ବିଶ୍ବକପ୍‌ ବଡ଼ ଦାୟିତ୍ବ, ଧୋନି ମୋ ଆଜୀବନ ପ୍ରଶିକ୍ଷକ ଓ ଭାଇ: ହାର୍ଦିକ

ରୋହିତ-ରାହୁଲ ଓପନର୍‌, ତୃତୀୟରେ ଖେଳିବେ କୋହଲି

ଦୁବାଇ: ତାରକା ଭାରତୀୟ ଅଲ୍‌ରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍‌କୁ ନେଇ ଅନେକ ପ୍ରଶ୍ନ ରହିଛି। ଆହତ ସମସ୍ୟାକୁ ନେଇ ସେ ବୋଲିଂ କରୁନଥିବାରୁ ଭାରତୀୟ ଦଳର ସନ୍ତୁଳନ ବିଗୁଡ଼ିଛି ବୋଲି ମଧ୍ୟ ବିବେଚନା କରାଯାଉଛି। ତେବେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳରେ ଥିବାରୁ ହାର୍ଦିକ ପାଣ୍ଡ୍ୟାଙ୍କ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଆହ୍ବାନଭରା ରହିଛି। ଏହି ୨୮ ବର୍ଷୀୟ ସୁପରଷ୍ଟାର୍‌ ସୋମବାର ଏକ ସ୍ବତନ୍ତ୍ର ସାକ୍ଷାତକାର ବେଳେ କିନ୍ତୁ ଆତ୍ମବିଶ୍ବାସ ଭରା କଥା କହିଛନ୍ତି। ଚୂଡ଼ାନ୍ତ ଏକାଦଶରେ ମହେନ୍ଦ୍ର ସିଂହ ଧୋନି ନଥିବାରୁ ଦଳର ‘ଫିନିସର୍‌’ ଭୂମିକା ତୁଲାଇବାର ଗୁରୁ ଦାୟିତ୍ବ ମୋ କାନ୍ଧ ଉପରେ ରହିଛି। ଧୋନି ମୋ ଆଜୀବନ ପ୍ରଶିକ୍ଷକ ଏବଂ ଭାଇ ବୋଲି ମଧ୍ୟ କହିଛନ୍ତି ହାର୍ଦିକ। ଧୋନିଙ୍କ ଅବସର ପରେ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଖେଳିବାକୁ ଯାଉଛି। ହାର୍ଦିକ କହିଛନ୍ତି ପଡ଼ିଆ ଭିତରେ ଧୋନିଙ୍କ ଅନୁପସ୍ଥିତି ମୋ ପାଇଁ ଅତିରିକ୍ତ ଆହ୍ବାନ ଆଣିଛି। ମୋ ଉପରେ ଏବେ ସବୁ ଦାୟିତ୍ବ। କ୍ରିକେଟ୍‌ ପଡ଼ିଆ ଭିତରେ ଓ ବାହାରେ ସେ ମୋତେ ଭଲ ଭାବେ ବୁଝିପାରନ୍ତି। ଆରମ୍ଭରୁ ସେ ମୋତେ ବୁଝି ଆସିଛନ୍ତି, ମୁଁ କ’ଣ ଭଲ ପାଏ ଏବଂ କ’ଣ ଭାଲ ପାଏନାହିଁ ତାଙ୍କୁ ଜଣା। ସେ ମୋ ମନ କଥା ବୁଝିପାରନ୍ତି। ୨୦୧୯ ଟିଭି ରିଅଲିଟି ସୋ’ ବିବାଦ ସମୟରେ ମୁଁ ତାଙ୍କଠାରୁ ଭଲ ସମର୍ଥନ ପାଇଥିଲି। ମହେନ୍ଦ୍ର ସିଂହ ଧୋନିଙ୍କୁ ମୁଁ ଜଣେ ମହାନ କ୍ରିକେଟର୍ ଭାବେ ଦେଖେ ନାହିଁ, ସେ‌ ମୋ ପାଇଁ ସର୍ବଦା ବଡ଼ ଭାଇ ଭଳି। ସେ ମୋ ସହ ଅନ୍ତରଙ୍ଗ, ସେ ହିଁ ମୋତେ କେବଳ ଶାନ୍ତ କରିପାରନ୍ତି। ତାଙ୍କ ସହ ସମୟ ବିତାଇବା ଫଳରେ ମୁଁ ପରିପକ୍ବ ‌ହୋଇଛି। ନମ୍ରତା ଗୁଣ ମୁଁ ତାଙ୍କଠାରୁ ଶିଖିଛି। ଖେଳ ଜୀବନର ପ୍ରଥମ ଦୁଇ ବର୍ଷ ମୁଁ ମୋ‌ ଭୁଲକୁ ସ୍ବୀକାର କରିଛି ଏବଂ ଦ୍ବନ୍ଦ୍ବରେ ଥିଲେ ପଚାରି ବୁଝିନେଇଛି। ଆମେ ଗୋଟିଏ ପରିବାର ଭଳି, ଏହି ପରିବାର ଭିତରେ ମୁଁ ଯେତେବେଳେ ଭୁଲ କରିଛି, ଏହାକୁ ଭୁଲ ଦର୍ଶାଯାଇଛି। ଘଣ୍ଟ ଘୋଡ଼ାଇବାର ଆବଶ୍ୟକତା ପଡ଼ିନଥାଏ, ଏହା ଆମକୁ ଦୃଢ଼ କରିଛି।

ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥିବା ହାର୍ଦିକ ପିଠି ସମସ୍ୟା କାରଣରୁ ଟେଷ୍ଟ୍‌ କ୍ରିକେଟ୍‌‌ ଖେଳିପାରୁନଥିଲେ ମଧ୍ୟ ଏଥି ପାଇଁ ବିଶେଷ ଚିନ୍ତିତ ନାହାନ୍ତି। କ୍ରିକେଟ୍‌ରୁ ପାଇଥିବା ଆୟ ସମ୍ପର୍କରେ ପାଣ୍ଡ୍ୟା କହିଥିଲେ ‘ଅର୍ଥ ଭଲ କଥା, ଏହା ଅନେକ କିଛି ବଦଳାଇ ଦେଇଥାଏ। ମୁଁ ଏହାର ଅନ୍ୟତମ ଶ୍ରେଷ୍ଠ ଉଦାହରଣ। ମଜାରେ କହୁନାହିଁ, କ୍ରିକେଟର୍‌ ହୋଇପାରିନଥିଲେ ମୁଁ ଅନ୍ୟଥା ପେଟ୍ରୋଲ୍ ପମ୍ପ୍‌ରେ କାମ କରୁଥାନ୍ତି। ୨୦୧୯ରେ ଏକ ଆଲୋଚନାରେ ମୋତେ ଜଣେ କହିଥିଲେ ‘ଅର୍ଥ ସବୁ କିଛି ନୁହେଁ, ମୁଁ କିନ୍ତୁ ଏଥିରେ ଏକମତ ‌ହୋଇପାରିନଥିଲି। ଅର୍ଥ ସବୁକିଛି ନ ହେଲେ ବି ଫରକ ପକାଇଥାଏ, ପ୍ରବର୍ତ୍ତାଇବାରେ ବଡ଼ ଭୂମିକା ନେଇଥାଏ’ ବୋଲି ନିଜ ବିଚାରରୁ କହିଥିଲେ ହାର୍ଦିକ।
ପଡ଼ିଆ ଭିତରେ ମୁଁ କେବେ ଭୟ କରେ ନାହିଁ, କାରଣ ମୋତେ କିଛି ହରାଇବାକୁ ନଥାଏ। କିଛି ବି ଅସମ୍ଭବ ବୋଲି ବିଶ୍ବାସ କରେ ନାହିଁ, ସେଥି ପାଇଁ ଭୟ କରେ ନାହିଁ। ମୁଁ ମଧ୍ୟ ସହଜ ପରିସ୍ଥିତିକୁ ଭଲ ପାଇ ନାହିଁ, ମ୍ୟାଚ୍‌ର କଠୋର ସମୟରେ ଖେଳିବାକୁ ଭଲ ପାଏ। ସମୟକ୍ରମେ ଏହି ଆତ୍ମବିଶ୍ବାସ ମୋ ଭିତରକୁ ଆସିଛି। ମଁ କିଏ ଓ କିଭଳି ସେଭଳି କାମ କରିଛି। ବିଗତ ୨ ବର୍ଷ ହେବ ମୁଁ ନୂଆ ଢ଼ଙ୍ଗରେ ଚିନ୍ତା କରିଛି। ଶୂନରେ ଆଉଟ୍‌ ‌‌ହେଲେ ବି ଉତ୍ସବ ପାଳିଛି, କାରଣ ଅତି ସରଳ, ମୁଁ ଜୀବନରେ ସଫଳତାକୁ ଦେଖି ସାରିଛି। ଭଲ ସମୟକୁ ମୁଁ ପାଳନ କରିନାହିଁ। ମୋ ପାଖରେ ଏତେ ଆତ୍ମବିଶ୍ବାସ ଅଛି କାରଣ ମୁଁ ସଫଳତାରେ ନୁହେଁ ପ୍ରକ୍ରିୟା ଭିତ୍ତିକ।

ରୋହିତ-ରାହୁଲ ଓପନର୍‌, ତୃତୀୟରେ ଖେଳିବେ କୋହଲି

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରୋହିତ ଶର୍ମା ଓ କେଏଲ୍ ରାହୁଲ ଭାରତ ପାଇଁ ପାଳି ଆରମ୍ଭ କରିବେ। ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିବେ। କୋହଲି ନିଜେ ଏହି ଘୋଷଣା କରିଛନ୍ତି। ସୋମବାରର ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ର ଟସ୍ ଜିତିବା ପରେ ‌ସେ କହିଥିଲେ ଯେ ଆଇପିଏଲ୍ ପୂର୍ବରୁ ପରିସ୍ଥିତି ଭିନ୍ନ ଥିଲା। ହେଲେ ଆଇପିଏଲ୍‌ରେ ରାହୁଲଙ୍କ ପ୍ରଦର୍ଶନକୁ ଦେଖି ଆମେ ତାଙ୍କୁ ଓପନର ଭାବେ ଖେଳାଇବାକୁ ନିଷ୍ପତ୍ତି ନେଇଛୁ। ରୋହିତ ଜଣେ ବିଶ୍ବସ୍ତରୀୟ ଖେଳାଳି ଏବଂ ରାହୁଲ ହିଁ ତାଙ୍କ ସହ ପାଳି ଆରମ୍ଭ କରିବେ। ଆଉ ମୁଁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବି। ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଶେଷ ହୋଇଥିବା ଆଇପିଏଲ୍‌ରେ ରାହୁଲ ତୃତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଯାହା ଏବେ ତାଙ୍କ ସପକ୍ଷରେ ଯାଇଛି। ଭାରତ ଆସନ୍ତା ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ତାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର