ଅହମଦାବାଦ: ବିଶ୍ବକପ୍‌ରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସ୍ନାୟୁ ଯୁଦ୍ଧ ଭଳି ମୁକାବିଲା ହେବ। ଏହି ମ୍ୟାଚ୍‌ ଉପରେ ସାରା ବିଶ୍ବ ନଜର ରଖିଥିଲା ବେଳେ ଉଭୟ କ୍ରୀଡ଼ା ଓ ରାଜନୈତିକ ସଂପର୍କ ଦୃଷ୍ଟିରୁ ଉଭୟ ଦେଶର କୋ‌ଟି କୋଟି ପ୍ରଶଂସକଙ୍କ ଭାବାବେଗ ମଧ୍ୟ ଏହା ସହିତ ଯୋଡ଼ି ହୋଇଛି। ତଥାପି ବିଶ୍ବକପ୍‌ ଇତିହାସ ସବୁବେଳେ ଭାରତ ସପକ୍ଷରେ ଯାଇଥିବାରୁ ପାକିସ୍ତାନ ପ୍ରତ୍ୟେକ ଥର ଏହି ରେକର୍ଡକୁ ଭାଙ୍ଗିବାରେ ଚେଷ୍ଟା କରୁଛି ଏବଂ ବିଫଳ ହେଉଛି। ଦୁଇ ଦେଶ ମଧ୍ୟରେ ଯେତେବେଳେ ବିଶ୍ବକପ୍‌ ମୁକାବିଲା କଥା ଆସେ ସେତେବେଳେ ଭେଙ୍କଟେଶ ପ୍ରସାଦଙ୍କଠାରୁ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ଏବେ ରୋହିତ ଶର୍ମାଙ୍କ ଚର୍ଚ୍ଚା ଅଧିକ ହୋଇଥାଏ। ଏବେ ବାବର ଆଜମ୍‌ କିନ୍ତୁ ଏହି ରେକର୍ଡରେ ବିରାମ ଲଗାଇବାକୁ ସଂକଳ୍ପ ନେଇଛନ୍ତି।

Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଅନେକ ଯୁବ ଖେଳାଳି ମହାନାୟକ ରୂପରେ ଉଭା ହୋଇଛନ୍ତି। ଏବେ ଏହି ମୁକୁଟ କିଏ ପିନ୍ଧିବ ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଡେଙ୍ଗୁରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ଶୁବମନ ଗିଲ୍‌ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ତାଙ୍କ ଆସିବା ଦ୍ବାରା ଈଶାନ କିଶନଙ୍କୁ ବାହାରେ ବସିବାକୁ ପଡ଼ିପାରେ। କୋହଲି, ଶ୍ରେୟସ ଓ କେଏଲ୍‌ ରାହୁଲ୍‌ଙ୍କ ଉପରେ ମଧ୍ୟକ୍ରମ ନିର୍ଭର କରୁଥିଲା ବେଳେ ପାକିସ୍ତାନ ମଝି ଓଭରଗୁଡ଼ିକରେ ୱିକେଟ୍‌ ବାହାର କରିବାରେ ସଂଘର୍ଷ କରୁଛି। ତେଣୁ ଏହା ଭାରତୀୟ ବ୍ୟାଟର୍‌ଙ୍କ ପାଇଁ ଗୋଟିଏ ପ୍ରକାର ଭଲ ସଙ୍କେତ ହୋଇଛି। ପାକିସ୍ତାନ ଏପର୍ଯ୍ୟନ୍ତ ଜଣେ ଗୁଣାତ୍ମକ ସ୍ପିନର ଖେଳାଇବାରେ ବିଫଳ ହୋଇଆସୁଛି। ଉପ ଅଧିନାୟକ ସଦାବ ଖାନ୍‌ ଦୁଇଟି ମ୍ୟାଚ୍‌ରେ ୧୬ ଓଭର ବୋଲିଂ କରିଥିଲା ବେଳେ ୧୦୦ ରନ୍‌ ବ୍ୟୟ କରିଛନ୍ତି। ସେହିପରି ହାସନ ଅଲ୍ଲୀଙ୍କ ହାତରେ ନୂଆ ବଲ୍‌ ଧରାଇଲେ ସେ ରୋହିତଙ୍କ ସହଜ ଟାର୍ଗେଟ୍‌ ହୋଇଯିବେ।

