ବିଶ୍ବକପ୍ ସେମିଫାଇନାଲ ପରାଜୟକୁ ହଜମ କରିବା ସହଜ ନଥିଲା: କୋହଲି

ନୂଆଦିଲ୍ଲୀ: ବିଶ୍ବକପ୍ ସେମିଫାଇନାଲରୁ ବିଦାୟ ନେବା ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଥର ପାଇଁ ସାକ୍ଷାତକାର ‌ଦେଇଛନ୍ତି। ଏକ ଇଂରାଜି ୱେବ୍‌ସାଇଟକୁ ସାକ୍ଷାତକାର ଦେଇ କୋହଲି ଭାରତୀୟ ଦଳର ଭବିଷ୍ୟତ, ଡ୍ରେସିଂ ରୁମ୍ ପରିବେଶ ଓ ଯୁବ ଖେଳାଳିଙ୍କ ସୀମିତ ଓଭର ପ୍ରଦର୍ଶନ ନେଇ ବିସ୍ତୃତ ବିବରଣୀ ଦେଇଛନ୍ତି। ସେହିଭଳି ପ୍ରଥମ ଥର ଆୟୋଜିତ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ ନେଇ ସେ ଉଲ୍ଲସିତ ଥିବା ବିରାଟ ପ୍ରକାଶ କରିଛନ୍ତି। ସେମିଫାଇନାଲ୍ ପରାଜୟର ଧକ୍କା ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ବିରାଟ କହିଛନ୍ତି ଯେ ମୁଁ ବିଫଳତା ଓ ଅପ୍ରତ୍ୟାଶିତ ଝଟ୍‌କା ତଥା ବାଧାରୁ ବହୁତ କିଛି ଶିଖିଛି। ଖରାପ ସମୟ ମୋତେ କେବଳ ଅନୁପ୍ରେରିତ କରିନି, ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିଛି। ସଫଳତା ତୁଳନାରେ ସେହି ସମୟଗୁଡ଼ିକ ମୋ ପାଇଁ କେତେ ମହତ୍ବ ଥିଲା ବୁଝିପାରିଛି। ଏଭଳି ସ୍ଥିତିରେ ଆପଣ ଆଗକୁ କ’ଣ କରିବେ ତାହା ହିଁ ଭାବନ୍ତି। ନିଜ ପାଇଁ ଖସଡ଼ା ପ୍ରସ୍ତୁତ କରନ୍ତି। କଠିନ ପରିସ୍ଥିତିରେ କିଏ ଆପଣଙ୍କ ସାଙ୍ଗରେ ରହିବ ଏବଂ କିଏ ଖସି ଚାଲିଯିବ, ତାହା ଏଭଳି ସମୟରେ ହିଁ ଜଣାପଡ଼ିଯାଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଆପଣ ମାନସିକ ସ୍ତରରେ କେତେ ଶକ୍ତ ତାହା ଜଣାପଡ଼ିଯାଇଥାଏ। ଯେତେବେଳେ ସମସ୍ତେ ଭଲ ଖେଳୁଥାଆନ୍ତି ଏବଂ ଆପଣଙ୍କ ଆତ୍ମବିଶ୍ବାସ ଉଚ୍ଚରେ ଥାଏ, ସେତେବେଳେ ଯଦି ଆପଣଙ୍କୁ କିଏ ସବୁ ଦିଗରୁ ଚିତ୍ କରିଦିଏ, ତାହାଲେ ତାକୁ ହଜମ କରିବା ସହଜ ହୁଏନି। ଆମେ ବିଶ୍ବକପରୁ ହଠାତ୍ ବାଦ୍ ପଡ଼ିବା ଭଳି ଭୁଲ କରିନଥିଲୁ। ଯେତେବେଳେ ଆପଣ ଭୁଲ କରନ୍ତି, ବିଫଳତାକୁ ଗ୍ରହଣ କରିବା ଟିକିଏ ସହଜ ହୁଏ। ହେଲେ ଅଚାନକ ଯଦି ପରାଜୟ ଆସେ ତାକୁ ସମ୍ମୁଖୀନ ହେବା ପୂରା କଷ୍ଟକର ହୋଇଥାଏ। ଆମେ ଦଳୀୟ ଖେଳାଳିଙ୍କୁ ସେମାନଙ୍କ ପ୍ରଦର୍ଶନ ନେଇ ଗର୍ବ କରିବାକୁ ଆହ୍ବାନ କରିଥିଲୁ। ସଫଳତାର ଶ୍ରେୟ ଯେତେବେଳେ ଆପଣ ନିଜକୁ ଦିଅନ୍ତି ତାହିଁ, ସେତେବେଳେ ଅଯଥା ଚାପଗ୍ରସ୍ତ ହୁଅନ୍ତି। ଜୀବନରେ ସନ୍ତୁଳନର ଢେର ମହତ୍ବ ରହିଛି।

ସମ୍ବନ୍ଧିତ ଖବର