ଆଉ ୮ ଦିନ, ଜୟସୂରିୟାଙ୍କ ବଳରେ ଶ୍ରୀଲଙ୍କା ବଳିୟାନ

ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଭାରତ ଓ ପାକିସ୍ତାନ ୧୯୯୬ ମସିହାରେ ଦ୍ବିତୀୟ ଥର ପାଇଁ ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିଥିଲେ। ଏଥର କିନ୍ତୁ ସେମାନଙ୍କ ସହ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ବିଶ୍ୱକପ୍‌ର ସହଆୟୋଜକ ହେବାର ସୌଭାଗ୍ୟ ଲାଭ କରିଥିଲା। ୱିଲ୍ସ ବିଶ୍ୱକପ୍ ଭାବେ ପରିଚିତ ଏହି ୧୨ ଦଳିଆ ବିଶ୍ୱ ଲଢ଼େଇରେ ଦୁର୍ବଳ ଶ୍ରୀଲଙ୍କା ମଧ୍ୟ ସମସ୍ତଙ୍କୁ ଚକିତ କରି ବିଶ୍ୱ କ୍ରିକେଟ୍‌ର ନୂଆ ମହାଶକ୍ତି ଭାବେ ଉଭା ହୋଇଥିଲା। ସେହିବର୍ଷ ଏହି କ୍ଷୁଦ୍ର ଦ୍ବୀପ ରାଷ୍ଟ୍ରର ସଫଳତାରେ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସନତ ଜୟସୂରିଆଙ୍କର ବଳିଷ୍ଠ ଭୂମିକା ରହିଥିଲା। ପାଳି ଆରମ୍ଭରୁ ଆସି ନିର୍ମମ ପ୍ରହାର ସହ ପ୍ରତିପକ୍ଷ ବୋଲରଙ୍କ ମନୋବଳକୁ ସେ ଏକ ପ୍ରକାର ଭାଙ୍ଗି ଦେଉଥିଲେ। ତଥାପି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୫୨୩) ଏହି ବିଶ୍ୱକପ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ ଓ ଅନିଲ କୁମ୍ବଲେ (୧୫) ସର୍ବାଧିକ ୱିକେଟ୍‌ ଦଖଲକାରୀ ହେବାର ସମ୍ମାନ ହାତେଇ ନେଇଥିଲେ। ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଫାଇନାଲ୍‌ରେ ଶ୍ରୀଲଙ୍କା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ କ୍ରିକେଟ୍‌ର ନୂଆ ସମ୍ରାଟ ଭାବେ ଉଭା ହୋଇଥିଲା। ଭାରତ ୧୭ ସ୍ଥାନରେ ୧୭, ପାକିସ୍ତାନ ୬ ସ୍ଥାନରେ ୧୬ ଏବଂ ଶ୍ରୀଲଙ୍କା ୩ ସ୍ଥାନରେ ୪ ମ୍ୟାଚ୍ ଆୟୋଜନ କରିଥିଲା। ୯ ଟେଷ୍ଟ୍‌ ଖେଳୁଥିବା ଦେଶ ସହ ୟୁଏଇ, କେନିଆ ଓ ନେଦରଲାଣ୍ଡ୍‌ ଯୋଗ୍ୟତା ପର୍ଯ୍ୟାୟ ଦେଇ ମୁଖ୍ୟ ପର୍ଯ୍ୟାୟକୁ ଆସିଥିଲେ। ନେଦରଲାଣ୍ଡ୍‌ ତାର ସମସ୍ତ ୫ଟି ଯାକ ମ୍ୟାଚ୍ ହାରିଥିଲା ବେଳେ ୟୁଏଇ ଗୋଟିଏ ବିଜୟ ହାସଲ କରିଥିଲା। ତେବେ କେନିଆ ଦୁଇ ଥର ପୂର୍ବତନ ବିଜେତା ୱେଷ୍ଟଇଣ୍ଡିଜ୍‌କୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା।

