ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ୍ ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରିବା ଫଳରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି। ଏହି ଦୁଃଖରୁ ଏପର୍ଯ୍ୟନ୍ତ ବି ବାହାରି ପାରିନାହାନ୍ତି କ୍ରିକେଟର୍ କେଏଲ୍ ରାହୁଲ୍। ସେ ଏବେ ବି ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ନିଜ ଦୁଃଖକୁ ପ୍ରକାଶ କରି ଚାଲିଛନ୍ତି। ଆପଣ ଜାଣନ୍ତି ଯେ ଏହି ପରାଜୟ ସହିତ ଭାରତର ତୃତୀୟ ଥର ବିଶ୍ବକପ୍ ଜିତିବାର ସ୍ବପ୍ନ ଭାଙ୍ଗି ରୁଜି ଚୁର୍ମାର୍ ହୋଇଗଲା।
ସେଥିପାଇଁ ତ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ଠାରୁ ହିଁ ଖେଳାଳିମାନେ ପୂରା ନୀରବ ହୋଇ ଯାଇଛନ୍ତି। ଏହା ମଧ୍ୟରେ ୪ ଦିନ ବିତିଗଲାଣି, ହେଲେ ପରାଜୟର ଦୁଃଖ ଏଯାଏ ରହିିଛି। ଏବେ ୱିକେଟ୍ ରକ୍ଷକ ବୋଲର୍ କେଏଲ୍ ରାହୁଲ୍ ସୋସିଆଲ୍ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ୍ କରିଛନ୍ତି। ସେ ଲେଖିଛନ୍ତି, ‘‘ଏବେ ବି ଦୁଃଖ ହେଉଛି’’। ଏପରି ଲେଖିବା ସହ ସେ ଅନେକ ଭଙ୍ଗା ହୃଦୟର ଇମୋଜି ବି ସେୟାର୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଶ୍ବକପ୍ର ଗୋଟିଏ ସଂସ୍କରଣରେ ୱିକେଟ୍ରକ୍ଷକ ଭାବେ ସର୍ବାଧିକ ୱିକେଟ୍ ଅକ୍ତିଆର କରିବାରେ କେଏଲ୍ ରାହୁଲ୍ ପୂର୍ବତନ ୱିକେଟ୍ରକ୍ଷକ ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଦେଇଛନ୍ତି। ରାହୁଲ ଚଳିତ ସଂସ୍କରଣରେ ୧୧ ମ୍ୟାଚ୍ରୁ ୧୭ ୱିକେଟ୍ ପାଇଛନ୍ତି। ଯାହା ମଧ୍ୟରେ ୧୬ କ୍ୟାଚ୍ ଓ ୧ ଷ୍ଟମ୍ପିଂ ସାମିଲ ଅଛି। ପୂର୍ବରୁ ୨୦୦୩ ସଂସ୍କରଣରେ ରାହୁଲ ଦ୍ରାବିଡ଼ ୧୧ ମ୍ୟାଚ୍ରୁ ୧୬ ୱିକେଟ୍ (୧୫ କ୍ୟାଚ୍ ଓ ୧ ଷ୍ଟମ୍ପିଂ) ନେଇଥିଲେ।