ମୁମ୍ବାଇ: ସେମିଫାଇନାଲ୍ ଦୌଡ଼ରେ ଥିବା ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଙ୍ଗଳବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସେମିଫାଇନାଲ୍ରେ ପ୍ରବେଶ ନିଶ୍ଚିତ ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଦୌଡ଼ରେ ନିଜକୁ ମଜବୁତ୍ ପ୍ରମାଣିତ କରିବା ଲାଗି ଆଫଗାନିସ୍ତାନ ପାଇଁ ବିଜୟ ଅପରିହାର୍ଯ୍ୟ ହୋଇପଡ଼ିଛି। ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରେ ପ୍ରବେଶ କରିସାରିଛନ୍ତି। ତେଣୁ ପରବର୍ତ୍ତୀ ଦୁଇ ଦଳ ପାଇଁ ଏବେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହୋଇଯାଇଛି।
ପାଟ୍ କମିନ୍ସଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଗତ ୫ ମ୍ୟାଚ୍ରେ ବିଜୟୀ ହୋଇଥିବାରୁ ମୁମ୍ବାଇରେ ଏହି ଧାରା ଅବ୍ୟାହତ ରଖିବାକୁ ଚାହିବ। ୱାଙ୍ଖଡ଼େ ପିଚ୍ ବ୍ୟାଟର୍ଙ୍କୁ ଭଲ ସହାୟତା ଦେଉଛି। ତଥାପି ସ୍ଥିତି ସହ ଖାପଖୁଆଇଲେ ବୋଲରମାନେ ମଧ୍ୟ ମୋଡ଼ ବଦଳାଇ ପାରିବେ। କିନ୍ତୁ ଅଷ୍ଟ୍ରେଲିଆ ପାଇଁ ଏହାର ମଧ୍ୟକ୍ରମ ଏପର୍ଯ୍ୟନ୍ତ ସବୁଠୁ ବଡ଼ ସମସ୍ୟା ଭାବେ ରହିଯାଇଛି। ଷ୍ଟିଭ୍ ସ୍ମିଥ୍ ଓ ମାର୍ନସ ଲବୁସାନ୍ ବଡ଼ ରନ୍ ବାହାର କରିବାରେ ସଂଘର୍ଷ କରୁଛନ୍ତି। ଏହି ଦୁଇ ଜଣ ୭ ମ୍ୟାଚ୍ରେ ମାତ୍ର ୩ ଅର୍ଦ୍ଧଶତକ ମାରିପାରିଛନ୍ତି। ତେଣୁ ଆଫଗାନିସ୍ତାନ ବିପକ୍ଷ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଏମାନଙ୍କ ବ୍ୟାଟ୍ରୁ ବଡ଼ ଅବଦାନ ଦଳ ଆଶା ରଖିଛି। ଡେଭିଡ୍ ୱାର୍ଣ୍ଣର ୭ ମ୍ୟାଚ୍ରୁ ୪୨୮ ରନ୍ ସଂଗ୍ରହ କରିବା ସହ ସବୁଠୁ ଭଲ ଲୟରେ ରହିଛନ୍ତି। ଦୁଇ ଶତକ ମଧ୍ୟ ତାଙ୍କ ନାମରେ ରହିସାରିଛି। ଟ୍ରାଭିସ୍ ହେଡ୍ ବିଶ୍ବକପ୍ ପଦାର୍ପଣରେ ଶତକ ଅର୍ଜନ କରି ପ୍ରତିପକ୍ଷଙ୍କୁ ଚେତାବନୀ ଦେଇସାରିଛନ୍ତି। ଏଥିସହ ମିଚେଲ ମାର୍ସଙ୍କ ପ୍ରତ୍ୟାବର୍ତ୍ତନ କାମେରନ ଗ୍ରିନ୍ଙ୍କୁ ବାହାରେ ବସାଇବାକୁ ବାଧ୍ୟ କରିପାରେ।
ଅପରପକ୍ଷେ ଆଫଗାନିସ୍ତାନ ଦଳଗତ ପ୍ରଦର୍ଶନ ଭିତ୍ତିରେ ବିଶ୍ବକପ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚାଲିଛି। ଏପର୍ଯ୍ୟନ୍ତ ୭ରୁ ୪ ମ୍ୟାଚ୍ ଦଳ ଜିତିସାରିଛି। ଏହାମଧ୍ୟରେ ତିନି ପୂର୍ବ ବିଜେତା ଶ୍ରୀଲଙ୍କା, ପାକିସ୍ତାନ ଓ ଇଂଲଣ୍ଡକୁ ହରାଇଥିଲା। ଏବେ ଆଉ ଏକ ବିଜେତା ଦଳ ଅଷ୍ଟ୍ରେଲିଆ ଦଳ ଆଗରେ ରହିଛି। ସେମିଫାଇନାଲ୍ ଦ୍ବାର ନିକଟତର ହେବାକୁ ହେଲେ ହସମତୁଲ୍ଲା ସାହିଦି, ରହମତ ଶାହ, ଅଜମତୁଲ୍ଲା ଓମରଜାଇ, ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ ମୁମ୍ବାଇରେ ମଧ୍ୟ ସେହି ପ୍ରଦର୍ଶନ ଜାରି ରଖିବାକୁ ହେବ। ମୁଜିବ ଉର ରହମାନ, ମହମ୍ମଦ ନବି, ରସିଦ ଖାନ୍, ନୂର ଅହମ୍ମଦଙ୍କୁ ନେଇ ଗଠିତ ସ୍ପିନ୍ କ୍ରମ ଯେକୌଣସି ବ୍ୟାଟିଂକ୍ରମକୁ ଭାଙ୍ଗିବାର ଦକ୍ଷତା ରଖିଛି। ତେଣୁ ଏଭଳି ମ୍ୟାଚ୍ରେ ଦର୍ଶକଙ୍କୁ ବ୍ୟାଟ୍ ଓ ବଲ୍ର ଲଢ଼େଇରୁ ଭରପୂର ମଜା ଉଠାଇବାର ଅବସର ମିଳିବ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଡେଭିଡ୍ ୱାର୍ଣ୍ଣର, ଟ୍ରାଭିସ ହେଡ, ଷ୍ଟିଭ ସ୍ମିଥ, ମାର୍ନସ ଲବୁସାନ, ଜୋସ ଇଙ୍ଗଲିସ, ମିଚେଲ ମାର୍ସ/କାମେରନ ଗ୍ରିନ, ମାର୍କସ ଷ୍ଟୋଇନିସ, ପାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଡ଼ାମ ଜାମ୍ପା, ଜୋସ ହାଜେଲଉଡ୍।
ସମ୍ଭାବ୍ୟ ଆଫଗାନିସ୍ତାନ ଦଳ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି, ଅଜମଦୁଲ୍ଲା ଓମରଜାଇ, ଈକ୍ରାମ ଅଲିଖିଲ, ମହମ୍ମଦ ନବି, ରସିଦ ଖାନ, ମୁଜୀବ ଉର ରହମାନ, ଫଜଲହକ ଫାରୁକି, ନୂର ଅହମଦ/ନବୀନ ଉଲ ହକ୍।