କଲମ୍ବୋ: ମାସକ ଭିତରେ କ୍ରିକେଟ୍‌ପ୍ରେମୀ ଚତୁର୍ଥ ଥର ପାଇଁ ଭାରତ-ପାକିସ୍ତାନ ମହାମୁକାବିଲା ଦେଖିବେ। ଏସିଆ କପ୍‌ରେ ପୁରୁଷ ଦଳ ପାକିସ୍ତାନକୁ ଲଗାତାର ତିନିଟି ମ୍ୟାଚ୍‌ରେ ଧୂଳି ଚଟାଇବା ପରେ ଏବେ ମହିଳା ଦଳ କ୍ରିକେଟ୍ ପଡ଼ିଆରେ ନିଜ ଯାଦୁ ଦେଖାଇବ। ଚଳିତ ଏକଦିବସୀୟ ବିଶ୍ବକପ୍‌ର ଅନ୍ୟତମ ପ୍ରତୀକ୍ଷିତ ମ୍ୟାଚ୍‌ରେ ରବିବାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ପଡ଼ିଆ ଭିତର ଏହି ଲଢ଼େଇ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର୍‌ପ୍ରେସଦାସା ଷ୍ଟାଡିୟମ୍‌ରେ ହେବ। ପଡ଼ିଆ ବାହାର ଲଢ଼େଇ କିନ୍ତୁ ସମଗ୍ର କ୍ରିକେଟ୍ ଜଗତକୁ କବଳିତ କରିବ। ପୁଣି ଉଭୟ ଦେଶର ସଂପର୍କରେ ବଢ଼ିବଢ଼ି ଚାଲିଥିବା ତିକ୍ତତା ଏବଂ ଏସିଆ କପ୍‌ର ବିବାଦୀୟ ସ୍ଥିତି ପାଇଁ ଏହି ମ୍ୟାଚ୍‌ ମଧ୍ୟ ବେଶ୍ ଉତ୍ତେଜନା ପ୍ରବଣ ରହିବାର ସମ୍ଭାବନା ଢେର୍‌ ଅଧିକ। ତେବେ ପୁରୁଷଙ୍କ ଭଳି ଭାରତୀୟ ମହିଳା ଦଳ ମଧ୍ୟ ପାକିସ୍ତାନକୁ ଧରାଶାୟୀ କରି ପ୍ରେମଦାସା ଷ୍ଟାଡିୟମ୍‌ରେ ଅପରେସନ୍ ସିନ୍ଦୂରର ଝଲକ ଓ ପରାକ୍ରମ ଦେଖାଇବାକୁ ଚେଷ୍ଟା କରିବ। ମୁକାବିଲା ଅପରାହ୍‌ଣ ୩ଟାରୁ ଆରମ୍ଭ ହେବ। ଏଥିଲାଗି ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି କରିଛି। ନିଜ ପ୍ରଥମ ମ୍ୟାଚ୍ ଜିତି ଆତ୍ମବିଶ୍ବାସରେ ଭରପୂର ରହିଛି। ପାକିସ୍ତାନ କିନ୍ତୁ ପରାଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ତା’ ସହିତ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ହାରି କୌଣସି ଗୋଟିକୁ ନ ଜିତିବାର ଅପଯଶ ମଧ୍ୟ ଏହି ଦଳ ମୁଣ୍ଡରେ ରହିଛି। ଏଣୁ ଭାରତ ଏହି ମ୍ୟାଚ୍‌ରେ ମଧ୍ୟ ସମସ୍ତଙ୍କ ପସନ୍ଦର ଦଳ ଭାବେ ମଇଦାନକୁ ଓହ୍ଲାଇବ। 

Advertisment

ପାକିସ୍ତାନ ବିପକ୍ଷ ଅପରାଜେୟ ଧାରା ବଜାୟ ରଖିବାକୁ ଭାରତ ବଦ୍ଧପରିକର ବୋଲି ବୋଲିଂ ପ୍ରଶିକ୍ଷକ ଆବିଷ୍କାର ସାଲ୍‌ଭି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତୀୟ ଖେଳାଳିମାନେ ଅନ୍ୟକଥା ନୁହେଁ, କେବଳ କ୍ରିକେଟ୍ ଉପରେ ଧ୍ୟାନ ଦେବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ସେପଟେ ପାକିସ୍ତାନର ଅଧିନାୟିକା ଫତିମା ସାନା ତାଙ୍କ ଦଳ ଅତୀତର ରେକର୍ଡ ଭାଙ୍ଗିବାକୁ ପଡ଼ିଆକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଦଳୀୟ ସନ୍ତୁଳନ, ବ୍ୟାଟିଂ, ବୋଲିଂ ତଥା କ୍ଷେତ୍ରରକ୍ଷଣ ଦକ୍ଷତାକୁ ଦେଖିଲେ ଭାରତ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଯେ ଢେର୍‌ ଶକ୍ତିଶାଳୀ, ସେଥିରେ ସନ୍ଦେହ ନାହିଁ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫୯ ରନ୍ (ଡି/ଏଲ୍)ରେ ହରାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପଡ଼ୋଶୀ ବାଂଲାଦେଶଠାରୁ ୭ ୱିକେଟ୍‌ରେ ପରାସ୍ତ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷରେ ବିଫଳ ହୋଇଥିବା ଭାରତୀୟ ଦଳର ତିନି ତାରକା ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗୁଏଜ୍‌ ଓ ରିଚା ଘୋଷ, ପାକିସ୍ତାନ ବିପକ୍ଷରେ ଫର୍ମକୁ ଫେରିବା ଲକ୍ଷ୍ୟରେ ରହିବେ। ତେବେ ଶନିବାରର ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ବର୍ଷା ଧୋଇ ନେବା ପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।