ନୂଆଦିଲ୍ଲୀ : ଗତକାଲି ଲର୍ଡସରେ ଅନୁଷ୍ଠିତ ବିଶ୍ବକପ୍ କ୍ରିକେଟ ଫାଇନାଲ ଯେତେ ରୋମାଞ୍ଚକର ଥିଲା ସେତିକି ବିବାଦୀୟ ମଧ୍ୟ। ନାଟକୀୟ ଭାବେ ମ୍ୟାଚ୍ ଓ ସୁପର୍ ଓଭର ଟାଇ ରହିବାରୁ ସର୍ବାଧିକ ବାଉଣ୍ଡରି ବ୍ୟବଧାନରେ ଇଂଲଣ୍ଡ ନିଜ ୪୪ ବର୍ଷର ଅଧୁରା ସ୍ବପ୍ନକୁ ସାକାର କରି ପାରିଛି। ତେବେ ଏହି ଅବସରରେ ଦୁଇଟି କ୍ରିକେଟ୍ ନିୟମ ବିତର୍କ ପରିସରକୁ ଆସିଛି। ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲଙ୍କ ଥ୍ରୋ’ ବେନ୍ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ଚୌକା ହେବା ପରେ ଇଂଲଣ୍ଡକୁ ୬ ରନ୍ ପ୍ରଦାନ କରାଯିବା ଏବଂ ବାଉଣ୍ଡରି ବ୍ୟବଧାନରେ ବିଶ୍ବକପ୍ ବିଜେତା ନିର୍ଣ୍ଣୟ କରାଯିବା ଘଟଣାକୁ ଅନେକ କ୍ରିକେଟ୍ ପଣ୍ଡିତ ଓ ପୂର୍ବତନ ଖେଳାଳି ଗ୍ରହଣ କରିପାରିନାହାନ୍ତି।
ଅଜବ ନିୟମ ଏବଂ ଅମ୍ପାୟାରିଂରେ ତ୍ରୁଟି ଯୋଗୁଁ ନ୍ୟୁଜିଲାଣ୍ଡ୍ ବିଶ୍ବକପ୍ରୁ ବଞ୍ଚିତ ରହିଲା ବୋଲି ସେମାନେ ମତ ଦେବାକୁ ପଛାଇ ନାହାନ୍ତି।
ରବିବାର ଫାଇନାଲ୍ ଏକାଧିକ ଥର ନାଟକୀୟ ମୋଡ଼ ଓ ରୋମାଞ୍ଚକ ମୁହୂର୍ତ ଦେଇ ଗତି କରିଥିଲା। ଶେଷ ଓଭରରୁ ୧୫ ରନ୍ ଆବଶ୍ୟକ କରୁଥିବା ଇଂଲଣ୍ଡ ୧୪ ରନ୍ କରିବାରୁ ମ୍ୟାଚ୍ ‘ଟାଇ’ ହୋଇଯାଇଥିଲା। ପ୍ରଥମ ତିନି ବଲରେ ୬ ରନ୍ କରିଥିବା ଇଂଲଣ୍ଡକୁ ଜିତିବା ପାଇଁ ଶେଷ ୩ ବଲ୍ରୁ ୯ ରନ୍ ଦରକାର ଥିଲା। କିନ୍ତୁ ପରବର୍ତୀ (୪ର୍ଥ) ବଲ୍ରେ ଯାହା ଘଟିଥିଲା ତାହା ଘରୋଇ ଦଳ ପାଇଁ ସୁଯୋଗ ବିଜୟର ସୁଯୋଗ ସୃଷ୍ଟି କରିଥିଲା। ଟ୍ରେଣ୍ଟ୍ ବୋଲଟଙ୍କ ଏହି ଓଭରର ଚତୁର୍ଥ ବଲ୍ରୁ ବେନ୍ ଷ୍ଟୋକ୍ସ ୨ ରନ୍ ନେବାକୁ ଚେଷ୍ଟା କରିଥିଲେ। ଦ୍ବିତୀୟ ରନ୍ ସମ୍ପୂର୍ଣ୍ଣ କରିବାକୁ ଯାଇ ସେ ଡାଇଭ୍ ମାରିବା ସମୟରେ ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ ତାଙ୍କ ବ୍ୟାଟ୍କୁ ହିଟ୍ କରି ସୀମାରେଖା ବାହାରକୁ ଚାଲିଯାଇଥିଲା। ଅମ୍ପାୟାର୍ କୁମାର ଧର୍ମସେନା ସାଥୀ ଅମ୍ପାୟାର୍ ମାରାଇସ୍ ଏରାସମସ୍ଙ୍କ ସହ ଆଲୋଚନା କରିବା ପରେ ୬ ରନ୍ର ସଙ୍କେତ ଦେଇଥିଲେ। ବ୍ୟାଟସମ୍ୟାନ୍ଙ୍କ ୨ ରନ୍ ସହିତ ଓଭରଥ୍ରୋକୁ ମିଳିଥିବା ଚୌକାକୁ ମିଶାଇ ଦିଆଯାଇଥିଲା। କିନ୍ତୁ କ୍ରିକେଟ ବିଶେଷଜ୍ଞ ଏହି ୬ ରନ୍ ସହିତ ଆଦୌ ଏକମତ ନୁହନ୍ତି। ସେମାନେ ଏହାକୁ ଅମ୍ପାୟରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଛନ୍ତି। ଆଇସିସି ଧାରାର (୧୯.୮) ତର୍ଜମା କରିବା ପରେ ପୂର୍ବତନ ଆଇସିସି ପ୍ୟାନେଲ୍ର ସ୍ବନାମଧନ୍ୟ ଅମ୍ପାୟାର୍ ସାଇମନ୍ ଟଫେଲ ଆଇସିସି ନିୟମର ଭୁଲ ତର୍ଜମା ହୋଇଥିବା କହିଛନ୍ତି। ସର୍ବତ୍ର ଗ୍ରହଣୀୟ ତଥା ଖ୍ୟାତନାମା ଅନ୍ତର୍ଜାତୀୟ ଅମ୍ପାୟାର୍ ଟଫେଲ ଏବେ ଏମସିସି ନିୟମ ଉପସମିତିରେ ସଦସ୍ୟ ରହିଛନ୍ତି। ୫ ଥର ଆଇସିସିର ଶ୍ରେଷ୍ଠ ଅମ୍ପାୟାର ଭାବେ ପୁରସ୍କୃତ (୨୦୦୪-୨୦୦୮) ହୋଇଥିବା ଟଫେଲଙ୍କ ମତରେ ୬ ନୁହେଁ ଏହାକୁ ସେମାନେ ୫ ରନ୍ ଘୋଷଣା କରିବାର ଥିଲା। ଏହା ହୋଇଥିଲେ ଇଂଲଣ୍ଡ ଗୋଟିଏ ରନ୍ କମ୍ ପାଇବା ସାଙ୍ଗକୁ ବେନ୍ ଷ୍ଟୋକ୍ସ ମଧ୍ୟ ଷ୍ଟ୍ରାଇକ୍ ପାଇ ନ ଥାନ୍ତେ । ସେହି ଓଭରର ପଞ୍ଚମ ବଲ୍କୁ ଇଂଲଣ୍ଡର ଆଦିଲ ରସିଦ୍ ସମ୍ମୁଖୀନ ହୋଇଥାନ୍ତେ। ସେ କହିଛନ୍ତି, ‘ଦୁର୍ଭାଗ୍ୟଜନକ ଭାବେ ଏଭଳି ଭୁଲ ବାରମ୍ବାର ଘଟୁଛି। ମୁଁ ଏଥିରୁ ଭୁଲ କାଢ଼ିବାକୁ ପସନ୍ଦ କରୁନାହିଁ, କିନ୍ତୁ ଆଶା କରୁଛି ଭବିଷ୍ୟତରେ ଏଭଳି ଆଉ ନ ହେଉ।’ ଟଫେଲଙ୍କ ଯୁକ୍ତି ହେଲା ମାର୍ଟିନ୍ ଗପ୍ଟିଲ ବଲ୍ ଫିଙ୍ଗିବା ବେଳକୁ ବ୍ୟାଟସମ୍ୟାନ୍ ଦ୍ବିତୀୟ ରନ୍ ପାଇଁ ପରସ୍ପରକୁ ଅତିକ୍ରମ କରିନଥିଲେ। କିନ୍ତୁ ଆଉ କେତେକଙ୍କ ଯୁକ୍ତି ହେଲା, କ୍ରିକେଟ୍ ହ୍ୟାଣ୍ଡବୁକ୍ ଆକ୍ଟ (ଅଧିନିୟମ) ଅନୁସାରେ ବଲ୍ ଷ୍ଟୋକ୍ସଙ୍କ ବ୍ୟାଟ୍ ହିଟ୍ କରିବା ବେଳକୁ ଉଭୟ ବ୍ୟାଟସମ୍ୟାନ୍ ପରସ୍ପରକୁ ଅତିକ୍ରମ କରି ସାରିଥିଲେ ଏବଂ ଦ୍ବିତୀୟ ରନ୍ ପୂର୍ଣ୍ଣ କରିସାରିଥିବାରୁ ଏଥିରେ ଦ୍ବନ୍ଦ୍ବ ନାହିଁ । ସେ ଦୃଷ୍ଟିରୁ ଦେଖିଲେ ଏହି ନିୟମର ତର୍ଜମାବେଳେ ଅସ୍ପଷ୍ଟତା ରହିଛି।
