ଆଉ ୧୫ ଦିନ: ୧୯୭୫ କ୍ରିକେଟ୍ ବିଶ୍ବଯୁଦ୍ଧର ଅୟମାରମ୍ଭ, କ୍ଲାଇଭଙ୍କ କଙ୍ଗାରୁ ଶିକାର

ପ୍ରଥମ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯିବାର ମାତ୍ର ୪ ବର୍ଷ ଏବଂ ୧୮ ମ୍ୟାଚ୍ ପରେ, ଅର୍ଥାତ୍ ୧୯୭୫ ମସିହାରେ ବିଶ୍ବକପର ଅୟମାରମ୍ଭ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ କିନ୍ତୁ ଏହାର ଦୁଇ ବର୍ଷ ପୂର୍ବରୁ ମହିଳା ବିଶ୍ବକପ୍ ଖେଳ ହୋଇ ସାରିଥିଲା। ପ୍ରଥମ ପୁରୁଷ ବିଶ୍ବକପର ଆୟୋଜନ ଅଧିକାର କ୍ରିକେଟ୍‌ର ସ୍ରଷ୍ଟା ଇଂଲଣ୍ଡ ପାଇଥିଲା। ଏହାର ନାଁ ପ୍ରୁଡେନସିଆଲ୍ କପ୍ ରଖା ଯାଇଥିଲା। ୮ ଦଳ ଅଂଶଗ୍ରହଣ କରିଥିଲେ। ମାତ୍ର ୧୫ ମ୍ୟାଚ୍ ଖେଳା ଯାଇଥିଲା। ୬ ଟେଷ୍ଟ ଖେଳୁଥିବା ଦେଶ ଇଂଳଣ୍ଡ, ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ ଛଡ଼ା ସହଯୋଗୀ ସଦସ୍ୟ ଶ୍ରୀଲଙ୍କା ଏବଂ ପ୍ରଥମ ଓ ଶେଷ ଥର ପାଇଁ ପୂର୍ବ ଆଫ୍ରିକା ପ୍ରଥମ କ୍ରିକେଟ୍ ମହାକୁମ୍ଭ ଖେଳିଥିଲେ। ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍ ୧୯୭୫ ମସିହାର ସେହି ପ୍ରଥମ ସୀମିତ ଓଭର ବିଶ୍ୱକପ୍ ଜିତିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆଗୁଆ ଭବିଷ୍ୟବାଣୀ କରିଥିଲେ। ଏହା ମଧ୍ୟ ସତ ପ୍ରମାଣିତ ହୋଇଥିଲା। କାରବିଆନ ରାଷ୍ଟ୍ର ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ଶେଷ ଯାଏ ଆଧିପତ୍ୟ ବିସ୍ତାର କରି ପ୍ରଥମ ବିଶ୍ବକପର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ୱେଷ୍ଟଇଣ୍ଡିଜ୍ ସଫଳ ହେବାରେ ଏହାର ଚଷମା ପିନ୍ଧା ଅଧିନାୟକ କ୍ଲାଇଭ୍ ଲୟଡ୍‌ ପ୍ରମୁଖ ଭୂମିକା ତୁଲାଇଥିଲେ। ଲୟଡ ଓ ଇଣ୍ଡିଜ୍ ଖେଳାଳିଙ୍କ ଚମତ୍କାର କ୍ଷେତ୍ରରକ୍ଷଣ ପାଇଁ ଅଷ୍ଟ୍ରେଲିଆ ଉପବିଜେତାରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା। ଫାଇନାଲ୍‌ରେ ଲୟଡଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ବିଶ୍ୱକପ୍‌ ତୋଳି ଧରିବାର ଗୌରବ ଅର୍ଜନ କରିଥିଲା। ତାଙ୍କ ଦ୍ରୁତ ଶତକ (୧୦୨ ରନ୍, ୮୫ ବଲ୍, ୧୨ ଚୌକା, ୨ ଛକା) ବଳରେ ୱେଷ୍ଟଇଣ୍ଡିଜ୍ ନିର୍ଧାରିତ ୬୦ ଓଭରରେ ୮ ଓ୍ୱିକେଟ୍ ହରାଇ ୨୯୧ ରନ୍ କରିଥିଲା। ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ଥିଲେ ମଧ୍ୟ ଏହାର ୫ ଜଣ ଶୀର୍ଷ ସ୍ତରୀୟ ଖେଳାଳିଙ୍କୁ ରନ୍ ଆଉଟ୍ କରି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ ମାକ୍କା ଲର୍ଡସରେ କଙ୍ଗାରୁ ଶିକାର କରି ନେଇଥିଲା। ଅଷ୍ଟ୍ରେଲିଆ ୮ଟି ବଲ୍ ପୂର୍ବରୁ ଅର୍ଥାତ୍ ୫୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୪ ରନ୍‌ରେ ସୀମିତ ରହି ଯାଇଥିଲା। ଆଶା ଜନକ ଭାବେ ଲୟଡ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ ବା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବ୍ୟବସ୍ଥା ନ ଥିଲା। ନ୍ୟୁଜିଲାଣ୍ଡର ଗ୍ଲେନ୍ ଟର୍ନର ସର୍ବାଧିକ ୩୩୩ ରନ୍ କରିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଗ୍ୟାରି ଗ୍ଲିମର ସର୍ବାଧିକ ୧୧ ୱିକେଟ୍ ନେଇଥିଲେ। ୧,୫୮୦୦୦ କ୍ରିକେଟ୍ ପ୍ରେମୀ ଷ୍ଟାଡିୟମ୍‌ରେ ମ୍ୟାଚ୍ ଦେଖିଥିଲେ।

ସଂଖ୍ୟାରେ ବିଶ୍ୱକପ୍
ୱେଷ୍ଟଇଣ୍ଡିଜ୍ ଅମ୍ପାୟାର ଷ୍ଟିଭ୍ ବକନର ସର୍ବାଧିକ ୪୪ଟି ବିଶ୍ୱକପ୍ ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି। ସେ ମଧ୍ୟ ୭ଟି ମ୍ୟାଚ୍‌ରେ ତୃତୀୟ ଅମ୍ପାୟାର ଦାୟିତ୍ବ ନିର୍ବାହ କରିଛନ୍ତି। ମୋଟ ଉପରେ ସେ ୫୧ଟି ବିଶ୍ୱକପ୍ ମ୍ୟାଚ୍‌ରେ ଅମ୍ପାୟାରିଂ କରି ବିଶ୍ୱ କୀର୍ତିମାନ ସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର