ଲଣ୍ଡନ୍ କ୍ରିକେଟ୍ ବିଶ୍ବକପ୍ର ୪୪ ବର୍ଷର ଇତିହାସରେ ଅନେକ ସ୍ମରଣୀୟ ମୁହୂର୍ତ ରହିଛି। ସେ ମଧ୍ୟରୁ ୫ଟି ଉପରେ ଆସନ୍ତୁ ନଜର ପକାଇ ନେବା।
ଗିଲ୍ମୋରଙ୍କ ଶ୍ରେଷ୍ଠ ଦିନ୧୯୭୫ ମସିହାରେ ପ୍ରଥମ ଥର ଲାଗି ଦିନିକିଆ ବିଶ୍ବକପ୍ ଖେଳାଯାଇଥିଲା। ଏହି ବିଶ୍ବକପ୍ର ସେମିଫାଇନାଲ୍ରେ ଦୁଇ ପ୍ରାରମ୍ଭିକ ପ୍ରତିଦ୍ବନ୍ଦ୍ବୀ ଆୟୋଜକ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ଦୁଇ ଦ୍ରୁତ ବୋଲର ଡେନିସ୍ ଲିଲି ଏବଂ ଜେଫ୍ ଥମ୍ପ୍ସନ୍ଙ୍କୁ ନେଇ ଇଂଲଣ୍ଡ ବଳୀୟାନ ଥିଲା। ହେଲେ ଅଷ୍ଟ୍ରେଲିଆର ୨୩ ବର୍ଷୀୟ ବାମହାତୀ ସ୍ବିଙ୍ଗ୍ ବୋଲର ଗ୍ୟାରି ଗିଲ୍ମୋର ସବୁ ଓଲଟପାଲଟ କରିଦେଇଥିଲେ। ତାଙ୍କ ସ୍ବିଙ୍ଗ୍ ବଲ୍କୁ ବୁଝି ନପାରି ଇଂଲଣ୍ଡ ମାତ୍ର ୯୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଗିଲ୍ମୋର ୬/୧୪ ବୋଲିଂ ସଫଳତା ପାଇଥିଲେ। ଜବାବରେ ଏହି ମ୍ୟଚ୍ରେ କ୍ରିସ୍ ଓଲ୍ଡଙ୍କ ୩ ୱିକେଟ୍ ସଫଳାତାରେ ଅଷ୍ଟ୍ରେଲିଆ ମାତ୍ର ୩୯ ରନ୍ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ବ୍ୟାଟିଂକୁ ଆସିଥିବା ଗିଲ୍ମୋର ଅପରାଜିତ ୨୮ ରନ୍ କରିବା ସହ ଡଗ୍ ୱାଲଟର୍ସଙ୍କୁ ସାଥୀ କରି ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ପହଞ୍ଚାଇ ଥିଲେ।
ଏକ ଟାଇରେ ଅଷ୍ଟ୍ରେଲିଆ ବିଜୟୀ
ବିଶ୍ବକପ୍ରେ ସବୁଠୁ ରୋମାଞ୍ଚକର ମ୍ୟାଚ୍ ୧୯୯୯ ବିଶ୍ବକପ୍ରେ ଦେଖିବାକୁ ମିଳିଥିଲା। ଏଜ୍ବାଷ୍ଟନ୍ରେ ଖେଳାଯାଇଥିବା ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ସନ୍ ପୋଲ୍କ (୫/୩୬)ଙ୍କ ଘାତକ ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ୨୧୩ ରନ୍ କରିଥିଲା। ଜଣ୍ଟି ରୋଡ୍ସ ଏବଂ ଜ୍ୟାକ୍ କାଲିସ୍ ଭଲ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଲାଗି ବିଜୟର ରାସ୍ତା