ନୂଆଦିଲ୍ଲୀ: ରବିବାରଠାରୁ ଅଷ୍ଟ୍ରେଲିଆରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଆସନ୍ତୁ ପୂର୍ବ ୭ ସଂସ୍କରଣ ଉପରେ ନଜର ପକାଇନେବା। ୨୦୦୭ରେ ଭାରତ ପ୍ରଥମ ସଂସ୍କରଣ ବିଜେତା ହୋଇଥିବା ବେଳେ ବିଗତ ୭ ଥରରୁ ୬ ନୂଆ ବିଜେତାଙ୍କୁ ପାଇଛି ବିଶ୍ବ କ୍ରିକେଟ୍। ୱେଷ୍ଟଇଣ୍ଡିଜ୍ ଏକମାତ୍ର ଦେଶ ଭାବେ ଦୁଇ ଥର ବିଜେତା ହେବାର ସୌଭାଗ୍ୟ ପାଇଛି। ଗତବର୍ଷ ୟୁଏଇରେ ନ୍ୟୁଜିଲାଣ୍ଡ୍କୁ ହରାଇ ଅଷ୍ଟ୍ରେଲିଆ ପ୍ରଥମ ଥର ବିଜେତା ହୋଇଥିଲା।
୨୦୦୭: ଚମତ୍କାର ଫାଇନାଲ୍ ସହ ଭାରତ ବିଜେତା
ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ମାତ୍ର ୧୩ ଦିନ ଖେଳାଯାଇଥିଲା। କିନ୍ତୁ ଅନେକ ଅଭୁଲା ସ୍ମୃତି ଛାଡ଼ିଯାଇଥିଲା। ପ୍ରଥମ ମ୍ୟାଚ୍ରୁ ହିଁ କ୍ରିସ୍ ଗେଲ୍ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ୱଣ୍ଡରର୍ସରେ ୱଣ୍ଡର୍ ସହିତ ୧୦ ଛକା ବଳରେ ଗେଲ୍ ପ୍ରଥମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ର ଶତକର ଅଧିକାରୀ ହୋଇଥିଲେ। କିନ୍ତୁ ଏହି ଶତକ ତାଙ୍କ ଦଳକୁ ବିଜୟ ଦେଇପାରିନଥିଲା। ହରସେଲ୍ ଗିବ୍ସଙ୍କ ବିସ୍ଫୋରକ ପାଳି କାରଣରୁ ୧୪ ବଲ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୫ ରନ୍ ଲକ୍ଷ୍ୟକୁ ପଶ୍ଚାତଧାବନ କରିଯାଇଥିଲା। ସେହିଭଳି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଯୁବରାଜ ସିଂହ ଗୋଟିଏ ଓଭରରେ (ଷ୍ଟୁଆର୍ଟ ବ୍ରଡ୍) ୬ ଛକା ମାରି ୧୨ ବଲ୍ ଅର୍ଦ୍ଧଶତକର କୀର୍ତ୍ତିମାନ କରିଥିଲେ। ଲିଗ୍ ପର୍ଯ୍ୟାୟରେ ବୋଲ୍ ଆଉଟ୍ରେ ପାକିସ୍ତାନକୁ ପରାସ୍ତ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଫାଇନାଲ୍ରେ ମଧ୍ୟ ସେହି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପଡ଼ୋଶୀ ଦେଶକୁ ଭେଟିଥିଲା। ଏହି ଫାଇନାଲ୍ କିଛି କମ୍ ନାଟକୀୟ ମୁହୂର୍ତ ଦେଇନଥିଲା। ଶେଷ ଓଭର ବୋଲିଂ କରିଥିଲେ ଯୋଗୀନ୍ଦର ଶର୍ମା। ପାକିସ୍ତାନକୁ ୪ ବଲ୍ରୁ ୬ ରନ୍ ଆବଶ୍ୟକ ଥିଲାବେଳେ ମିସ୍ବା ଉଲ୍ ହକ୍ ଫାଇନ୍ ଲେଗ୍ ଉପରେ ଖେଳିବାକୁ ଚେଷ୍ଟା କରି ଶାନ୍ତାକୁମାର ଶ୍ରୀଶାନ୍ତଙ୍କ ହାତରେ ଧରାପଡ଼ିଯାଇଥିଲେ। ଭାରତ ବିଜେତା ଟ୍ରଫି ଧରି ବୁଲିଥିଲା।
