ବିଶ୍ବ କପ୍ କ୍ରିକେଟ୍‌ ୨୦୧୯, ୪ ଚର୍ଚ୍ଚିତ

ଲଣ୍ଡନ୍‌: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ଚଳିତ ବିଶ୍ବକପ୍‌ର ୪ ମହାନାୟକଙ୍କ ନାମ ସୋମବାର ପ୍ରକାଶ କରିଛି। ମଙ୍ଗଳବାର ସେମିଫାଇନାଲ୍‌ ମୁକାବିଲା ପୂର୍ବରୁ ଚଳିତ ବିଶ୍ବକପ୍‌ର ୪ ବର୍ଗ (ବ୍ୟାଟିଂ, ବୋଲିଂ, କ୍ଷେତ୍ରରକ୍ଷଣ ଓ ୱିକେଟରକ୍ଷଣ)ରେ ସବୁଠୁ ସଫଳ ଖେଳାଳିଙ୍କ ନାମ ଆଇସିସି ବାଛିଛି। ଏହି ୪ ଖେଳାଳି ନିଜ ନିଜ ବର୍ଗରେ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଆଇସିସି ଟ୍ବିଟ୍‌ କରିଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ରନ୍‌ରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା, ସର୍ବାଧିକ ୱିକେଟ୍‌ ଦଖଲରେ ଅଷ୍ଟ୍ରେଲିଆ ଦ୍ରୁତ ‌ବୋଲର ମିଚେଲ ଷ୍ଟାର୍କ, ସର୍ବାଧିକ କ୍ୟାଚ୍‌ ନେବାରେ ଇଂଲଣ୍ଡର ଜୋ ରୁଟ୍‌ ଏବଂ ୱିକେଟ୍‌ ପଛରେ ସର୍ବାଧିକ ଡିସ୍‌ମିସାଲ କରିବା (ସର୍ବାଧିକ ଖେଳାଳିଙ୍କୁ ଆଉଟ୍‌ କରିବା)ରେ ଅଷ୍ଟ୍ରେଲିଆର ଆଲେକ୍ସ କେରି ରହିଛନ୍ତି। ଆସନ୍ତୁ ଏହି ୪ ମହାନାୟକଙ୍କ ଉପରେ ନଜର ପକାଇନେବା।

ରୋହିତ ଶର୍ମା (୬୪୭ ରନ୍‌, ୮ ମ୍ୟାଚ୍‌)
ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଚଳିତ ବିଶ୍ବକପ୍‌ରେ ଶତକର ରାଜା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସେ ୮ ମ୍ୟାଚ୍‌ରୁ ୬୪୭ ରନ୍‌ ସଂଗ୍ରହ କରି ସର୍ବାଧିକ ରନ୍‌ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଶତକ ହାସଲ ପରେ ରୋହିତ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ବିଶ୍ବକପ୍‌ରେ ୫ ଶତକ ଜମାଇବାର କୀର୍ତ୍ତିମାନ ପାଇଥିଲେ। ୩୨ ବର୍ଷୀୟ ରୋହିତଙ୍କ ଲଗାତାର ତୃତୀୟ ଶତକ ବଳରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ସହଜ ବିଜୟ ପାଇଥିଲା। ଦିନିକିଆ ଆନ୍ତର୍ଜାତିକରେ ଲଗାତାର ୩ ଶତକ ମାରିବାରେ ବିଶ୍ବର ୧୦ ଜଣ ଖେଳାଳିଙ୍କ ମଧ୍ୟରେ ରୋହିତ ସାମିଲ ରହିଛନ୍ତି।