/sambad/media/post_attachments/wp-content/uploads/2019/07/world-cup-1.jpg)
ଅନ୍ୟପକ୍ଷରେ ୧୦୦ ଓଭର ଏବଂ ଦୁଇ ସୁପର ଓଭର ଖେଳ ପରେ ମଧ୍ୟ ଫାଇନାଲ୍ ମ୍ୟାଚ୍ରୁ ଫଳାଫଳ ମିଳି ନ ଥିଲା। ମ୍ୟାଚ୍ ବେଳେ ଉଭୟ ଦଳ ୨୪୧ ଏବଂ ସୁପର୍ ଓଭରରେ ସମାନ ୧୫ ରନ୍ ଲେଖାଏଁ କରିବାରୁ ଡବଲ୍ ଟାଇ ହୋଇଥିଲା। ଶେଷରେ ଆଇସିସି ନିୟମ ଅନୁସାରେ ବାଉଣ୍ଡରି ବ୍ୟବଧାନ (ଇଂଲଣ୍ଡ-୨୬, ନ୍ୟୁଜିଲାଣ୍ଡ୍-୧୭) ବଳରେ ଘରୋଇ ଦଳ ବିଜେତା ହୋଇଥିଲା। ଇଂଲଣ୍ଡ ବିଜୟ ଉତ୍ସବରେ ମାତିଥିବା ବେଳେ ନ୍ୟୁଜିଲାଣ୍ଡ ଦୁଃଖରେ ବୁଡ଼ିଯାଇଥିଲା। କ୍ରିକେଟ୍ ପ୍ରେମୀ ଏବଂ କ୍ରିକେଟ୍ ପଣ୍ଡିତମାନେ ମଧ୍ୟ ଏଭଳି ନିୟମକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରିଦିଆଯିବା ଉଚିତ ଥିଲା ବୋଲି କହିଛନ୍ତି ଅନେକ ବିଶେଷଜ୍ଞ। ପୂର୍ବତନ ଖେଳାଳିମାନଙ୍କ ମଧ୍ୟରୁ ଅନେକ ଏହାକୁ ‘ନିଷ୍ଠୁର’ ବୋଲି କହିଥିବା ବେଳେ ଅନ୍ୟ କେତେକ ‘ହାସ୍ୟାସ୍ପଦ’ ଏବଂ ଅନ୍ୟ କେତେକ ଏହାକୁ ‘ଭୟଙ୍କର’ ବୋଲି କହିଛନ୍ତି। ଅଧିକ ବାଉଣ୍ଡରି ନିୟମକୁ ଗ୍ରହଣ କରିବା କଷ୍ଟକର। ଏହା ସଡନ୍ ଡେଥ୍ ଭଳି, ଫଳାଫଳ ବାହାର କରିବାକୁ ଉନ୍ନତ ବିକଳ୍ପ ରହିବା କଥା। ନଚେତ୍ ଟ୍ରଫି ବାଣ୍ଟିନେବା କଥା ବୋଲି କହିଥିଲେ ମହମ୍ମଦ କୈଫ। କ୍ରିକେଟର୍ କିଛି ନିୟମକୁ ଗମ୍ଭୀରତାର ସହ ନଜରରେ ରଖାଯିବା ଉଚିତ ବୋଲି କହିଛନ୍ତି ରୋହିତ ଶର୍ମା। ଏହି ନିୟମକୁ ହାସ୍ୟାସ୍ପଦ କହିଛନ୍ତି ଗୌତମ ଗମ୍ଭୀର। ଏଭଳି ଢଙ୍ଗରେ ବିଜେତା ନିର୍ଣ୍ଣୟ କରାଯିବା ଭୟଙ୍କର କଥା ବୋଲି ଦର୍ଶାଇଛନ୍ତି ବ୍ରେଟ୍ ଲି। ‘ଡିଏଲ୍ ନିୟମ ରନ୍ ଓ ୱିକେଟ୍ ପତନ ଭିତ୍ତିରେ ହୁଏ..କିନ୍ତୁ ଫାଇନାଲ୍ ମ୍ୟାଚ୍ ବାଉଣ୍ଡରି ଭିତ୍ତିରେ ହେବା ଯଥାର୍ଥ ନୁହେଁ, ମୋ ମତରେ ଏହା ଅଯୌକ୍ତିକ’ ବୋଲି କହିଛନ୍ତି ଡିନ୍ ଜୋନ୍ସ। ଏହାକୁ ଅତି ନିଷ୍ଠୁର ଦର୍ଶାଇଛନ୍ତି ଷ୍ଟିଫେନ୍ ଫ୍ଲେମିଂ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/WC-Final-Run-Tragedy_Thumbnail.jpg)