୨୦୦୯: ଲର୍ଡସରେ ଆଫ୍ରିଦି ସ୍ବତନ୍ତ୍ର
ସାହିଦି ଆଫ୍ରିଦିଙ୍କ ପ୍ରଦର୍ଶନ ବଳରେ ଲର୍ଡସ ଫାଇନାଲ୍ରେ ଶ୍ରୀଲଙ୍କାକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା। ସେମିଫାଇନାଲ୍ରେ ୩୪ ବଲ୍ରୁ ୫୦ ରନ୍ କରିଥିବା ଆଫ୍ରିଦି ଫାଇନାଲ୍ରେ ଅପରାଜିତ ୫୪* ରନ୍ ସଂଗ୍ରହ କରିଥିଲେ। ପାକିସ୍ତାନ ୮ ୱିକେଟ୍ରେ ଜିତିଥିଲା ଫାଇନାଲ୍। ଆଫ୍ରିଦି ହୋଇଥିଲେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ରେ ୧୬୨ ରନ୍କୁ ପିଛା କରି ଇଂଲଣ୍ଡକୁ ନେଦରଲାଣ୍ଡ୍ସ ପରାସ୍ତ କରିବା ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲା। ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ କିନ୍ତୁ ଦେଖିବାକୁ ମିଳିଥିଲା ଉମର ଗୁଲ୍ଙ୍କଠାରୁ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ୫ ୱିକେଟ୍ ସଫଳତା ପାଇଥିଲେ ଗୁଲ୍। ଓଭାଲ୍ରେ ଗୁଲ୍ଙ୍କ ପ୍ରଦର୍ଶନ ସହ ସେମିଫାଇନାଲ୍ରେ ପାକିସ୍ତାନ ହରାଇଥିଲା ନ୍ୟୁଜିଲାଣ୍ଡ୍କୁ। ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ଏକ ଆଇସିସି ଟ୍ରଫି ଜିତିଥିଲା।
୨୦୧୦: ଇଂଲଣ୍ଡକୁ ପ୍ରଥମ ଆଇସିସି ଟ୍ରଫି
କ୍ରିକେଟ୍ର ସ୍ରଷ୍ଠା ଭାବେ ପରିଚିତ ଇଂଲଣ୍ଡକୁ ପ୍ରଥମ ଆଇସିସି ମୁକୁଟ ମିଳିଥିଲା ୨୦୧୦ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ସହିତ। ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ନିକଟରୁ ପରାଜିତ ହେବା ପରେ ଆୟର୍ଲାଣ୍ଡ୍ ବିପକ୍ଷ ମ୍ୟାଚ୍ରେ ୧୨୦ ରନ୍ରେ ସୀମିତ ରହିଯାଇଥିଲା ପଲ୍ କଲିଂଉଡ୍ଙ୍କ ଦଳ। ବର୍ଷା ବାଧକ କାରଣରୁ ଇଂଲଣ୍ଡ ଆଗକୁ ବଢ଼ିଥିଲା। ଏହା ପରେ କିନ୍ତୁ ଏକାଠି ଖେଳି ଇଂଲଣ୍ଡ ତା’ର ପୁରୁଣା ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ଭେଟିଥିଲା ଫାଇନାଲ୍ରେ। କେଭିନ୍ ପିଟରସନ୍ଙ୍କ ଉପଯୋଗୀ ୪୭ ରନ୍ ବଳରେ ଇଂଲଣ୍ଡ ଫାଇନାଲ୍ରେ ବିଜୟୀ ହୋଇ ଏକ ଅଧୁରା ସ୍ବପ୍ନକୁ ସାକାର କରିଥିଲା।
