କୀର୍ତ୍ତିମାନ ଭରା ଫାଇନାଲ୍‌: ଅଷ୍ଟ୍ରେଲିଆକୁ ସପ୍ତମ ବିଶ୍ବ ମୁକୁଟ

ଆଲିସା ହିଲି ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି,

ଖ୍ରୀଷ୍ଟଚର୍ଚ୍ଚ: ଏକାଧିକ କୀର୍ତ୍ତିମାନ ଭରା ଫାଇନାଲ୍‌ରେ ଇଂଲଣ୍ଡକୁ ୭୧ ରନ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ଆଇସିସି ଦିନିକିଆ ବିଶ୍ବକପ୍‌ ଟ୍ରଫିକୁ ସପ୍ତମ ଥର ପାଇଁ କବ୍‌ଜା କରିଛି। ମହିଳା ବିଶ୍ବକପ୍‌ ଫାଇନାଲ୍‌ରେ ସର୍ବୋଚ୍ଚ ସ୍କୋର୍‌ (୩୫୬/୫), କୌଣସି ବିଶ୍ବକପ୍‌ ଫାଇନାଲ୍‌ରେ ଦ୍ବିତୀୟ ସର୍ବୋଚ୍ଚ ସ୍କୋର୍‌, କୌଣସି ବିଶ୍ବକପ୍‌ ଫାଇନାଲ୍‌ରେ ସର୍ବାଧିକ ବ୍ୟକ୍ତିଗତ ‌ରନ୍ (୧୭୦-ଆଲିସା ହିଲି), କୌଣସି ୱିକେଟ୍ ପାଇଁ ମହିଳା ବିଶ୍ବକପ୍‌ ଫାଇନାଲ୍‌ରେ ସର୍ବାଧିକ ଭାଗୀଦାରି (୧୬୦-ପ୍ରଥମ ୱିକେଟ୍‌) ଆଦି କୀର୍ତ୍ତିମାନ ସହିତ ଅଷ୍ଟ୍ରେଲିଆ ଏହି ଗୌରବ ଅର୍ଜନ କରିଛି। ପୂର୍ବରୁ ଅଷ୍ଟ୍ରେଲିଆ ୧୯୭୮, ୧୯୮୨, ୧୯୮୮, ୧୯୯୭, ୨୦୦୫, ୨୦୧୩ ମସିହାରେ ମଧ୍ୟ ମହିଳା ଦିନିକିଆ ବିଶ୍ବକପ୍‌ ଟ୍ରଫି ଜିତିଥିଲା। ସାମଗ୍ରିକ ଭାବେ ଅଷ୍ଟ୍ରେଲିଆକୁ ୩ ବର୍ଷରେ ୩ ଆଇସିସି ବିଶ୍ବ ମୁକୁଟ ମିଳିଛି। ୨୦୨୦ରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌, ୨୦୨୧ରେ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଏବେ ମହିଳା ଦିନିକିଆ ବିଶ୍ବକପ୍‌ ହାସଲ କରିଛି କଙ୍ଗାରୁ ଦଳ।

ରବିବାର ଇଂଲଣ୍ଡ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଅଷ୍ଟ୍ରେଲିଆ ପ୍ରାରମ୍ଭିକ ଯୋଡ଼ି ଆଲିସା ହିଲି (୧୭୦, ୧୩୮ ବଲ୍‌, ୨୬ ଚୌକା) ଓ ରାଚେଲ୍ ହେନ୍ସ (୬୮, ୯୩ ବଲ୍‌) ପ୍ରଥମ ୱିକେଟ୍‌ ପାଇଁ ୧୬୦ ରନ୍ ଉଠାଇଥିଲେ। ଏହା ପରେ ବେଥ୍‌ ମୁନି (୬୨, ୪୭ ବଲ୍‌)ଙ୍କୁ ସାଥୀ କରି ଆଲିସା ହିଲି ଆଉ ଏକ ଦେଢ଼ ଶତକ (୧୫୬) ଭାଗୀଦାରି ଗଢ଼ିଥିଲେ। ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୩୫୬ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ଇଂଲଣ୍ଡ ପାଇଁ କେବଳ ଅଭିଜ୍ଞା ନତାଲି ସିଭର (୧୪୮*, ୧୨୧ ବଲ୍‌) ଲଢ଼ିଥିଲେ। ଏହା ତାଙ୍କ ଶ୍ରେଷ୍ଠ ଦିନିକିଆ ପାଳି ଥିଲା। ତେବେ ଇଂଲଣ୍ଡ ୪୩.୪ ଓଭରରେ ୨୮୫ ରନ୍‌ରେ ଅଲ୍ଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପାଇଁ ଜେସ୍‌ ‌‌ୟୋନାସେନ୍‌ ଏବଂ ଆଲଣା କିଙ୍ଗ୍‌ ପ୍ରେତ୍ୟେକ ୩ ୱିକେଟ୍‌ ଏବଂ ମେଗାନ୍‌ ସୁଟ୍‌ ୨ ୱିକେଟ୍‌ ନେଇ ବିଜୟକୁ ଏକତରଫା କରିଦେଇଥିଲେ। ଆଲିସା ହିଲି ଫାଇନାଲ୍ ଏବଂ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।