ଖୋଲିଥିଲେ। ହେଲେ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୯ ରନ୍ ଦରକାର ଥିଲା। ୫ ବଲ୍ରୁ ୮ ରନ୍ ସଂଗ୍ରହ ହୋଇଯାଇଥିଲା। ଶେଷ ବଲ୍ରେ ଆଉ ୧ ରନ୍ ଆବଶ୍ୟକ ଥିଲା ବେଳେ ଦକ୍ଷିଣ ଆଫ୍ରିକା ହାତରେ ମାତ୍ର ଗୋଟିଏ ୱିକେଟ୍ ଥିଲା। ଏହି ସମୟରେ ବ୍ୟାଟିଂ କରୁଥିବା ଲାନ୍ସ କ୍ଲୁଜନର ମିଡ୍ ଅଫ୍ ଅଞ୍ଚଳକୁ ମାରି ୧ ରନ୍ ନେବାକୁ ଚାହୁଁଥିଲା ବେଳେ ଆଲାନ୍ ଡୋନାଲ୍ଡ ସବୁ ଭୁଲ କରିଦେଇଥିଲେ। ତାଙ୍କ ଡାକ ଶୁଣି ପାରିନଥିଲେ ଏବଂ ନିଜ ବ୍ୟାଟ୍ ହାତରୁ ଖସାଇ ଦୌଡ଼ିଥିଲେ। କ୍ଷେତ୍ର ରକ୍ଷକ ମାର୍କ ୱ ବଲ୍କୁ ଧରି ସିଧା ବୋଲର ଡାମିଏନ୍ ଫ୍ଲେମିଙ୍ଗ୍ ପାଖକୁ ଫିଙ୍ଗିଥିଲେ। ହେଲେ ଉଭୟ ବ୍ୟାଟ୍ସମ୍ୟାନ୍ ଗୋଟିଏ ପାଖରେ ଥିଲେ। ସଙ୍ଗେ ସଙ୍ଗେ ପ୍ଲେମିଂ ବଲ୍କୁ ୱିକେଟ୍ରକ୍ଷକ ଆଦମ ଗିଲ୍କ୍ରିଷ୍ଟ୍ଙ୍କ ପାଖକୁ ପଠାଇ ଦେଇଥିଲେ। ବ୍ୟାଟ୍ ଛାଡ଼ି ଦୌଡ଼ିଥିବା ଡୋନାଲ୍ଡଙ୍କୁ ଗିଲ୍କ୍ରିଷ୍ଟ୍ ରନ୍ ଆଉଟ୍ କରିଦେଇଥିଲେ। ଶେଷରେ ମ୍ୟାଚ୍ ଟାଇ ହୋଇଯାଇଥିଲା। ଭଲ ରନ୍ ହାର ଯୋଗୁଁ ଅଷ୍ଟ୍ରେଲିଆ ଫାଇନାଲ୍ରେ ପ୍ରବେଶ କରିନେଇ ଥିଲା।
କପିଳଙ୍କ ଅବିସ୍ମରଣୀୟ ଶତକ
ଅଷ୍ଟ୍ରେଲିଆକୁ ହରାଇ ଜିମ୍ବାୱେ ୧୯୮୩ ବିଶ୍ବକପ୍ର ଅନ୍ୟ ଏକ ମ୍ୟାଚ୍ରେ ଭାରତକୁ ଭେଟିଥିଲା। ଇଂଲଣ୍ଡ ପ୍ରଶିକ୍ଷକ ଡନ୍କାନ୍ ଫ୍ଲେଚରଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଏହି ଦଳ ମାତ୍ର ୧୭ ରନ୍ରେ ଭାରତର ୫ ୱିକେଟ୍ ଝାଡ଼ି ଦେଇଥିଲା। ଏଭଳି ସଙ୍କଟରେ ପଡ଼ିଥିବା ଭାରତକୁ ଉଦ୍ଧାର କରିଥିଲେ ଅଧିନାୟକ କପିଳ ଦେବ। ସେ ୧୩୮ ବଲ୍ରୁ ଅପରାଜିତ ୧୭୫ ରନ୍ ସଂଗ୍ରହ କରି ଭାରତର ସ୍କୋର୍କୁ ୨୬୬ରେ ପହଞ୍ଚାଇ ଦେଇଥିଲେ। କପିଳଙ୍କ ଏହି ଶତକୀୟ ଅଧିନାୟକ ପାଳି ହିଁ ଭାରତକୁ ମ୍ୟାଚ୍ର ଗୋଟିଏ ସପ୍ତାହ ପରେ ବିଶ୍ବକପ୍ ଜିତିବାର ସାହାସ ଦେଇଥିଲା।
ଦକ୍ଷିଣ ଆଫ୍ରିକା ହୃଦୟ ଭାଙ୍ଗିଲେ ଏଲିଅଟ୍
ଅକ୍ଲାଣ୍ଡରେ ଖେଳାଯାଇଥିବା ଗତ ବିଶ୍ବକପ୍ର ସେମିଫାଇନାଲରେ ଫାଫ୍ ଡୁ’ପ୍ଲେସିସ୍ ଏବଂ ଏବି ଡି’ଭିଲିୟର୍ସଙ୍କ ଅର୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୮୧/୫ କରିଥିଲା। ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍ ୪୩ ଓଭର ଖେଳାଯାଇଥିଲା। ଜୋହାନେସବର୍ଗରେ ଜନ୍ମିତ ବ୍ଲାକ୍ କ୍ୟାପ୍ ଅଲ୍ରାଉଣ୍ଡର ଗ୍ରାଣ୍ଟ୍ ଏଲିଅଟ୍ ଏହି ମ୍ୟାଚ୍ରେ ନିଜ ଜୀବନର ଶ୍ରେଷ୍ଠ ପାଳି ଖେଳିଥିଲେ। ଶେଷ ଦୁଇ ବଲ୍ରେ ଦଳକୁ ବିଜୟ ଲାଗି ୫ ରନ୍ ଦରକାର ଥିଲା। ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ଙ୍କ ବଲ୍କୁ ମିଡ୍ ଅନ୍ରେ ଛକା ମାରି ଏଲିଅଟ୍ ନ୍ୟୁଜିଲାଣ୍ଡକୁ ବିଜୟ ଭେଟି ଦେଇଥିଲେ। ଏଲିଅଟ୍ ବ୍ୟକ୍ତିଗତ ଭାବେ ଅପରାଜିତ ୮୪ ରନ୍ କରିଥିଲେ। ତାଙ୍କର ଏହି ମ୍ୟାଚ୍ ବିଜୟୀ ପାଳି ଯୋଗୁଁ ନ୍ୟୁଜିଲାଣ୍ଡ ପ୍ରଥମ ଥର ଲାଗି ଫାଇନାଲ୍ରେ ପ୍ରବେଶ କରିଥିଲା। ଏହି ପରାଜୟ ପରେ ଦକ୍ଷିଣ ଆଫ୍ରିକାର ପୁଣି ଥରେ ବିଶ୍ବକପ୍ ଫାଇନାଲ୍ ଖେଳିବାର ସ୍ବପ୍ନ ଭାଙ୍ଗିଯାଇଥିଲା। ଷଷ୍ଠ ଥର ଲାଗି ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରୁ ଦୁଃଖଦ ବିଦାୟ ନେଇଥିଲା।
ଇଂଲଣ୍ଡକୁ ପଛରେ ପକାଇଲେ ଓ’ବ୍ରାଏନ୍
୨୦୧୧ ବିଶ୍ବକପ୍ରେ ଅଣ ଟେଷ୍ଟ୍ ମାନ୍ୟତା ଦଳ ଆୟର୍ଲାଣ୍ଡ ବିପକ୍ଷରେ ଇଂଲଣ୍ଡ ଭଲ ବ୍ୟାଟିଂ କରି ୩୨୭/୮ କରିଥିଲା। ବିଶ୍ବକପ୍ ଇତିହାସରେ ଏଭଳି ବଡ଼ ସ୍କୋର୍କୁ ପିଛା କରି କୌଣସି ଦଳ ଜିତିବା ଆଗରୁ କେବେ ଦେଖାଯାଇନଥିଲା। କିନ୍ତୁ ବାଙ୍ଗାଲୋରର ଏହି ରାତିକୁ କେହି ଭୁଲି ପାରିବେ ନାହିଁ। ଏକଦା ଆୟର୍ଲାଣ୍ଡ ୧୧୧/୫ରେ ସଂଘର୍ଷ କରୁଥିବା ବେଳେ କେଭିନ୍ ଓ’ ବ୍ରାଏନ୍ ବିଶ୍ବକପ୍ରେ ଦ୍ରୁତତମ ଶତକ ହାସଲ କରି ୩ ୱିକେଟ୍ର ଅବିସ୍ମରଣୀୟ ବିଜୟ ଦେଇଥିଲେ। ସେ ୫୦ ବଲ୍ରୁ ୧୩ ଚୌକା ଓ ୬ ଛକା ସହ ଶତକ ପୂର୍ଣ୍ଣ କରିଥିଲେ।