୨୦୧୨: ୱେଷ୍ଟଇଣ୍ଡିଜ୍ ବିଜେତା
ମାର୍ଲନ ସାମୁଏଲ୍ସଙ୍କ ମ୍ୟାଚ୍ ବିଜୟୀ ୭୮ ରନ୍ ବଳରେ କଲମ୍ବୋ ଫାଇନାଲ୍ ଜିତି ପ୍ରଥମ ଥର ବିଜେତା ହୋଇଥିଲା ୱେଷ୍ଟଇଣ୍ଡିଜ୍। ପୂର୍ବ ସଂସ୍କରଣରେ ଇଂଲଣ୍ଡ ଅବସ୍ଥା ଭଳି ପ୍ରଥମରୁ ହାରିଥିଲା ୱେଷ୍ଟଇଣ୍ଡିଜ୍। ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ପରେ ଆୟର୍ଲାଣ୍ଡ୍ ବିପକ୍ଷ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା। ତେବେ ଏନ୍ଆର୍ଆର୍ ସ୍ଥିତି ଅନୁସାରେ ନିଜ ଗ୍ରୁପ୍ରେ ଦ୍ବିତୀୟରେ ରହିଥିଲା ଏହି ଦଳ। ସୁପର୍-୮ରେ ଶ୍ରୀଲଙ୍କା ନିକଟରୁ ହାରଯିବା ପରେ ସୁପର୍ ଓଭରରେ ନ୍ୟୁଜିଲାଣ୍ଡ୍କୁ ହରାଇ ସେମିଫାଇନାଲ୍ରେ ପହଞ୍ଚିଥିଲା। ଫାଇନାଲ୍ରେ କିନ୍ତୁ ଘରୋଇ ଦଳଠାରୁ ମଧୁର ପ୍ରତିଶୋଧ ନେଇ ୱେଷ୍ଟଇଣ୍ଡିଜ୍ ଦୀର୍ଘ ୩୩ ବର୍ଷ ପରେ ଏକ ବିଶ୍ବକପ୍ ଜିତିଥିଲା। ସାମୁଏଲ୍ସଙ୍କ ବ୍ୟାଟିଂ (୭୮) ଓ ସୁନିଲ୍ ନାରାୟଣ (୩/୯)ଙ୍କ ବୋଲିଂ ହିଁ ଇଣ୍ଡିଜ୍କୁ ବିଜେତା କରିଥିଲା।
୨୦୧୪: ଶ୍ରୀଲଙ୍କାକୁ ଟ୍ରଫି ଦେଲେ ସାଙ୍ଗା
ଘରୋଇ ମାଟିରେ ଟ୍ରଫି ତୋଳି ଧରିବାର ଅପୂର୍ବ ସୁଯୋଗ ହାତଛଡ଼ା କରିଥିବା ସିଂହଳୀ ଦଳ ୨ ବର୍ଷ ପରେ କିନ୍ତୁ ସ୍ବପ୍ନ ସାକାର କରିନେଇଥିଲା। ନେଦରଲାଣ୍ଡ୍ସ ଓ ନ୍ୟୁଜିଲାଣ୍ଡ୍କୁ ଯଥାକ୍ରମେ ୩୯ ଓ ୬୦ ରନ୍ରେ ରୋକିଥିବା ଶ୍ରୀଲଙ୍କା ନିଜର ବୋଲିଂ ଦକ୍ଷତାକୁ ଦେଖାଇ ଗ୍ରୁପ୍-୧ ବିଜେତା ହୋଇଥିଲା। ସେମିଫାଇନାଲ୍ରେ ଗତଥର ଫାଇନାଲ୍ର ପ୍ରତିଶୋଧ ନେଇ ୱେଷ୍ଟଇଣ୍ଡିକୁ ବିଦା କରିଥିଲା। ଫାଇନାଲ୍ରେ ଭାରତକୁ ହରାଇଥିଲା ଶ୍ରୀଲଙ୍କା। କୁମାର ସାଙ୍ଗାକାରାଙ୍କ ଅପରାଜିତ ୭୭ ରନ୍ ବିଶ୍ବକପ୍ର ଅଗ୍ରଣୀ ରନ୍ ସ୍କୋରର୍ ବିରାଟ କୋହଲିଙ୍କୁ ଫିକା କରିଦେଇଥିଲା। ନେଦରଲାଣ୍ଡ୍ସର ଏହସାନ ମଲିକ ଅଗ୍ରଣୀ ୱିକେଟ ଦଖଲକାରୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଇମ୍ରାନ୍ ତାହିର୍ ଏକମାତ୍ର ବୋଲର ଭାବେ ୫ ୱିକେଟ୍ ସଫଳତା ପାଇଥିଲେ।
୨୦୧୬: ଶେଷ ଓଭରରେ ୪ ଛକା