ୱିଲ୍ସ ବିଶ୍ୱକପ୍ ଆରମ୍ଭରୁ କିନ୍ତୁ ବିବାଦ ଦେଖା ଦେଇଥିଲା। ଏଲ୍‌ଟିଟିଇ ଉଗ୍ରବାଦୀ ଶ୍ରୀଲଙ୍କାର ସେଣ୍ଟ୍ରାଲ ବ୍ୟାଙ୍କ୍‌ରେ ବୋମା ବିସ୍ଫୋରଣ କରିବା ପରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ସେଠାକୁ ନିଜ ନିଜର ଦଳକୁ ପଠାଇବାକୁ ସଫା ମନା କରି ଦେଇଥିଲେ। ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ନ ଯିବା ଶ୍ରୀଲଙ୍କା ପାଇଁ ବେଶ୍ ଲାଭକର ସାବ୍ୟସ୍ତ ହୋଇଥିଲା। ଏହି ଦଳ କୌଣସି ମ୍ୟାଚ୍ ନ ଖେଳି ବିନା ପରିଶ୍ରମରେ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା। ଜୟସୂରିଆ ଓ ରମେଶ କାଲୁଭିତରନାଙ୍କ ଯୋଡ଼ି ପ୍ରଥମ ୧୫ ଓଭରର କ୍ଷେତ୍ରରକ୍ଷଣ ଅଙ୍କୁଶ ବେଳେ ଦ୍ରୁତ ରନ୍ ସଂଗ୍ରହ କରିବା ଶ୍ରୀଲଙ୍କା ରଣନୀତିର ଏକ ନୂଆ ଦିଗ ଥିଲା। ଏହି ଦୁଇ ଜଣଙ୍କ ଦ୍ରୁତ ବ୍ୟାଟିଂ ପାଇଁ ୧୯୯୬ ବିଶ୍ୱକପ୍‌ରେ ଶ୍ରୀଲଙ୍କା ସର୍ବାଧିକ ଦଳଗତ ସ୍କୋର କୀର୍ତିମାନ (୩୯୮/୫) କରିଥିଲା। ଯାହା ଦୀର୍ଘ ଦିନ ପର୍ଯ୍ୟନ୍ତ ଅତୁଟ ରହିଥିଲା। ପରେ ଭାରତ ଏବଂ ଅଷ୍ଟ୍ରେଲିଆ ଏହାକୁ ଭାଙ୍ଗିଥିଲେ। ସହଜରେ ‌ଶେଷ ୪ ଦଳ ମଧ୍ୟ‌େ‌ର ସାମିଲ ହୋଇଥିବା ଶ୍ରୀଲଙ୍କା ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳିଥିବା ପ୍ରଥମ ସେମିଫାଇନାଲ୍‌ରେ ବେଶ୍ ବିବାଦୀୟ ଢଙ୍ଗରେ ବିଜୟୀ ହୋଇଥିଲା। ୧,୧୦,୦୦୦ ଦର୍ଶକଙ୍କ ସମ୍ମୁଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା। ୨୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିବା ଭାରତ ସଚିନ ତେନ୍ଦୁଲକର କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ଭଲ ସ୍ଥିତିରେ ରହିଥିଲା। ତେବେ ସେ ପାଭିଲିୟନ ଫେରିବା ପରେ ସବୁ କିଛି ଯେମିତି ବଦଳି ଯାଇଥିଲା। ଲଗାତାର ୱିକେଟ୍ ପତନ ଜାରି ରହିବାରୁ ଭାରତ ମାତ୍ର ୧୨୦ ରନ୍‌ରେ ୮ ୱିକେଟ୍ ହରାଇ ଥିଲା ବେଳେ ଦର୍ଶକଙ୍କ ଧୈର୍ଯ୍ୟଚ୍ୟୁତ ହୋଇଥିଲା। ଉତ୍ତ୍ୟକ୍ତ ଦର୍ଶକ ଷ୍ଟାଡିୟମ୍ ଗ୍ୟାଲେରିରୁ ପଡ଼ିଆ ଭିତରକୁ ନିଜ ସହ ଆଣିଥିବା ଫଳ, ପାଣି ବୋତଲ ଓ ଫ୍ଲାକାର୍ଡର ବର୍ଷା କରିଥିଲେ। ପରିସ୍ଥିତି ଅଣାୟତ ହେବା ପରେ ସେହିଠାରେ ହିଁ ଖେଳ ବନ୍ଦ କରି ଦିଆ ଯାଇ ଶ୍ରୀଲଙ୍କାକୁ ବିଜୟୀ ଘୋଷିତ କରାଯାଇଥିଲା। ଖେଳ ବନ୍ଦ ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି କାନ୍ଦିକାନ୍ଦି ପଡ଼ିଆ‌ ଛାଡ଼ିବାର ଦୃଶ୍ୟକୁ କ୍ରିକେଟ୍ ପ୍ରଶଂସକ ଅନେକ ଦିନ ପର୍ଯ୍ୟନ୍ତ ଭୁଲି ପାରି ନ ଥିଲେ। ସେପଟେ ମୋହାଲିରେ ଖେଳା ଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୧୫ ରନ୍‌ରେ ୪ ୱିକେଟ୍ ହରାଇବାର ଧକ୍କାରୁ ବାହାରି ନାଟକୀୟ ଢଙ୍ଗରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଲକ୍ଷ୍ୟ ମାତ୍ର ୨୦୮ ରନ୍ ଥିଲା ବେଳେ ୪୨ ଓଭର ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୧୬୫ ରନ୍‌ରେ କେବଳ ୨ଟି ୱିକେଟ୍ ହରାଇ ଦୃଢ଼ ସ୍ଥିତିରେ ଥିଲା। ତେବେ ଶେଷ ୮ ୱିକେଟ୍ ମାତ୍ର ୩୭ ରନ୍‌ରେ ହରାଇ ବିଦାୟ ନେଇଥିଲା। ୯୬ ପୂର୍ବର ପାଞ୍ଚଟି ବିଶ୍ୱକପ୍ ଫାଇନାଲ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଥିଲେ। ତେବେ ଶ୍ରୀଲଙ୍କା ପରମ୍ପରାକୁ ଭଙ୍ଗ କରି ଏଥର ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଡାକିଥିଲା। ମାର୍କ ଟେଲରଙ୍କ ୭୪ ରନ୍ ବଳରେ ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ଅନ୍ୟ ପକ୍ଷରେ ଅରବିନ୍ଦ ଡି’ ସିଲଭାଙ୍କ ଅଲରାଉଣ୍ଡ୍‌ ପ୍ରଦର୍ଶନ (୩/୪୨, ୧୦୭*) ସହାୟତାରେ ଶ୍ରୀଲଙ୍କା ୪୬.୨ ଓଭରରେ ୩ ୱିକେଟ୍ ହରାଇ ୨୪୫ ରନ୍ କରିବା ସହ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା।

ସମ୍ବନ୍ଧିତ ଖବର