ବିଶ୍ୱକପ୍‌: ଜୋଏ ରୁଟ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ୱେଷ୍ଟଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଇଂଲଣ୍ଡ

ସାଉଥମ୍ପଟନ୍‌: ଜୋଏ ରୁଟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଶୁକ୍ରବାର ଇଂଲଣ୍ଡ ୮ ଓ୍ଵିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ସାଉଥମ୍ପଟନ୍‌ର ଦ ରୋଜ୍‌ ବାଉଲ ଷ୍ଟାଡିୟମରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ୧୯ତମ ମ୍ୟାଚ୍‌ରେ ଇଂଲଣ୍ଡ ୨୧୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିଲା। ଜୋଏ ରୁଟ୍‌ ଅପରାଜିତ ଶତକ (୧୦୦ ରନ୍‌, ୯୪ ବଲ୍‌, ୧୧ ଚୌକା) ହାସଲ କରିଥିଲେ । ପୂର୍ବରୁ ରୁଟ ଆଜି ୫ ଓଭର ବୋଲିଂ କରି ୨୭ ରନ୍‌ ଖର୍ଚ୍ଚ କରିଥିଲେ ଓ ସେ ୨ଟି ଓ୍ଵିକେଟ୍‌ ନେଇଥିଲେ।

ଇଂଲଣ୍ଡ ୩୩.୧ ଓଭରରେ ୨ ଓ୍ଵିକେଟ ହରାଇ ୨୧୩ ରନ୍‌ କରିଛି। ଓପନର ଜନି ବେୟରଷ୍ଟୋ ୪୫ ରନ୍‌ କରିଥିଲେ। ସେ ୪୬ଟି ବଲ ଖେଳି ୭ଟି ଚୌକା ମାରିଥିଲେ। ବେୟାରଷ୍ଟୋ ଆଉଟ ହେବା ପରେ କ୍ରିସ ଓ୍ଵକସ୍‌ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। କ୍ରସ ଓ୍ଵକସ୍‌ ୫୪ଟି ବଲ ଖେଳି ୪୦ ରନ ଟିମ୍‌ ଖାତାରେ ଯୋଡ଼ିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା। ବେନ୍‌ ଷ୍ଟେକସ୍‌ ଅପରାଜିତ ୧୦ ରନ୍‌ କରିଥିଲେ।

ପ୍ରଥମ ଇନିଂସରେ ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚ୍ଚର ଓ ମାର୍କ ଉଡ୍‌ଙ୍କ ଘାତକ ବୋଲିଂ ଯୋଗୁଁ ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌୨୧୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ କରିଥିଲା।

Cricbuzz

ୱେଷ୍ଟଇଣ୍ଡିଜ୍‌ ପାଇଁ ସର୍ବୋଚ୍ଚ ରନ୍‌ ନିକୋଲାସ ପୂରନ ସଂଗ୍ରହ କରିଥିଲେ। ସେ ୭୮ଟି ବଲ ଖେଳି ୬୩ ରନ୍‌ କରିଥିଲେ। ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଓପନର କ୍ରିସ ଗେଲ ୪୧ଟି ବଲ ଖେଳି ୩୬ ରନ୍‌, ସିମରନ ହେଟମେୟର ୪୮ଟି ବଲ ଖେଳି ୩୯ ରନ କରିଥିବା ବେଳେ ଆନ୍ଦ୍ରେ ରସେଲ ୧୬ଟି ବଲ ଖେଳି ୨୧ ରନ ଯୋଡ଼ିଥିଲେ। ସେହିଭଳି କାରଲୋସ ବ୍ରାଥେଓ୍ଵଟଙ୍କ ବ୍ୟାଟରୁ ୧୪ ରନ୍‌ ଓ ସାଇହୋପ ୧୧ ରନ କରିଥିଲେ। ଟିମର ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ଜୋଫ୍ରା ଆର୍ଚ୍ଚର ୯ ଓଭର ବୋଲିଂରେ ଗୋଟିଏ ମେଡନ ନେଇଥିବା ବେଳେ ୩୦ ରନ ଦେଇଥିଲେ। ସେ ମାତ୍ର ଗୋଟିଏ ଅତିରିକ୍ତ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ। ମାର୍କ ଉଡ ୪.୪ ଓଭର ବୋଲିଂ କରି ୧୮ ରନ୍‌ ଦେଇଥିଲେ। ସେ ଗୋଟିଏ ଅତିରିକ୍ତ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ। ଜୋଏ ରୁଟଙ୍କୁ ୨ଟି ଓ କ୍ରିସ ଓ୍ଵକସ୍‌ ଓ ଲିଆମ ପ୍ଲୁକେତଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର