ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଇଂଲଣ୍ଡରେ ବିଶ୍ୱକପ୍ ୨୦୧୯ର ଅଭ୍ୟାସ ମ୍ୟାଚ୍ରୁ ଆଶା ଅନୁସାରେ ଫଳ ମିଳିପାରି ନାହିଁ। ଭାରତୀୟ ବୋଲରମାନେ ପରିବର୍ତ୍ତିତ ପିଚ୍ରେ ଭଲ ବୋଲିଂ କରିପାରି ନାହାନ୍ତି।
ଅପରପକ୍ଷେ ନ୍ୟୁଜିଲାଣ୍ଡର ସୁଇଂ ବୋଲି ଯୋଗୁଁ ଭାରତୀୟ ବ୍ୟାଟସ୍ମ୍ୟାନ୍ ମାନେ ମଧ୍ୟ ନିଜସ୍ୱ ଶୈଳୀରେ ଖେଳି ପାରି ନାହାନ୍ତି। ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍କୁ ୬ ଓ୍ଵିକେଟ୍ରେ ଜିତିଛି। ଏବେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ଠାରୁ ହିସାବ ନେବାର ଦରକାର ଅଛି। ଏହି ଅବସରରେ ଭାରତ ଜୁନ୍ ୧୩ ନଟିଂହାମ୍ରେ ନ୍ୟୁଜିଲାଣ୍ଡକୁ ପୁଣି ଥରେ ଭେଟିବ।
ନଟିଂହାମ୍ର ଟେଣ୍ଟବ୍ରିଜ୍ ପଡ଼ିଆରେ ଜୁନ ୧୩ରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ସହିତ ୨-୨ ହାତ କରିବାର ଅଛି। ଏଠାରେ ଟିମ ଇଣ୍ଡିଆ ପାଇଁ ହାଇ ପ୍ରୋଫାଇଲ ମ୍ୟାଚ୍ ହେବ। ଏହି ପଡ଼ିଆରେ ଟିମ ଇଣ୍ଡିଆର ମିଶ୍ରିତ ଅଭିଜ୍ଞତା ରହିଛି। ଏଯାଏଁ ଖେଳାଯାଇଥିବା ୬ ମ୍ୟାଚରେ ଟିମ୍ ଇଣ୍ଡିଆ କେବଳ ୩ଟି ମ୍ୟାଚ ଜିତିଥିବା ବେଳେ ସମାନ ପରିମାଣର ମ୍ୟାଚ୍ ହାରିଛି। ଏହି ପଡ଼ିଆରେ ଟିମ୍ ଇଣ୍ଡିଆର ରନ୍ ହାର ୫.୦୭ ଏବଂ ହାରାହାର ପ୍ରତି ୩୬ ରନରେ ଓ୍ଵକେଟ ପଡ଼ିଛି।
ଟିମ୍ ଇଣ୍ଡିଆ ଏହି ପଡ଼ିଆରେ ୪ଟି ମ୍ୟାଚ୍ ଇଂଲଣ୍ଡ ଓ ଗୋଟିଏ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଛି। ବିଶ୍ୱକପ-୧୯୯୯ରେ ଭାରତୀୟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ମଧ୍ୟ ୧୯୮୩ରେ ଭାରତୀୟ ଟିମକୁ ଏଠାରେ ପରାସ୍ତ କରିଛି। ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ୪ ମ୍ୟାଚରୁ ୩ ମ୍ୟାଚରେ ଜିତିଛି, ଯେଉଁଥିରେ କି ୨ ବିଜୟ ଗତ ୨ ମ୍ୟାଚ (୨୦୧୪ ଓ ୨୦୧୮)ରେ ମିଳଛି।