ଦୋହା : ଗତ ଚାରି ସପ୍ତାହ ଧରି ବିଶ୍ବକପ୍ ଟ୍ରଫି ପାଇଁ ହେଉଥିବା ଲଢ଼େଇର ଶେଷ ମୁକାବିଲା ରବିବାର ଲୁସାଇଲ୍ ଆଇକନିକ୍ ଷ୍ଟାଡିୟମ୍ରେ ହେବ। ବିଶ୍ବ ଫୁଟ୍ବଲ୍ର ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଫ୍ରାନ୍ସ ଫାଇନାଲ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପୂର୍ବରୁ ଦୁଇଥର ଲେଖାଏଁ ଟ୍ରଫି ହାତେଇଥିବା ଦୁଇ ଦଳ ଏଥର ତୃ୍ତୀୟ ଥର ଟ୍ରଫି ହାସଲ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ତଥାପି ଏହି ମ୍ୟାଚ୍ରେ ମେସି ଓ ଏମ୍ବାପେ ମୁଖ୍ୟ ଆକର୍ଷଣରେ ରହିବେ। ଉଭୟ ୫ଟି ଲେଖାଏଁ ଗୋଲ୍ ଦେଇ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ଏକାସାଙ୍ଗରେ ଆଗକୁ ବଢ଼ିଛନ୍ତି। ତେବେ ମେସିଙ୍କର ଏହା ଶେଷ ବିଶ୍ବକପ୍ ମ୍ୟାଚ୍ ହୋଇଥିବାରୁ ଟ୍ରଫି ଜିତି ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ। ସେହିପରି ଏମ୍ବାପେ ମଧ୍ୟ ବ୍ରାଜିଲ୍ (୧୯୬୨) ପରେ ଦ୍ବିତୀୟ ଦଳ ଭାବେ ଫ୍ରାନ୍ସକୁ ଲଗାତାର ଟ୍ରଫି ଧରିବା ପାଇଁ ଉଦ୍ୟମ କରିବେ।
ଲିଗ୍ ପର୍ଯ୍ୟାୟରୁ ଦୁଇ ଦଳ ମାତ୍ର ଗୋଟିଏ ଲେଖାଏଁ ପରାଜୟର ସାମ୍ନା କରିଛନ୍ତି। ଆର୍ଜେଣ୍ଟିନାକୁ ସାଉଦି ଆରବ ୨-୧ ଗୋଲ୍ରେ ଏବଂ ଫ୍ରାନ୍ସକୁ ଟ୍ୟୁନିସିଆ ୧-୦ ଗୋଲ୍ରେ ହରାଇଥିଲା। ଏହାବାଦ୍ ଆର୍ଜେଣ୍ଟିନା ଚଳିତ ବିଶ୍ବକପ୍ରେ ମେକ୍ସିକୋ, ପୋଲାଣ୍ଡ ସହିତ ଗ୍ରୁପ୍ ପର୍ଯ୍ୟାୟ, ପ୍ରିକ୍ବାର୍ଟର ଫାଇନାଲ୍ରେ ଅଷ୍ଟ୍ରେଲିଆ, କ୍ବାର୍ଟର ଫାଇନାଲ୍ରେ ନେଦରଲାଣ୍ଡ୍ସ ଓ ସେମି ଫାଇନାଲ୍ରେ କ୍ରୋଏସିଆକୁ ହରାଇ ଫାଇନାଲ୍ରେ ପହଞ୍ଚିଛି। ସେହିପରି ଫ୍ରାନ୍ସ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ, ଡେନମାର୍କ, ପ୍ରିକ୍ବାର୍ଟର ଫାଇନାଲ୍ରେ ପୋଲାଣ୍ଡ, କ୍ବାର୍ଟର ଫାଇନାଲ୍ରେ ଇଂଲଣ୍ଡ ଓ ସେମି ଫାଇନାଲ୍ରେ ମରକ୍କୋକୁ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ପୂର୍ବରୁ ଏହି ଦୁଇ ଦଳ ଆନ୍ତର୍ଜାତିକ ସ୍ତରରେ ୧୨ଥର ଭେଟାଭେଟି ହୋଇଥିଲା ବେଳେ ଆର୍ଜେଣ୍ଟିନା ୬ ଓ ଫ୍ରାନ୍ସ ୩ଥର ବିଜୟୀ ହୋଇଛି। ଫିଫା ବିଶ୍ବକପ୍ରେ ମଧ୍ୟ ପରସ୍ପର ମଧ୍ୟରେ ୩ ମୁକାବିଲାରୁ ଆର୍ଜେଣ୍ଟିନା ୨-୧ରେ ଆଗୁଆ ରହିଛି।
ଆର୍ଜେଣ୍ଟିନା ସମ୍ଭାବ୍ୟ ଏକାଦଶ: ଏମିଲିଆନୋ ମାର୍ଟିନେଜ୍, ନାହୁଏଲ୍ ମୋଲିନା, କ୍ରିଷ୍ଟିଆନ୍ ରୋମେରୋ, ନିକୋଲାସ୍ ଟାମେଣ୍ଡି, ନିକୋଲାସ ଟାଗ୍ଲିଆଫିକୋ, ଲିଆଣ୍ଡ୍ରୋ ପାରେଡେସ୍, ରୋଦ୍ରିଗୋ ଡି ପଲ୍, ଆଲେକ୍ସିସ୍ ମ୍ୟାକ୍ ଆଲିଷ୍ଟର, ଏଞ୍ଜୋ ଫର୍ଣ୍ଣାଡେଜ୍, ଜୁଲିଏନ୍ ଅଲ୍ଭାରେଜ୍, ଲିଓନେଲ୍ ମେସି।
ଫ୍ରାନ୍ସ ସମ୍ଭାବ୍ୟ ଏକାଦଶ: ହୁଗୋ ଲୋରିସ୍, ଜୁଲେସ୍ କୌଣ୍ଡେ, ରାଫେଲ ଭାରାନେ, ଦାୟତ୍ ଉପାମେକାନୋ, ଇବ୍ରାହିମ୍ କୋନାଟେ, ଥିଓ ହର୍ନାଣ୍ଡେଜ୍, ଆଣ୍ଟୋନି ଗ୍ରିଜ୍ମ୍ୟାନ୍, ଅରେଲିଏନ୍ ଚୌଆମେନି, ଆଡ୍ରିଏନ୍ ରାବିଅଟ୍, ଓସ୍ମାନେ ଡେମ୍ବେଲେ, ଓଲିଭର ଗିରାଉଡ୍, କିଲିଆନ୍ ଏମ୍ବାପେ।