ଶ୍ରୀଲଙ୍କା ବିପକ୍ଷରେ ମହମ୍ମଦ ରିଜୱାନ୍‌ ଓ ଅବଦୁଲ୍ଲା ସଫିକ୍‌ ଚମତ୍କାର ଖେଳିଥିଲେ। ବାବରଙ୍କ ଫର୍ମ ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିବ। କିନ୍ତୁ ସାଉଦ ସକିଲ୍‌ ପାକିସ୍ତାନ ପାଇଁ ଏକ୍ସ ଫ୍ୟାକ୍ଟର ହୋଇପାରନ୍ତି। ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ପ୍ରଥମ ସ୍ପେଲ୍‌କୁ ସାମ୍ନା କରିପାରିଲେ ପାକିସ୍ତାନୀ ବ୍ୟାଟର୍‌ଙ୍କୁ ବିଶେଷ କିଛି ଅସୁବିଧା ହୋଇନପାରେ। ତଥାପି କୁଲଦୀପ ଯାଦବ ୨୦୧୯ ମାଞ୍ଚେଷ୍ଟର ମ୍ୟାଚ୍‌ ଭଳି ଅହମଦାବାଦରେ ପାକିସ୍ତାନୀଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇନପାରନ୍ତି। ସେହିପରି ଭାରତର ୮ ନମ୍ବର ସ୍ଥାନ ପାଇଁ ଶାର୍ଦୁଳଙ୍କ ବଦଳରେ ଅଶ୍ବିନଙ୍କୁ ଖେଳାଇବା ସମ୍ଭାବାନା ରହୁଛି। ମୋଟେରା ପିଚ୍‌ ଇତିହାସ ସବୁବେଳେ ବ୍ୟାଟର୍‌ ଓ ବୋଲର୍‌ଙ୍କୁ ସମାନ ସୁଯୋଗ ଦେଇଛି। ତେଣୁ ଯିଏ ବି ପ୍ରଥମେ ବ୍ୟାଟିଂ କରିବ, ପ୍ରଥମ କିଛି ଓଭର ‌‌‌‌ଧୈର୍ଯ୍ୟର ସହ ଖେଳି ସେଟ୍‌ ହୋଇଗଲେ ପରବର୍ତ୍ତୀ ସମୟରେ ବଡ଼ ସ୍କୋର ଦେଖିବାକୁ ମିଳିପାରେ।

ସାମାନ୍ୟ ବର୍ଷା ଆଶଙ୍କା
ଦୁଇ ଚିରାଚରିତ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଯାଉଥିବା ଏହି ତୀବ୍ରତାପୂର୍ଣ୍ଣ ମ୍ୟାଚ୍‌ରେ ସାମାନ୍ୟ ଧରଣର ବର୍ଷା ହେବା ଅନୁମାନ କରାଯାଇଛି। ଯଦିଓ ଏହି ବର୍ଷା ମ୍ୟାଚ୍‌ରେ ସେଭଳି କିଛି ପ୍ରତିବନ୍ଧକ ଆଣିବନି, ତଥାପି ଉତ୍ତର ଗୁଜରାଟରେ ବର୍ଷା ହେବା ସହ ଆକାଶ ମେଘୁଆ ରହିପାରେ ବୋଲି ଗୁଜରାଟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଶନିବାର ଓ ରବିବାର ଦୁଇ ଦିନ ପାଇଁ ଏହି ପୂର୍ବାନୁମାନ କରାଯାଇଛି। ଏହାପରଠୁ ପରବର୍ତ୍ତୀ ୫ ଦିନ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି।

ସମ୍ଭାବ୍ୟ ଭାରତ ଏକାଦଶ: ଶୁବମନ ଗିଲ୍‌, ରୋହିତ ଶର୍ମା, ବିରାଟ କୋହଲି, ଈଶାନ କିଶନ/ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ/ମହମ୍ମଦ ସାମି, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଅବଦୁଲ୍ଲା ସାଫିକ, ଇମାମ ଉଲ ହକ, ବାବର ଆଜମ, ମହମ୍ମଦ ରିଜୱାନ, ସାଉଦ ସକିଲ, ଈଫତିକାର ଅହମଦ, ସଦାବ ଖାନ, ମହମ୍ମଦ ନୱାଜ, ହାସନ ଅଲ୍ଲୀ/ମହମ୍ମଦ ୱାସିମ, ସାହିନ ସାହ ଆଫ୍ରିଦି, ହାରିସ ରୌଫ।