ବିଶ୍ବକପ୍ ଖେଳିବାର ସୌଭାଗ୍ୟ ଲାଭ କରିବାକୁ ଥିବା ୧୫ ଜଣ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ୧୨ କିମ୍ବା ୧୩ ଜଣଙ୍କ ନାଁ ସ୍ଥିର ସରିଛି। ବଳକା ୨ କିମ୍ବା ୩ ସ୍ଥାନ ଦୌଡ଼ରେ ୭ରୁ ୮ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ, ବିଜୟ ଶଙ୍କର, ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା, ଈଶାନ୍ତ ଶର୍ମା, ଲୋକେଶ ରାହୁଲ ଓ ଅଜିଙ୍କ୍ୟ ରାହାଣେଙ୍କ ନାଁ ଅଧିକ ଚର୍ଚାରେ ରହିଛି। ରବିବାର ସୁଦ୍ଧା ଏହି ଖେଳାଳିମାନେ ଚଳିତ ଆଇପିଏଲ୍ରେ କରିଥିବା ପ୍ରଦର୍ଶନ ଉପରେ ଆସନ୍ତୁ ନଜର ପକାଇବା।
Sambad is now on WhatsApp
Join and get latest news updates delivered to you via WhatsApp
ଅମ୍ବାତି ରାୟୁଡୁ (ଚେନ୍ନାଇ ସୁପରକିଙ୍ଗ୍ସ)
୪ ନମ୍ବର ସ୍ଥାନର ପ୍ରମୁଖ ଦାବିଦାର ଅମ୍ବାତି ରାୟୁଡୁ ଚଳିତ ଆଇପିଏଲ୍ରେ ଖେଳିଥିବା ନିଜ ପ୍ରଥମ ପାଞ୍ଚଟି ମ୍ୟାଚ୍ରେ ସେମିତି କିଛି ଆଖି ଦୃଶିଆ ସଫଳତା ପାଇ ନାହାନ୍ତି। ୫ ମ୍ୟାଚ୍ରୁ ୧୩.୭୫ ହାରରେ ସେ ମାତ୍ର ୫୫ ରନ୍ କରିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଅଧିନାୟକଙ୍କ ଅଧୀନରେ ଖେଳୁଥିବା ରାୟୁଡୁ ଚାରିଟି ମ୍ୟାଚ୍ରେ ପାଳି ଆରମ୍ଭ କରି ଅନ୍ୟନ୍ତ ଖରାପ କ୍ରିକେଟ୍ ଖେଳିଛନ୍ତି। କିଙ୍ଗ୍ସ ଏକାଦଶ ବିପକ୍ଷରେ ଖେଳିଥିବା ୨୧ ରନ୍ର ଏକମାତ୍ର ଅପରାଜିତ ପାଳି ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ହାସଲ କରିଥିଲେ ସେ।
ବିଜୟ ଶଙ୍କର (ସନ୍ରାଇଜର୍ସ ହାଇଦ୍ରାବାଦ)
ସନ୍ରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳୁଥିବା ବିଜୟ ଶଙ୍କର ନିଜ ପ୍ରଥମ ଦୁଇ ମ୍ୟାଚ୍ରେ ୩୦ରୁ ଅଧିକ ଲେଖାଏଁ ରନ୍ କରିଥିଲେ। ଏହା ପରେ ମାତ୍ର ଥରେ ଦୁଇ ଅଙ୍କ ଛୁଇଁଥିଲେ। ପରବର୍ତୀ ତିନି ମ୍ୟାଚ୍ରେ ସେ ଯଥାକ୍ରମେ ୯, ୧୬ ଓ ୫ ରନ୍ର ପାଳି ଖେଳିଥିଲେ। ପାଞ୍ଚ ମ୍ୟାଚ୍ ଭିତରୁ ତାଙ୍କୁ କେବଳ ଦୁଇଟି ମ୍ୟାଚ୍ରେ ବୋଲିଂ କରିବାର ସୁଯୋଗ ମିଳିଥିଲା। ଏଥିରେ ମିଳିତ ଭାବେ ୩ ଓଭର ବୋଲିଂ କରି ସେ ବିନା ୱିକେଟ୍ରେ ୨୬ ରନ୍ ବ୍ୟୟ କରିଥିଲେ।
ହାର୍ଦିକ ପାଣ୍ଡ୍ୟା (ମୁମ୍ବାଇ ଇଣ୍ଡିଆନ୍ସ)
ଆଘାତ ଜନିତ ସମସ୍ୟା ସହ ଟେଲିଭିଜନ୍ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଦେଇଥିବା ଆଶାଳୀନ ମନ୍ତବ୍ୟ ନେଇ ବିବାଦ ଘେରରେ ରହିବା ପରେ କ୍ରିକେଟ୍କୁ ଫେରିଛନ୍ତି ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା। ସଂପ୍ରତି ସେ ମୁମ୍ବାଇ ଇଣ୍ଡିଆନ୍ସର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କ ମଧ୍ୟରେ ନିଜକୁ ସାମିଲ କରି ପାରିଛନ୍ତି। ୧୭୮.୯୪ ଷ୍ଟ୍ରାଇକ୍ ରେଟ୍ ସହ ପାଣ୍ଡ୍ୟା ୩୪ ହାରରେ ରନ୍ ସଂଗ୍ରହ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ମାତ୍ର ୮ ବଲ୍ରୁ ୨୫ ରନ୍ ଏବଂ ୨୦ ରନ୍ରେ ୩ ୱିକେଟ୍ ହାସଲ କରି ପାଣ୍ଡ୍ୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଦୀନେଶ କାର୍ତିକ (କୋଲକାତା ନାଇଟ୍ ରାଇଡର୍ସ)
କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଦୀନେଶ କାର୍ତିକ ନିଜ ପ୍ରଥମ ଦୁଇ ମ୍ୟାଚ୍ରେ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚଳିତ ଋତୁରେ ସେ ପ୍ରଥମ ଅର୍ଧଶତକ ଅର୍ଜନ କରିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ କୋଲକାତା ସେହି ମ୍ୟାଚ୍କୁ ହାରି ଯାଇଥିଲା। ଆର୍ସିବି ବିପକ୍ଷରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ନଥିଲା।
ଈଶାନ୍ତ ଶର୍ମା (ଦିଲ୍ଲୀ କ୍ୟାପିଟାଲ୍ସ)
ଦିଲ୍ଲୀ କ୍ୟାପିଟାଲ୍ସ ବୋଲର ଈଶାନ୍ତ ଶର୍ମା ଚଳିତ ଆଇପିଏଲ୍ରେ ଭଲ କରି ବିଶ୍ବକପ୍ ଟିକେଟ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ସେ ଭାରତୀୟ ବିଶ୍ବକପ୍ ଦଳର ଚତୁର୍ଥ ଦ୍ରୁତ ବୋଲର ସ୍ଥାନ ନେବା ଆଶା ରଖିଛନ୍ତି। ହେଲେ ଗତବର୍ଷର ୮ ଆଇପିଏଲ୍ ମ୍ୟାଚ୍ରେ ସେ ୨୫ ଓଭର ବୋଲିଂ କରି ୨୫୨ ରନ୍ ବ୍ୟୟ କରିଛନ୍ତି। ଗୋଟିଏ ହେଲେ ବି ୱିକେଟ୍ ଅକ୍ତିଆର କରି ପାରିନଥିଲେ। କିନ୍ତୁ ଚଳିତ ବର୍ଷ ୧୨ ଓଭର ବୋଲିଂ କରି ୯୮ ରନ୍ ବିନିମୟରେ ଈଶାନ୍ତ ୪ ୱିକେଟ୍ କରାୟତ କରିଛନ୍ତି।
ଋଷବ ପନ୍ତ (ଦିଲ୍ଲୀ କ୍ୟାପିଟାଲ୍ସ)
ଋଷବ ପନ୍ତ ଚଳିତ ବର୍ଷର ଆଇପିଏଲ୍ରେ ଧମାକାଦାର ଆରମ୍ଭ କରିଥିଲେ। ୨୭ ବଲ୍ରୁ ୨୮୮.୮୮ ହାରରେ ୭୮ ରନ୍ କରି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହା ପରେ ତାଙ୍କ ବ୍ୟାଟ୍ ଏକପ୍ରକାର ଶାନ୍ତ ପଡ଼ି ଯାଇଥିଲା। ତଥାପି ସଂପ୍ରତି ଦିଲ୍ଲୀର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ। ପନ୍ତ ଭଲ ୱିକେଟ୍ ରକ୍ଷଣ ମଧ୍ୟ କରୁଛନ୍ତି।
ଲୋକେଶ ରାହୁଲ (କିଙ୍ଗ୍ସ ଏକାଦଶ ପଞ୍ଜାବ)
ପ୍ରଥମ ମ୍ୟାଚ୍ରେ ଲୋକେଶ ରାହୁଲ ମାତ୍ର ଚାରିଟି ବଲ୍ ପାଇଁ କ୍ରିଜ୍ରେ ରହିଥିଲେ। ପାଞ୍ଚ ମ୍ୟାଚ୍ ପରେ ଅବଶ୍ୟ ସେ କିଙ୍ଗ୍ସ ଏକାଦଶ ପଞ୍ଜାବର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇ ପାରିଛନ୍ତି। ରାହୁଲ ଏବେ ୩୬.୫୦ ହାରରେ ୧୪୬ ରନ୍ କରିଛନ୍ତି। ତାଙ୍କ ଏକମାତ୍ର ଅର୍ଧଶତକ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଆସିଥିଲା। ଏହି ମ୍ୟାଚ୍କୁ କିନ୍ତୁ ପଞ୍ଜାବ ହାରି ଯାଇଥିଲା।
ଅଜିଙ୍କ୍ୟ ରାହାଣେ (ରାଜସ୍ଥାନ ରୟାଲ୍ସ)
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଆୟୋଜିତ ହୋଇଥିବା ୨୦୧୫ ବିଶ୍ବକପରେ ଭାରତୀୟ ଦଳର ସଦସ୍ୟ ଥିବା ଅଜିଙ୍କ୍ୟ ରାହାଣେ ଏଥର ମଧ୍ୟ ବିଶ୍ବକପ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ସେ ୬ ମ୍ୟାଚ୍ରୁ ମାତ୍ର ଗୋଟିଏ ଅର୍ଧଶତକ ହାସଲ କରିଛନ୍ତି। ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବ ମଧ୍ୟ ସେ ତୁଲାଉଛନ୍ତି। ଯାହା ତାଙ୍କ ବିଶ୍ବକପ୍ ଦାବିଦାରି ପାଇଁ ପର୍ଯ୍ୟାପ୍ତ ହୋଇ ନପାରେ।