ବହିରେ ବିଶ୍ବକପ୍‌

ଭୁବନେଶ୍ବର: ଜମିବାକୁ ଯାଉଛି ହକି ଖେଳର ମହାମେଳା। ଏଭଳି ଏକ କ୍ରୀଡ଼ା ଆସର ଓଡ଼ିଶାରେ ଆୟୋଜିତ ହେବା ଆମ ପାଇଁ ନିଶ୍ଚିତଭାବେ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ‘ଆମ ଓଡ଼ିଶା’ ସଂସ୍ଥା ଦ୍ବାରା ପ୍ରକାଶିତ ହୋଇଛି ବିଶ୍ବକପ୍‌ ହକି ପୁସ୍ତକ। ଯାହାର ଲେଖକ ହେଉଛନ୍ତି ଓଡ଼ିଶାର ବିଶିଷ୍ଟ କ୍ରୀଡ଼ା ସମୀକ୍ଷକ ତଥା ଲେଖକ ଆଶିଷ କୁମାର ରାୟ। ହକି ବିଶ୍ବକପ୍‌ ଅବସରରେ ପ୍ରକାଶିତ ଏହି ପୁସ୍ତକରେ ହକି ଖେଳର ଉତ୍ପତ୍ତି ଓ ବିକାଶର ସଂକ୍ଷିପ୍ତ ବିବରଣୀ ରହିବା ସହିତ ହକି ବିଶ୍ବକପ୍‌ ସମ୍ବଦ୍ଧିତ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି। ୧୯୭୧ରେ ବାର୍ସିଲୋନାଠାରେ ଅନୁଷ୍ଠିତ ପ୍ରଥମ ହକି ବିଶ୍ବକପ୍‌ଠାରୁ ଆରମ୍ଭ କରି ୨୦୧୪ରେ ଦି ହେଗ୍‌ଠାରେ ଅନୁଷ୍ଠିତ ତ୍ରୟୋଦଶ ହକି ବିଶ୍ବକପ୍‌ର ସଂପୂର୍ଣ୍ଣ ଘଟଣାବଳୀ ଉପସ୍ଥାପିତ ହୋଇଛି ଏହି ପୁସ୍ତକରେ। ଭୁବନେଶ୍ବରରେ ଚତୁର୍ଦଶ ହକି ବିଶ୍ବକପ୍‌ର ଆୟୋଜନ ସମ୍ବଦ୍ଧୀୟ ତଥ୍ୟ ମଧ୍ୟ ଏଥିରେ ଉଲ୍ଲେଖ ରହିବା ସହିତ ମହିଳା ବିଶ୍ବକପ୍‌ର ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି। ଏତଦ୍ ବ୍ୟତୀତ ‘ହକି ବିଶ୍ବକପ୍‌ ଓ ଓଡ଼ିଶା’ ନାମରେ ଏକ ଅଧ୍ୟାୟ ମଧ୍ୟ ରହିଛି। ୨୦୧୧ ମସିହାରେ ‌ମଧ୍ୟ ଶ୍ରୀ ରାୟଙ୍କ ଦ୍ବାରା ଲିଖିତ ‘ବିଶ୍ବକପ୍‌ କ୍ରିକେଟ୍‌’ ଓ ୨୦୧୨ରେ ‘ଅଲିମ୍ପିକ୍‌ର ମହାନ ତାରକା’ ପୁସ୍ତକ ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ହୋଇଥିଲା। ସଦ୍ୟ ପ୍ରକାଶିତ ‘ବିଶ୍ବକପ୍‌ ହକି’ ପୁସ୍ତକଟି ମଧ୍ୟ ଲେଖକଙ୍କର ପୂର୍ବ ଦୁଇଟି କ୍ରୀଡ଼ା ପୁସ୍ତକ ଭଳି ଆଦୃତ ହେବ ବୋଲି ଆଶା।

ସମ୍ବନ୍ଧିତ ଖବର