ବେଙ୍ଗାଲୁରୁ (ସୁରେଶ ସ୍ବାଇଁ):  ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଭାରତ-ନେଦରଲ୍ୟାଣ୍ଡସ୍ ମ୍ୟାଚରେ ସୃଷ୍ଟି ହୋଇଛି ଅନେକ ନୂଆ ରେକର୍ଡ। ଭାରତୀୟ ଦଳ ନେଦରଲ୍ୟାଣ୍ଡସ୍ ଆଗ‌ରେ ୪୧୧ ରନର ଏକ ବିଶାଳ ଟାର୍ଗେଟ୍ ରଖିବା ସହ ଦୁଇଦୁଇ ଜଣ ବ୍ୟାଟର ଶତକ ହାସଲ କରିଛନ୍ତି।  ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଶତକୀୟ ଭାଗୀଦାରି ତ ହେଲା କିନ୍ତୁ ବିରାଟ କୋହଲି ୫୦ ଟପିଲେ ବି ତାଙ୍କ ରେକର୍ଡ ୫୦ତମ ଶତକ ବିଳମ୍ବିତ ହୋଇଗଲା। ଶେଷକୁ ଠିକଣା ସମୟରେ ଶତକ ଜମାଇ କେଏଲ୍ ରାହୁଲ ଏବଂ ଶ୍ରେୟସ ଆୟର ସେମିଫାଇନାଲ୍ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିନେଲେ। ଆୟର (୧୨୮*) ପ୍ରଥମ ଥର ବିଶ୍ବକପ୍‌ରେ ଶତକ ହାସଲ କରିଥିବ‌ାବେଳେ ରାହୁଲ (୧୦୨) ବିଶ୍ବକପ୍‌ରେ ଦ୍ବିତୀୟ ଶତକ ହାସଲ କରିଛନ୍ତି। ରାହୁଲ ଗତ ୨୦୧୯ରେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଶତକ ମାରିଥିଲେ। ଚଳିିତ ସଂସ୍କରଣରେ କିନ୍ତୁ ଉଭୟ ପ୍ରଥମ ଥର ତିନି ଅଙ୍କ ଛୁଇଁଥିଲେ। ଦିନିକିଆରେ କିନ୍ତୁ ଆୟର ଚତୁର୍ଥ ଏବଂ ରାହୁଲ ସପ୍ତମ ଶତକ ଜମାଇଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଦ୍ବିଶତକ ଭାଗୀଦାରି (୨୧.୧ ଓଭରରୁ ୨୦୮ ରନ୍‌) କ‌ାରଣରୁ ଚଳିତ ସଂସ୍କରଣରେ ଭାରତ ପ୍ରଥମ ଥର ୪୦୦ ରନ୍‌ ଟପିଛି। ଭାରତର ୪୧୦/୪ ମୋଟ ଉପରେ କିନ୍ତୁ ବିଶ୍ବକପ୍‌ ଇତିହାସରେ ପଞ୍ଚମ ଶ୍ରେଷ୍ଠ ପାଳି ହୋଇଛି। ବିଶ୍ବକପ୍‌ରେ ଭାରତର ସର୍ବୋଚ୍ଚ ଦଳଗତ ସ୍କୋର୍‌ ୪୧୩/୫ (ବନାମ ବରମୁଡା, ପୋର୍ଟ ଅଫ ସ୍ପେନ୍, ୨୦୦୭) ୧୬ ବର୍ଷ ଧରି ଶୀର୍ଷରେ ରହିଛି। ସବୁ ଦଳ ମଧ୍ୟରେ କିନ୍ତୁ ଚଳିତ ସଂସ୍କରଣରେ ଦିଲ୍ଲୀରେ ଶ୍ରୀଲଙ୍କ‌ା ବିପକ୍ଷରେ ଦକ୍ଷିଣ ଆଫ୍ରିକା ସ୍କୋର୍‌ କରିଥିବା ୪୨୮/୫ ଶୀର୍ଷରେ ଅଛି।