ମିଚେଲ ଷ୍ଟାର୍କ (୨୬ ୱିକେଟ୍‌, ୯ ମ୍ୟାଚ୍‌)
୨୯ ବର୍ଷୀୟ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଚଳିତ ବିଶ୍ବକପ୍‌ରେ ୯ ମ୍ୟାଚ୍‌ ଖେଳି ୨୬ ୱିକେଟ୍‌ ସହ ସର୍ବାଧିକ ୱିକେଟ୍‌ ସଂଗ୍ରହକାରୀ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଏଥିସହ ସେ ବିଶ୍ବକପ୍‌ରେ ସର୍ବାଧିକ ୱିକେଟ୍‌ ସଂଗ୍ରହକାରୀ ତାଲିକାରେ ଟ୍ରେଣ୍ଟ୍‌ ବୋଲ୍ଟ (୨୦୧୫)ଙ୍କ ସମକକ୍ଷ ହୋଇଛନ୍ତି। ୟର୍କର ମାରିବାରେ ସିଦ୍ଧହସ୍ତ ଷ୍ଟାର୍କ ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ୪ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲା ‌ବେଳେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୫ ୱିକେଟ୍‌ ସଫଳତା ହାତେଇଥିଲେ। ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ସେ ଯେଉଁ ବଲ୍‌ରେ ବୋଲ୍‌ଡ କରିଥି‌ଲେ ତାହା ଏକ ପରଫେକ୍ଟ ୟର୍କର ଥିଲା। ଯାହାକୁ କି କ୍ରିକେଟ୍‌ ଦୁନିଆ ପ୍ରଶଂସା‌ କରିବା ସାଙ୍ଗକୁ ତାହାକୁ ପ୍ରତିଯୋଗିତାର ଶ୍ରେଷ୍ଠ ବଲ୍‌ ଆଖ୍ୟା ଦେଇଛି।

 

ଜୋ ରୁଟ୍‌ (୧୧ କ୍ୟାଚ୍‌, ୯ ମ୍ୟାଚ୍‌)
ଇଂଲଣ୍ଡର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ଚଳିତ ବିଶ୍ବକପ୍‌ରେ ସର୍ବାଧିକ କ୍ୟାଚ୍‌ ଧରିବା ତାଲିକାରେ ଶୀର୍ଷରେ ରହିଛନ୍ତି। ସେ ୯ ମ୍ୟାଚ୍‌ରୁ ୧୧ କ୍ୟାଚ୍‌ ଧରିଛନ୍ତି। କ୍ୟାଚ୍‌ ଧରିବା ଦକ୍ଷତା ବ୍ୟତିରେକ ରୁଟ୍‌ ମଧ୍ୟ ବ୍ୟାଟିଂରେ ୫୦୦ ରନ୍‌ ସଂଗ୍ରହ କରିଛନ୍ତି। ସେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ରନ୍‌ ସଂଗ୍ରହ କରିବାରେ ଅଗ୍ରଣୀ ରହିଛନ୍ତି। ଏଥିରେ ତାଙ୍କର ୨ ଶତକ ଓ ୩ ଅର୍ଧଶତକ ସାମିଲ ରହିଛି।

ଆଲେକ୍ସ କାରି (୧୭ କ୍ୟାଚ୍‌, ୨ ଷ୍ଟମ୍ପିଂ, ୯ ମ୍ୟାଚ୍‌)
ଅଷ୍ଟ୍ରେଲିଆ ‌ୱିକେଟ୍‌ରକ୍ଷକ ଆଲେକ୍ସ କାରିଙ୍କ ନାମ ଚଳିତ ବିଶ୍ବକପ୍‌ରେ ୱିକେଟ୍‌ ପଛରେ ସର୍ବାଧିକ ସଫଳତା (ଡିସ୍‌ମିସାଲ) ପାଇବା ତାଲିକାରେ ଯୋଡ଼ି ହୋଇଛି। ୯ ମ୍ୟାଚ୍‌ରେ କାରି ସର୍ବାଧିକ ୧୯ ଜଣଙ୍କୁ ଆଉଟ୍‌ କରି (୧୭ କ୍ୟାଚ୍‌, ୨ ଷ୍ଟମ୍ପିଂ) ତାଲିକାର ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଆଦାମ ଗିଲଖ୍ରିଷ୍ଟ (୨୧)ଙ୍କ ନାମରେ ରହିଥିବା ଗୋଟିଏ ବିଶ୍ବକପ୍‌ କୀର୍ତ୍ତିମାନ ଭାଙ୍ଗିବାଠୁ କାରି ୨ ଦୂରରେ ରହିଛନ୍ତି। ୨୭ ବର୍ଷୀୟ ଏହି ଅଷ୍ଟ୍ରଲୀୟ ୱିକେଟ୍‌ରକ୍ଷକ ବ୍ୟାଟିଂରେ ମଧ୍ୟ ନିଜର ଚମକ ଦେଖାଇଛନ୍ତି। ସେ ୮ ପାଳି ଖେଲି ୩୨୯ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର