ସାଉଥମ୍ପଟନ୍: ନିଜର ପଂଚମ ବିଶ୍ୱକପ୍ ଖେଳିବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ କ୍ରିସ୍ ଗେଲ୍ କହିଛନ୍ତି, ବୋଲରଙ୍କୁ ଜଣା ଯେ, ସେମାନେ କେଉଁ କାମ କରିବାକୁ ସକ୍ଷମ। ଏଥିପାଇଁ ବୋଲର ମାନେ ତାଙ୍କୁ ଡରିଥାନ୍ତି। ଗେଲ୍ ଚଳିତ ବର୍ଷ ସେପ୍ଟେମ୍ବରରେ ୪୦ ବର୍ଷରେ ପାଦ ଥାପିବେ। ନିଜକୁ ‘ୟୁନିଭର୍ସ ବସ’ କହୁଥିବା କ୍ରିସ୍ଗେଲ୍ ଚଳିତ ବର୍ଷ ଆରମ୍ଭରେ ବିଶ୍ୱକପ୍ ଆୟୋଜକ ଇଂଲଣ୍ଡ ବିରୋଧରେ ୪ଟି ମ୍ୟାଚ୍ରେ ୪୨୪ ରନ୍ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜ୍କୁ ମେ’ ମାସ ୩୧ରେ ଟ୍ରେଣ୍ଟବ୍ରିଜ୍ରେ ନିଜର ପ୍ରଥମ ମ୍ୟାଚ୍ ଖେଳିବାର ଅଛି।
କ୍ରିସ୍ଗେଲ୍ cricket.com.auକୁ କହିଛନ୍ତି, ଯୁବପୀଢ଼ି ମୋର ଶୈଳୀକୁ ଅତିକ୍ରମ କରିବାକୁ ଯାଉଛନ୍ତି। ମାତ୍ର ଏହା ଏତେ ସହଜ ନୁହେଁ, ଯାହାକି ପୂର୍ବରୁ ହେଉଥିଲା। ଗେଲ୍ ଏଥି ପ୍ରତି ସତର୍କ ରହିବେ। ତାଙ୍କୁ ଜଣା ଅଛି ଯେ, ୟୁନିଭର୍ସ ବସ୍ କ’ଣ କରିବାରେ ସକ୍ଷମ ଅଟନ୍ତି। ମୋତେ ବିଶ୍ୱାସ ଯେ, ବୋଲରଙ୍କ ଚିନ୍ତାଧାରାରେ ଗେଲ୍ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। କ୍ରିସ୍ ଗେଲ ହେଉଛନ୍ତି ୱେଷ୍ଟଇଣ୍ଡିଜ୍ର ଉପ-ଅଧିନାୟକ।
ବିରୋଧୀ ଟିମ୍ ତାଙ୍କୁ କାହିଁକି ଡରନ୍ତି, ଏହା ପ୍ରଶ୍ନ କରାଯିବାରୁ ଗେଲ୍ କହିଛନ୍ତି, କ’ଣ ଆପଣ ଜାଣି ନାହାନ୍ତି କି? ଯାଆନ୍ତୁ ଆଉ ସେମାନଙ୍କୁ ପଚାରିବୁଝନ୍ତୁ। ସେମାନଙ୍କୁ କ୍ୟାମେରା ସମ୍ମୁଖରେ ପଚାରନ୍ତୁ। ସେମାନେ କହିବେ ଡରୁ ନାହାନ୍ତି। କିନ୍ତୁ ଆପଣ କ୍ୟାମେରା ବନ୍ଦ କରି ପଚାରନ୍ତୁ, ନିଶ୍ଚିତ ଭାବରେ ହଁ କହିବେ। ଗେଲ କହିଛନ୍ତି, ମୁଁ ଖୁସି ଅନୁଭବ କରୁଛି।