ଇଂଲଣ୍ଡ ବିପକ୍ଷ ଫାଇନାଲ୍ରେ ଶେଷ ଓଭରରୁ ୧୯ ରନ୍ ଆବଶ୍ୟକ କରୁଥିବା ୱେଷ୍ଟଇଣ୍ଡିଜ୍କୁ କାର୍ଲୋସ୍ ବ୍ରାଥ୍ୱେଟ୍ ହିଁ ଟ୍ରଫି ଦେଇଥିଲେ। ଲଗାତାର ୪ ଛକା ମାରି ଅସମ୍ଭବକୁ ସମ୍ଭବ କରିଦେଇଥିଲେ। ଦ୍ବିତୀୟ ଥର ପାଇଁ ୱେଷ୍ଟଇଣ୍ଡିଜ୍ ବିଜେତା ହୋଇଥିଲା। ହତଭାଗ୍ୟ ବୋଲର ଜଣଙ୍କ ଥିଲେ ବେନ୍ ଷ୍ଟୋକ୍ସ। ଅପରାଜିତ ୮୫ ରନ୍ ପାଇଁ ମାର୍ଲନ ସାମୁଏଲ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ସଂସ୍କରଣ ବିଶ୍ବକପ୍ ଅବସରରେ ଏକାଧିକ ୱେଷ୍ଟଇଣ୍ଡିଜ୍ ଖେଳାଳି ଭଲ ଖେଳିବା ନିର୍ଣ୍ଣାୟକ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡ ବିପକ୍ଷରେ ଗେଲ୍ଙ୍କ ୪୭ ବଲ୍ ଶତକ, ଶ୍ରୀଲଙ୍କା ବିପକ୍ଷରେ ଆନ୍ଦ୍ରେ ଫ୍ଲେଚର୍ଙ୍କ ୮୪* ରନ୍, ଭାରତ ବିପକ୍ଷ ସେମିଫାଇନାଲ୍ ବିଜୟରେ ଲେଣ୍ଡଲ୍ ସିମନ୍ସଙ୍କ ୫୧ ବଲ୍ରୁ ୮୨* ରନ୍ ଏହି ସବୁ କାହାଣୀ କହିଥିଲା।
୨୦୨୧: ଅଷ୍ଟ୍ରେଲିଆ ସ୍ବପ୍ନ ସାକାର
ବିଶ୍ବକପ୍ ଇତିହାସରେ ଅଷ୍ଟ୍ରେଲିଆଠାରୁ ଅନ୍ୟ କୌଣସି ଦେଶ ଏତେ ସଫଳ ହୋଇପାରିନାହାନ୍ତି। ଦିନିକିଆ ଫର୍ମାଟରେ ଏହି ଦେଶ ସର୍ବାଧିକ ୫ ଥର ବିଜେତା ହୋଇ ପ୍ରଧାନ୍ୟ ବିସ୍ତାର କରିଛି। ଟ୍ବେଣ୍ଟି-୨୦ ଫର୍ମାଟ୍ ବିଶ୍ବକପ୍ ଆରମ୍ଭରୁ କିନ୍ତୁ ଏହି ଦେଶକୁ ବିଜେତା ହେବା ପାଇଁ ଦୀର୍ଘ ୧୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। କୋଭିଡ୍ ପାଇଁ ଭାରତରୁ ୟୁଏଇ ସ୍ଥାନାନ୍ତର ହୋଇଥିବା ଗତ ସଂସ୍କରଣ ବିଶ୍ବକପ୍ରେ କଙ୍ଗାରୁ ଦଳର ସ୍ବପ୍ନ ସାକାର ହୋଇଥିଲା। ଆରୋନ୍ ଫିଞ୍ଚ୍ଙ୍କ ଦଳ ନକ୍ ଆଉଟ୍ ପର୍ଯ୍ୟାୟରେ ନିଜ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲା। ସେମିଫାଇନାଲ୍ ପର୍ଯ୍ୟନ୍ତ ଅପରାଜେୟ ଥିବା ପାକିସ୍ତାନକୁ ବିଦା କରି ଫାଇନାଲ୍ରେ ପହଞ୍ଚିଥିଲା। ଫାଇନାଲ୍ରେ କେନ୍ ୱିଲିୟମସନ୍ଙ୍କ ୮୫ ରନ୍ ବଳରେ ନ୍ୟୁଜିଲାଣ୍ଡ୍ ୧୭୨ ରନ୍ କରିଥିଲା। ହେଲେ ଏହା ଯଥେଷ୍ଟ ହୋଇନଥିଲା। ମିଚେଲ୍ ମାର୍ସଙ୍କ ୫୦ ବଲ୍ ୭୭ ରନ୍ ବଳରେ ଅଷ୍ଟ୍ରେଲିଆ ୮ ୱିକେଟ୍ରେ ଜିତିଯାଇଥିଲା। ଏଥର ନିଜ ଦେଶରେ ଟାଇଟଲ୍ ଡିଫେନ୍ସର ସୁଯୋଗ ପାଇବ ଏହି ଦେଶ।