ଭୁବନେଶ୍ବର, ୩୦।୫ (ଇମିସ): ଇଂଲଣ୍ଡ ବିଶ୍ବକପ୍ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଛାପ ଛାଡ଼ିବା ଲାଗି ସମଗ୍ର ବିଶ୍ବର କ୍ରିକେଟ୍ ପ୍ରେମୀ ନୂଆ ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି। କିଏ ପୁସ୍ତକ ରଚନା କରୁଛି ତ, ଆଉ କିଏ ନିଜ ଖର୍ଚରେ ହଜାର ହଜାର କିଲୋମିଟର ଯାତ୍ରା କରି ବିଶ୍ବକପ୍ର ମଜା ସ୍ବଚକ୍ଷୁରେ ନେବା ଲାଗି ଲଣ୍ଡନ ପହଞ୍ଚି ଯାଉଛନ୍ତି। ଜଟଣୀ ହାଟବଜାର ସ୍ଥିତ ଗୋପୀନାଥପୁରର ସୁକ୍ଷ୍ମକଳା କଳାକାର ଏଲ୍ ଈଶ୍ବର ରାଓ ମଧ୍ୟ ଏହି କ୍ଷେତ୍ରରେ ପଛୁଆ ନାହାନ୍ତି। ଅତୀତରେ ବହୁ କ୍ରୀଡ଼ା ମହୋତ୍ସବ ତଥା କ୍ରୀଡ଼ାବିତଙ୍କ ସଫଳତାକୁ କାଚ ବୋତଲ ଭିତରେ ସ୍ଥାନ ଦେଇ ଅଶେଷ ଲୋକପ୍ରିୟତା ଏବଂ ପ୍ରଶଂସା ସାଉଣ୍ଟି ଥିବା ଈଶ୍ବର ଲଣ୍ଡନ ବିଶ୍ବକପ୍ର ପ୍ରତିକୃତିକୁ ପେନସିଲ୍ ମୁନରେ ସ୍ଥାନ ଦେଇଛନ୍ତି। ସେ ମଧ୍ୟ କୟାଁ ବା ତେନ୍ତୁଳି ମଞ୍ଜିରେ ଲଣ୍ଡନ ବିଶ୍ବକପର ପ୍ରତିକୃତି ତିଆରି କରିଛନ୍ତି। ଏହା କରି ନିଜ କଳା ମାଧ୍ୟମରେ ଈଶ୍ବର ଭାରତୀୟ ଦଳକୁ ବିଶ୍ବକପର ଶୁଭେଚ୍ଛା ଜଣାଇଛନ୍ତି। ଭାରତ ଏଥର ବିଶ୍ବକପ୍ ଜିତିବ ବୋଲି ମଧ୍ୟ ସେ ଦୃଢ଼ ଆଶା ରଖିଛନ୍ତି।
ଈଶ୍ବର ପୂର୍ବରୁ ବୋତଲ ଭିତରେ ଭୁବନେଶ୍ବରରେ ଆୟୋଜିତ ହକି ବିଶ୍ବକପ୍ ଟ୍ରଫିର ପ୍ରତିକୃତି ତିଆରି କରି ବେଶ୍ ଚର୍ଚିତ ହୋଇଥିଲେ। ସେତେବେଳେ ଏହା ହକି ବିଶ୍ବକପର କ୍ଷୁଦ୍ରତମ ପ୍ରତିକୃତି ଥିଲା ବୋଲି ସେ ଦାବି କରିଥିଲେ। ସେ ମଧ୍ୟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ୨୦୧୫ କ୍ରିକେଟ୍ ବିଶ୍ବକପ୍, ଫୁଟବଲ୍ ବିଶ୍ବକପ୍ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଟ୍ରଫିକୁ ବୋତଲ ଭିତରେ ରଖି ସାରିଛନ୍ତି। ନିଜ ନିଆରା କଳା ଦକ୍ଷତାରେ ପ୍ରସ୍ତୁତ କରିଥିବା କଳାକୃତିକୁ ନେଇ ଈଶ୍ବର ଏକ ସଂଗ୍ରହାଳୟ ମଧ୍ୟ ସ୍ଥାପନ କରିଛନ୍ତି। ଏଥିରେ ୩,୦୦୦ରୁ ଅଧିକ କଳାକୃତି ରହିଛି। ପେସାରେ ଟ୍ୟୁସନ୍ ମାଷ୍ଟର ଥିବା ଈଶ୍ବର ଆର୍ଟ ଆଣ୍ଡ କ୍ରାଫ୍ଟ ସୋସିଆଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ ବି ଚଳାଉଛନ୍ତି। ୪୦ ବର୍ଷୀୟ ଈଶ୍ବର ନିଜର ଏହି କଳାର ପ୍ରଚାର ପ୍ରସାର କରିବା ଲାଗି ଏବେ ସୁଯୋଗ ସନ୍ଧାନରେ ରହିଛନ୍ତି। କେବଳ କ୍ରୀଡ଼ା ନୁହେଁ ଗଣେଶ ପୂଜା, ସ୍ବାଧୀନତା ଦିବସ, ଦଶହରା ଏବଂ ଦୀପାବଳୀ ଭଳି ପର୍ବ ପର୍ବାଣୀକୁ ସେ ନିଜ ବୋତଲ କଳାରେ ସ୍ଥାନ ଦେଇ ସାରିଛନ୍ତି।