ଧର୍ମଶାଳା: ବିଶ୍ବକପ୍ରେ ଅନ୍ୟତମ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଶନିବାର ସକାଳେ ଧର୍ମଶାଳାରେ ପରସ୍ପରକୁ ଭେଟିବେ। ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ହ୍ୟାଟ୍ରିକ ବିଜୟ ପାଇଥିବା ଅଷ୍ଟ୍ରେଲିଆ ଏହି ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ। କିନ୍ତୁ ଆରମ୍ଭରୁ ଅପରାଜେୟ ଥିବା ନ୍ୟୁଜିଲାଣ୍ଡକୁ ଧର୍ମଶାଳାରେ ଭାରତ ପରାସ୍ତ କରିବା ପରେ ଏହିଠାରେ ଦଳ ପୁଣି ଥରେ ବିଜୟ ପଥକୁ ଫେରିବାକୁ ଚେଷ୍ଟା କରିବ। ବିଶ୍ବକପ୍ ମୁହାଁମୁହିଁରେ କିନ୍ତୁ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଶକ୍ତିଶାଳୀ ରହିଛି। ୧୧ ବିଶ୍ବକପ୍ ମ୍ୟାଚ୍ରୁ ଅଷ୍ଟ୍ରେଲିଆ ୮ ମ୍ୟାଚ୍ରେ ବିଜୟୀ ହୋଇଛି। ମୋଟାମୋଟି ଭାବେ ୧୪୧ ଆନ୍ତର୍ଜାତିକ ଦିନିକିଆରେ ୯୫-୩୯ ଫଳାଫଳରେ ଅଷ୍ଟ୍ରେଲିଆ ବହୁତ ଆଗରେ ରହିଛି। କିନ୍ତୁ ଉଭୟ ଦଳଙ୍କ ଶେଷ ମୁକାବିଲା (୨୦୧୭)ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା।
ନେଦରଲାଣ୍ଡ୍ସ ବିପକ୍ଷ ଗତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୩୯୯ ରନ୍ର ବିଶାଳ ସ୍କୋର କରିଥିଲେ ମଧ୍ୟ ଖେଳାଳିଙ୍କ ସ୍ଥିର ପ୍ରଦର୍ଶନ ଏବେ ବି ଚିନ୍ତାଜନକ ରହିଛି। ମଧ୍ୟକ୍ରମରେ ଷ୍ଟିଭ୍ ସ୍ମିଥ୍ ଓ ମାର୍ନସ ଲବୁସାନଙ୍କଠୁ ଦଳ ସବୁବେଳେ ବଡ଼ ପାଳି ଆଶା ରଖୁଛି। ଡେଭିଡ୍ ୱାର୍ଣ୍ଣର ଦୁଇଟି ଶତକ ସହାୟତାରେ ଦଳର ସର୍ବାଧିକ ସ୍କୋରର (୩୨୨) ହେବା ସହ ଯେକୌଣସି ପ୍ରତିପକ୍ଷଙ୍କୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ସେହିପରି ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କଠୁ ପୁଣି ଏକ ବିସ୍ଫୋରକ ପାଳି ଦେଖିବାକୁ ଦଳ ଆଶା ରଖୁଛି। ଆହତରୁ ଫେରିଥିବା ଟ୍ରାଭିସ୍ ହେଡ୍ ଶୀର୍ଷ କ୍ରମକୁ ଶକ୍ତି ପ୍ରଦାନ କରିବେ। ବୋଲିଂ କ୍ରମରେ ମିଚେଲ ଷ୍ଟାର୍କ, ଜୋସ ହାଜେଲଉଡ୍ ଓ ଅଧିନାୟକ ପ୍ୟାଟ୍ କମିନ୍ସ ଚମତ୍କାର ପ୍ରଦର୍ଶନ ଦେଉଛନ୍ତି। ଆଡ଼ାମ ଜାମ୍ପା ମଧ୍ୟ ଗତ ମ୍ୟାଚ୍ରେ ୪ ୱିକେଟ୍ ହାତେଇଥିବାରୁ ଦଳର ପ୍ରମୁଖ ଅସ୍ତ୍ର ପାଲଟି ଯାଇଛନ୍ତି।
ଅପରପକ୍ଷେ ଭାରତଠୁ ପରାଜିତ ହେବା କେବଳ ଗୋଟିଏ ମାତ୍ର ବିଫଳତା ନ୍ୟୁଜିଲାଣ୍ଡ ନାମରେ ଲେଖାଯାଇଛି। ଅଧିକାଂଶ ମ୍ୟାଚ୍ରେ କେନ୍ ୱିଲିୟମସନ୍ଙ୍କ ଅନୁପସ୍ଥିତିରେ ଡେଭନ କନୱେ, ଟମ୍ ଲାଥମ ଦଳକୁ ବିଜୟ ମାର୍ଗରେ ନେବାରେ ବଡ଼ ଭୂମିକା ତୁଲାଇ ଆସୁଛନ୍ତି। ଡାରିଲ ମିଚେଲ, ରାଚିନ ରବୀନ୍ଦ୍ର ମଧ୍ୟ ମଧ୍ୟକ୍ରମ ଦାୟିତ୍ବକୁ ଠିକ ଭାବେ ତୁଲାଉଛନ୍ତି। ତଥାପି ଧର୍ମଶାଳାର ବ୍ୟାଟିଂ ଉପଯୋଗୀ ପିଚ୍ରେ ଜାମ୍ପାଙ୍କ ସହିତ ବିଶ୍ବକପ୍ର ସର୍ବାଧିକ ୱିକେଟ୍ ହାସଲକାରୀ ମିଚେଲ ସାଣ୍ଟନରଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଡେଭିଡ୍ ୱାର୍ଣ୍ଣର, ଟ୍ରାଭିସ ହେଡ, ମିଚେଲ ମାର୍ସ, ଷ୍ଟିଭ ସ୍ମିଥ, ଜୋସ ଇଙ୍ଗଲିସ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ/କାମେରନ ଗ୍ରିନ, ପାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଡ଼ାମ ଜାମ୍ପା, ଜୋସ ହାଜେଲଉଡ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଦଳ: ଡେଭନ କନୱେ, ୱିଲ ୟଙ୍ଗ, ରାଚିନ ରବୀନ୍ଦ୍ର, ଟମ ଲାଥମ, ଡାରେଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମ୍ୟାନ, ମିଚେଲ ସାଣ୍ଟନର, ମ୍ୟାଟ ହେନରି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।