ପୂର୍ବତନ ଅଧିନାୟକଙ୍କ ଦାବି: ଭାରତକୁ ବିଶ୍ୱକପ୍‌ରେ ହରାଇ ପ୍ରତିଶୋଧ ନେବ ପାକିସ୍ତାନ, କାରଣ ଏମିତି

କରାଚୀ: କ୍ରିକେଟ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେଉଥିବା ପ୍ରତିଯୋଗିତାକୁ ଦେଖିବା ପାଇଁ ସମଗ୍ର ବିଶ୍ୱର ଦର୍ଶକମାନେ ଅପେକ୍ଷା କରିଥାନ୍ତି। ଆଉ ଏହା ଯେତେବେଳେ ବିଶ୍ୱକପ୍‌ରେ ଆୟୋଜନ ହୋଇଥାଏ, ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥାଏ। ଆଗାମୀ ବିଶ୍ୱକପ୍‌ ୩ ମାସ ପରେ ଅର୍ଥାତ ମେ’ ମାସ ୩୦ରୁ ଇଂଲଣ୍ଡ ଏବଂ ୱେଲସ୍‌ରେ ଖେଳାଯିବ। ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ମୋଇନ୍‌ ଖାନ ଭାରତକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଏଥର ବିଶ୍ୱକପ୍‌ରେ ଇତିହାସର ପରିବର୍ତ୍ତନ ହେବାକୁ ଯାଉଛି। ପାକିସ୍ତାନର ବର୍ତ୍ତମାନର ଟିମ୍‌ ବିଶ୍ୱକପ୍‌ରେ ଭାରତକୁ ପରାଜିତ କରି ସବୁଦିନର କଳଂକ ଧୋଇବ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ରେ ପ୍ରଥମ ଥର ୧୯୯୨ରେ ମୁକାବିଲା ହୋଇଥିଲା। ସେହି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଏଯାଏଁ ଉଭୟ ଦେଶ ମଧ୍ୟରେ ୬ଥର ମୁକାବିଲା ହୋଇଛି। ସବୁଥର ଭାରତ ବିଜୟୀ ହୋଇଛି। ଆଗାମୀ ବିଶ୍ୱକପ୍‌ରେ ଉଭୟ ଦଳ ମଧ୍ୟରେ ଜୁନ ୧୬ରେ ମୁକାବିଲା ହେବ।

ମୋଇନ୍‌ ଖାନ୍‌ ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ଟିମ୍‌ ବିଶ୍ୱ କପ୍‌ରେ ଭାରତ ବିରୋଧରେ ପ୍ରଥମ ବିଜୟ ହାସଲ କରିବାର ସମ୍ଭାବନା ଅଛି। କାରଣ ଏହି ଟିମ୍‌ ଏକ ଲୟରେ ଖେଳୁଛି। ଅଧିନାୟକ ସରଫରାଜଙ୍କ ସହିତ ଅନ୍ୟ ଖେଳାଳିଙ୍କ ସଂପର୍କ ନିବିଡ଼ ଅଛି।

ବିଶ୍ୱକପ୍‌ ୧୯୯୨ ଓ ୧୯୯୯ ଟିମ୍‌ର ସଦସ୍ୟ ମୋଇନ୍‌ ଖାନ କହିଛନ୍ତି, ପାକିସ୍ତାନ ଏଥର ଜିତିବ। ସେ କହିଛନ୍ତି, ଆମର ଟିମ୍‌ ୨ ବର୍ଷ ପୂର୍ବରୁ ଚାମ୍ପିଅନସ୍‌ ଟ୍ରଫିରେ ଭାରତକୁ ପରାସ୍ତ କରିଥିଲା ଏବଂ ଇଂଲଣ୍ଡର ଜଳବାୟୁ ଆମର ଖେଳାଳିଙ୍କୁ ସୁହାଇବ। କାରର ଆମ ନିକଟରେ ଭଲ ଖେଳାଳି ଅଛନ୍ତି।

ସମ୍ବନ୍ଧିତ ଖବର