ଆଉ ୧୮ ଦିନ: ଇଂଲଣ୍ଡ ପ୍ରଶଂସକଙ୍କ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ: ଲାଙ୍ଗର

ବ୍ରିସ୍‌ବେନ୍‌: ଇଂଲଣ୍ଡ ଗସ୍ତ ସବୁବେଳେ ଅଷ୍ଟ୍ରେଲିଆ ପାଇଁ ସହଜ ହୋଇନଥାଏ। ଏଥର ବିଶ୍ବକପ୍‌ ଇଂଲଣ୍ଡରେ ହେଉଥିବାରୁ ଗତଥରର ବିଜେତା ଅଷ୍ଟ୍ରେଲିଆ ନିଶ୍ଚିତ ଚାପରେ ରହିବ। ବିଶେଷ କରି ଇଂଲଣ୍ଡର ବାର୍ମି ଆର୍ମି ପ୍ରଶଂସକମାନେ ଏହି ଦଳ ବିରୋଧୀ ଅଭିଯାନରେ ଥିବାରୁ ଅଷ୍ଟ୍ରେଲିଆ ସମସ୍ୟା ବଢ଼ିପାରେ। କିନ୍ତୁ ସେ ସବୁକୁ ସାଧାରଣ ଭାବେ ନେଇଛନ୍ତି ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର। ଆମେ ଜାଣିଛୁ ବିମାନରେ ବସିବାଠାରୁ ଆମକୁ ଘେରିଯିବା ଭଳି ପରିବେଶ ମିଳିବ। ଆମେ କିନ୍ତୁ ଏସବୁକୁ ସାମ୍‌ନା କରିବାକୁ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। ଥରେ ବିଶ୍ବକପ୍ ଆରମ୍ଭ ହୋଇଗଲେ ସବୁକିଛି ସହଜ ହୋଇଯିବ ବୋଲି କହିଥିଲେ ଏହି ପୂର୍ବତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌। ବଲ୍ ବିକୃତ ବିବାଦ ପାଇଁ ବର୍ଷକର ନିଲମ୍ବନ ଦଣ୍ଡ ଭୋଗିଥିବା ଡେଭିଡ୍‌ ୱାର୍ନର ଏବଂ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ବାର୍ମି ଆର୍ମି ପ୍ରଶଂସକ ଅଭ୍ୟାସ ମ୍ୟାଚ୍‌ରୁ ହିଁ ଚିଡ଼ାଇବା ଆରମ୍ଭ କରି ଦେଇଛନ୍ତି। ୱାର୍ନରଙ୍କ ବିଶ୍ବକପ୍‌ ଫଟୋକୁ ବ୍ୟବହାର କରି ‘ଠକ’ ଲେଖି ଦେଖାଇଥିଲେ। ଆମେ ବିଶେଷ ଭାବେ ପ୍ରଭାବିତ ନୁହଁ। ଏସବୁ ଦ୍ରୁତ ବୋଲିଂକୁ ମୁକାବିଲା କରିବା ଭଳି। ଯାହାକି ପୂର୍ବ ରାତିରୁ ହିଁ ଆରମ୍ଭ ହୋଇଥାଏ। ପଡ଼ିଆ ଭିତରେ ପଶିଗଲେ ସେ ସବୁ ଚିନ୍ତା ନ ଥାଏ ବୋଲି ଲାଙ୍ଗର କହିଛନ୍ତି। ଭାରତ ଏବଂ ପାକିସ୍ତାନ ବିପକ୍ଷରେ ଲଗାତାର ୮ ଦିନିକିଆ ଜିତି ଆସିଥିବା ଅଷ୍ଟ୍ରେଲିଆ ଅଭ୍ୟାସରେ ଗୋଟିଏ ଜିତି ଏବେ ଗୋଟିଏ ହାରିଛି।

ସମ୍ବନ୍ଧିତ ଖବର