Advertisment

ରାହୁଲଙ୍କ ଦ୍ରୁତତମ ଶତକ

କେଏଲ୍ ରାହୁଲ ଅନ୍ତିମ ଓଭରରେ କ୍ରମାଗତ ଛକା ମାରି କେବଳ ଶତକ ପୂର୍ଣ୍ଣ କରିନଥିଲେ। ବିଶ୍ବକପ୍‌ ଇତିହ‌ାସରେ ମଧ୍ୟ ଦ୍ରୁତତମ ଭାରତୀୟ ଶତକ ହାସଲକାରୀ ହୋଇଥିଲେ। ରାହୁଲ ମାତ୍ର ୬୨ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ। ଚଳିିତ ସଂସ୍କରଣରେ ଅଧିନାୟକ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ‌ରେ ମାତ୍ର ୬୩ ବଲ୍‌ରୁ ତିନି ଅଙ୍କ ଟପିଥିଲେ। ପୂର୍ବରୁ ଏହି ତାଲିକାରେ ବୀରେନ୍ଦ୍ର ସେହବାଗ (୮୧ ବଲ୍‌ ବନାମ ବରମୁଡ଼ା, ୨୦୦୭) ଏବଂ ବିରାଟ କୋହଲି (୮୩ ବଲ୍‌ ବନାମ ବାଂଲାଦେଶ, ୨୦୧୧) ଥି‌ଲେ ମଧ୍ୟ ପଛରେ ପଡ଼ିଯାଇଛନ୍ତି। ଚଳିିତ ସଂସ୍କରଣରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଆଗୁଆ ଜିତିଯିବାରୁ ରାହୁଲ (୯୭*) ଶତକରୁ ବଞ୍ଚିତ ହୋଇଥିଲେ। ଦ୍ବିତୀୟ ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଭାବେ ରାହୁଲ ମଧ୍ୟ ବିଶ୍ବକପ୍‌ ଶତକ ହାସଲ କରିଛନ୍ତି। ପ୍ରଥମ ଏବଂ ଏକମାତ୍ର ଭାରତୀୟ ଭାବେ ବର୍ତମାନର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ୨୪ ବର୍ଷ ତଳେ ଶତକ ମାରିଥିଲେ। ୧୯୯୯ ସଂସ୍କରଣରେ ସେ ଶ୍ରୀଲଙ୍କା ବିପକ୍ଷ ଟୌନଟନ୍‌ ମୁକାବିଲାରେ ୧୪୫ ରନ୍‌ ପାଳି ଖେଳି ସୌରଭ ଗାଙ୍ଗୁଲି (୧୮୩)ଙ୍କ ସହ ୩୧୮ ରନ୍ ଭାଗୀଦାରି କରିଥିଲେ।

ରୋହିତ ଓ କୋହଲିଙ୍କ ରେକର୍ଡ

ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ଅବସରରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ରେକର୍ଡ ବୁକ୍‌ରେ ନିଜ ନାମ ଲେଖ‌ାଇଛନ୍ତି। ପ୍ରଥମ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଗୋଟିଏ ବିଶ୍ବକପ୍‌ରେ ୫୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିବା ସହ କ୍ରମାଗତ (୨୦୧୯, ୨୦୨୩) ସଂସ୍କରଣରେ କରିବାରେ ବିଶ୍ବର ପ୍ରଥମ ବ୍ୟାଟର୍ ହୋଇଛନ୍ତି। ଏହା ପୂର୍ବରୁ ୨୦୦୩ରେ ଅଧିନାୟକ ସୌରଭ ଗାଙ୍ଗୁଲି ସଂଗ୍ରହ କରିଥିବା ୪୬୫ ରନ୍‌ ୨୦ ବର୍ଷ ଧରି ଶୀର୍ଷରେ ଥିଲା। ସେହିଭଳି ସଚିନ ତେନ୍ଦୁଲକର ଦୁଇ ଥର ୫୦୦ ରନ୍‌ରୁ ଉର୍ଧ୍ବ ରନ୍‌ କରିଥିଲେ ମଧ୍ୟ ଏହା ଗୋଟିଏ ସଂସ୍କରଣ ବ୍ୟବଧାନ (୧୯୯୬ ଓ ୨୦୦୩) ଆସିଥିଲା। ଅନ୍ୟପକ୍ଷରେ ରେକର୍ଡମ୍ୟାନ୍‌ ବିରାଟ କୋହଲି ତାଙ୍କ ଦ୍ବିତୀୟ ଘର ଭାବେ ପରିଚିତ ଚିନ୍ନାସ୍ବାମୀରେ ୫୦ତମ ଶତକ ପର୍ଯ୍ୟନ୍ତ ପହଞ୍ଚିପାରିଲେ ନାହିଁ କିନ୍ତୁ ଚଳିତ ସଂସ୍କରଣରେ ସପ୍ତମ ଥର ୫୦+ ସ୍କୋର୍‌ କରି ସଚିନ ତେନ୍ଦୁଲକର ଓ ସାକିବ୍ ଉଲ୍ ହାସନ୍‌ଙ୍କ ସମକକ୍ଷ ହୋଇଛନ୍ତି। ୨୦୦୩ରେ ସଚିନ ୬ ଅର୍ଦ୍ଧଶତକ, ୧ ଶତକ ମାରିଥିବାବେଳେ ୨୦୧୯ରେ ସାକିବ୍ ୫ ଅର୍ଦ୍ଧଶତକ ଓ ୨ ଶତକ ହାସଲ କରିଥିଲେ। ଏଥର ବିରାଟଙ୍କ ଅସମ୍ପୂର୍ଣ୍ଣ ବିଶ୍ବକପ୍‌ ଅଭିଯାନରେ ଏ ପର୍ଯ୍ୟନ୍ତ ୫ ଅର୍ଦ୍ଧଶତକ ଓ ୨ ଶତକ ଯୋଡ଼ି ହୋଇସାରିଛି। ବିରାଟ କୋହଲି-ଶ୍ରେୟସ ଆୟର ମଧ୍ୟ ରୋହିତ ଶର୍ମା-ଶୁବମନ ଗିଲ୍‌ ଙ୍କ ଭଳି ଚତୁର୍ଥ ଥର ୫୦+ ଭାଗୀଦାରି କରିଛନ୍ତି। ବ୍ୟକ୍ତିଗତ ଭାବେ କିନ୍ତୁ ଭାରତୀୟମାନେ ୨୦ଟି ପାଳିରେ ୫୦+ ସ୍କୋର୍‌ କରି ୨୦୧୯ (୧୯)କୁ ଟପିଯାଇଛି। ଭାରତ ପାଳିରେ ୫ ଜଣ ୫୦+ ସ୍କୋର୍‌ କରିବା ମଧ୍ୟ ଏକ ଦିନିକିଆ ରେକର୍ଡ ସମକକ୍ଷ ସଫଳତା ଆଣିଛି। ପୂର୍ବରୁ ଅଷ୍ଟ୍ରେଲି‌ଆ ଦୁଇ ଥର (୨୦୧୩, ଜୟପୁର ଏବଂ ୨୦୨୦, ସିଡନି) ଏଭଳି କରିଥିବାବେଳେ ଉଭୟ ସଫଳତା ଭାରତ ବିପକ୍ଷରେ ଥିଲା। ୨୦୦୮ରେ ପାକିସ୍ତାନ କରାଚୀରେ ଜିମ୍ବାୱେ ବିପକ୍ଷରେ ମଧ୍ୟ ୫ ଜଣଙ୍କଠାରୁ ୫୦+ ସ୍କୋର୍‌ ପାଇଥିଲା।