ ପାଇଁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷରେ ଖେଳିବା ସବୁଠାରୁ ଅଧିକ ଚ୍ୟାଲେଞ୍ଜିଙ୍ଗ ହେବ। ଏଥିରେ ପ୍ରଶଂସକଙ୍କ ସବୁଠାରୁ ଅଧିକ ଅପେକ୍ଷା ମଂଚେଷ୍ଟରରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ରହିିଛି।
ମଂଚେଷ୍ଟରର ଓଲ୍ଡ ଟ୍ରେଫେର୍ଡ ପଡ଼ିଆରେ ଏଥର ଟିମ୍ ଇଣ୍ଡିଆକୁ ଅତି କମ୍ରେ ୨ଟି ମ୍ୟାଚ୍ ଖେଳିବାର ଅଛି। ସେମିଫାଇନାଲରେ ପହଂଚିଲେ ଏଠାରେ ୩ଟି ମ୍ୟାଚ ମଧ୍ୟ ଖେଳିବାକୁ ପଡ଼ିପାରେ। ଭାରତୀୟ ଟିମ ଏଠାରେ ଜୁନ ୧୬ ପାକିସ୍ତାନ ଓ ଜୁନ ୨୭ରେ ୱେଷ୍ଟଇଣ୍ଡିଜକୁ ଭେଟିବ। ଯଦି ଟିମ ଇଣ୍ଡିଆ ପଏଣ୍ଟ ଟେବୁଲରେ ପ୍ରଥମ ଅଥବା ଚତୁର୍ଥ ସ୍ଥାନରେ ରହିବ, ତା’ ହେଲେ ଏଠାରେ ସେମିଫାଇନାଲ ମ୍ୟାଚ୍ ଖେଳିବ। ଏହି ପଡ଼ିଆରେ ଭାରତ ଏଯାଏଁ ୮ଟି ମ୍ୟାଚ୍ ଖେଳିଛି ଏବଂ ସେଥିରୁ ୩ଟିରେ ବିଜୟ ହାସଲ କରିଛି।
ଟିମ୍ ଇଣ୍ଡିଆ ମଂଚେଷ୍ଟରରେ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ପାକିସ୍ତାନ ଓ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିଛି। ଏଥିରୁ ଇଂଲଣ୍ଡ ବିପକ୍ଷରେ ଟିମ ୪ରୁ ଗୋଟିଏ ମ୍ୟାଚ୍ରେ ଜିତିଛି। ଭାରତକୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ମିଳିଛି। ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଠାରୁ ଭାରତ ଏଠାରେ ପରାସ୍ତ ହୋଇଛି। ଶେଷ ଥର ପାଇଁ ଭାରତ ଏଠାରେ ୨୦୦୭ରେ ଇଂଲଣ୍ଡ ସହିତ ମ୍ୟାଚ୍ ଖେଳିଥିଲା ଏବଂ ୩ ଓ୍ଵିକେଟରେ ହାରିଥିଲା।

ଏହି ପଡ଼ିଆରେ ଆଜିର ଟିମ୍ ଇଣ୍ଡିଆର କେବଳ ୨ ଜଣ ଖେଳାଳି ଖେଳିଛନ୍ତି। ସେମାନେ ହେଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଦିନେଶ କାର୍ତ୍ତିକ। ଦିନେଶ କାର୍ତ୍ତିକ ୪ ରନ କରି ଆଉଟ ହୋଇଥିବା ବେଳେ ଧୋନି ୧୩ ରନ ଦଳ ପାଇଁ ଯୋଡ଼ିଥିଲେ।