ବିଶ୍ବକପ୍‌ ବିଜେତା ଦମ୍ପତି
ଆଲିସା ହିଲିଙ୍କ ଚର୍ଚ୍ଚା ଏବେ ବିଶ୍ବ କ୍ରିକେଟ୍‌ରେ ଢେର ଦିନ ଚାଲିବ। ମହିଳା ବିଶ୍ବକପ୍‌ ଫାଇନାଲ୍‌ରେ ସେ ସ୍କୋର୍‌ କରିଥିବା ଅବିସ୍ମରଣୀୟ ପାଳି (୧୭୦) ତାଙ୍କୁ ଏକାଧିକ କୀର୍ତ୍ତିମାନରେ ସମ୍ପୃକ୍ତ କରିଛି। ମହିଳା ବିଶ୍ବକପ୍‌ ଫାଇନାଲ୍‌ରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌। ‌କୌଣସି ବିଶ୍ବକପ୍‌ ପାଇନାଲ୍‌ ଦେଖିଲେ ହିଲି ତାଙ୍କ ଦେଶର ଆଦାମ ଗିଲକ୍ରିଷ୍ଟ୍‌ (୧୪୯ ବନାମ ଶ୍ରୀଲଙ୍କା, ୨୦୦୭)ଙ୍କୁ ପଛରେ ପକାଇଥିଲେ। ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ ଭାବେ ଏହା କିନ୍ତୁ ଦ୍ବିତୀୟ ସର୍ବୋଚ୍ଚ ଦିନିକିଆ ପାଳି ଥିଲା। ୧୯୯୭ରେ ଡେନମାର୍କ ବିପକ୍ଷରେ ତାଙ୍କ ଦେଶର ବେଲିଣ୍ଡା କ୍ଲାର୍କ ୨୨୯* ରନ୍‌ କରିଥିଲେ। ହିଲି ଏହି ବିଶ୍ବକପ୍‌ରୁ ମୋଟ ୫୦୯ ରନ୍‌ ସଂଗ୍ରହ କରି ପ୍ଲେୟାର୍‌ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ। ଏହା ମଧ୍ୟ ଆଲିସାଙ୍କ ପାଇଁ ଏକ ଅପୂର୍ବ ସଂଯୋଗ ଆଣିଥିଲା। ହିଲିଙ୍କ ସ୍ବାମୀ ମିଚେଲ ଷ୍ଟାର୍କ ୨୦୧୫ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆକୁ ବିଜେତା କରିବା ସହ ମଧ୍ୟ ପ୍ଲେୟାର୍‌ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ୍ ‌ହୋଇଥିଲେ। ଅଷ୍ଟ୍ରେଲିଆର ୩୫୬ ରନ୍ ମହିଳା ବିଶ୍ବକପ୍‌ରେ କୀର୍ତ୍ତିମାନ ଥିଲେ ମଧ୍ୟ କୌଣସି ବିଶ୍ବକପ୍‌କୁ ହିସାବକୁ ନେଲେ ଏହା ଦ୍ବିତୀୟ ସର୍ବୋଚ୍ଚ। ୨୦୦୩ ପୁରୁଷ ବିଶ୍ବକପ୍‌ ଫାଇନାଲ୍‌ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩୫୯/୨ ସ୍କୋର୍‌ କରିଥିଲା।

୧୯ ବର୍ଷରେ ବିଶ୍ବ ବିଜୟିନୀ
ଅଷ୍ଟ୍ରେଲିଆ ଦଳର ଅନ୍ୟତମ ସଦସ୍ୟା ଡାର୍ସି ବ୍ରାଉନ୍‌ ମାତ୍ର ୧୯ ବର୍ଷ ୨୭ ଦିନ ବୟସରେ ଆଇସିସି ମହିଳା ବିଶ୍ବକପ୍‌ ଟ୍ରଫି ବିଜୟିନୀ ହେବାର ଗୌରବ ପାଇଛନ୍ତି। ଫାଇନାଲ୍‌ରେ ୱିକେଟ୍‌ ପାଇନଥିଲେ ମଧ୍ୟ ବ୍ରାଉନ୍‌ଙ୍କ ପାଇଁ ଏହା ଅଭୁଲା ହୋଇ ରହିବ। ୬ ମ୍ୟାଚ୍‌ରୁ ସେ ୬ ୱିକେଟ୍ ନେଇଥିଲେ। ଭାରତ ଓ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ହିଁ ସେ ୩-୩ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର